ଜଗନ୍ନାଥ ଟ୍ରକ ମାଲିକ ସଂଘରେ ଦୁର୍ନୀତି ଅଭିଯୋଗ ଓ ତଦନ୍ତ ଦାବୀ କରି ମାଲିକ ମାନଙ୍କ ଧାରଣା

ପାରାଦୀପ – ପାରାଦୀପର ଜଗନ୍ନାଥ ଟ୍ରକ ମାଲିକ ସଂଘରେ ନୂତନ ସଦସ୍ୟ ଗ୍ରହଣ କରିବାରେ ବ୍ୟାପକ ଅନିୟମିତତା, ବିନା ସିରିଏଲରେ ଗାଡି ଲୋଡିଂରେ ଦୁର୍ନୀତି, ଟାୟାର ବ୍ୟବସାୟରେ ବ୍ୟାପକ ଦୁର୍ନୀତି, ସଂଘର ଅର୍ଥକୁ ଅନୈତିକ ଭାବେ ପାଣି ଭଳି ଖର୍ଚ୍ଚ କରିବା ସହିତ ହରିଲୁଟ କରିବା ଅଭିଯୋଗ କରି ଅପର ଗୋଷ୍ଟିର ଟ୍ରକ ମାଲିକ ବିଜୟ ରାଉତ, ଶ୍ରୀରାମ ଚନ୍ଦ୍ର ସାହୁ, ଗୌତମ ନାୟକ, ସଞ୍ଜୟ ମୁଦୁଲି, ମନୋଜ ବିଶ୍ଵାଳ, ଛଇଳ ଚନ୍ଦ୍ର ଜେନା, ଭଗବାନ ସ୍ୱାଇଁ ପ୍ରମୁଖ ଅକ୍ଟୋବର ୧୦ ତାରିଖରୁ ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣାରେ ବସି ରହିଥିବା ଦେଖିବାକୁ ମିଳିଛି । ତେବେ ଧାରଣରେ ବସିବା ପୂର୍ବରୁ ଜଗତସିଂହପୁର ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ପାରାଦୀପ ସ୍ଥିତ ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କୁ ପୃଥକ ପୃଥକ ପତ୍ର ମାଧ୍ୟମରେ ଅବଗତ କରିଥିବା ସତ୍ତ୍ବେ ଧାରଣାରେ ବସିବାର ତିନି ଦିନ ପରେବି ଜିଲ୍ଲା ପ୍ରଶାସନ କିମ୍ବା ପୁଲିସ ପ୍ରଶାସନ ପକ୍ଷରୁ ଏ ଦିଗରେ କୈାଣସି ପଦକ୍ଷେପ ଗ୍ରହଣ କରିନଥିବା ଜଣାପଡିଛି । ସଂଘରେ ଦୁର୍ନୀତି ର ତଦନ୍ତ ନହେବା ପର୍ଯ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରତ ଗାଡି ମାଲିକ ମାନେ କହିଛନ୍ତି l ଅନ୍ୟପକ୍ଷରେ ସଂଘର ସଭାପତି ରାକେଶ ଜେନା କହିଛନ୍ତି ଯେ ସଂଘର ସମସ୍ତ କାର୍ଯ୍ୟରେ ସ୍ୱଚ୍ଛତା ଓ ସମସ୍ତ ସଦସ୍ୟଙ୍କ ଜ୍ଞାତ ସାରରେ କରାଯାଉଛି ଏବଂ ଯେଉଁ ପ୍ରତିବାଦ ଡ୍ରାମା କରାଯାଉଛି ଏହା ବିରୋଧୀ ମାନେ ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି କରାଯାଉଥିବା ପାଲଟା ଅଭିଯୋଗ କରିଛନ୍ତି l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶ ଙ୍କ ରିପୋର୍ଟ
ଇପିଏ ନିଉଜ