ଜମି ପଟ୍ଟାରେ ନକଲି ଜାତି ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ ଅଭିଯୋଗ
ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗୀନ୍ଦ୍ର ଭୋଇ ଙ୍କ ନେତୃତ୍ୱରେ ତରଭା ବ୍ଲକ ଆଦିବାସୀ କଲ୍ୟାଣ ସଂଘ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁରଙ୍କୁ ସାକ୍ଷାତ କରି ଓବିସି ବର୍ଗର ବ୍ୟକ୍ତି କିଛି ଜମି କିଣି ସେହି ପଟ୍ଟା ବଳରେ ନକଲି ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ହାସଲ କରୁଛନ୍ତି। ଏନେଇ ଅଭିଯୋଗ ହେଲେ ନିଜର ଦୋଷ ଦୁର୍ବଳତା ଲୁଚାଇବାକୁ ଯାଇ ତହସିଲ ପ୍ରଶାସନ ସେମାନଙ୍କ ପୂର୍ବପୁରୁଷଙ୍କ ଜମି ପଟ୍ଟା କିମ୍ବା ଅନ୍ୟାନ୍ୟ ଦଲିଲର ତନଖି ନ କରି କ୍ଲିନ୍ଡିଟ୍ ଦେଉଛନ୍ତି । ଫଳରେ ଆଦିବାସୀ ସମ୍ପ୍ରଦାୟର ମେଧାବୀ ଛାତ୍ରୀଛାତ୍ର ବିଭିନ୍ନ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତରଭା ବ୍ଲକ ଅଞ୍ଚଳରେ ବିଶେଷକରି ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ଏଭଳି ଏକାଧିକ ଅଭିଯୋଗ ହୋଇଥିଲେ ହେଁ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ l ଏଣୁ ସୁବର୍ଣ୍ଣପୁର ଜିଲ୍ଲରେ ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ନେଇ ସୁବର୍ଣ୍ଣପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଅଭିଯୋଗ କରିଛି l ସଂଘ କହିବା ଅନୁସାରେ ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ମଣ୍ଡଳ ଶିକ୍ଷା ଅଧିକାରୀ (ବିଇଓ)ମାନଙ୍କୁ ନକଲି ଶିକ୍ଷକଙ୍କ ରିପୋର୍ଟ ଦେବାକୁ ଶତାଧିକ ଥର ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ କେତେଜଣ ହାତଗଣତି ନକଲି ଶିକ୍ଷକଙ୍କୁ ବାଦ୍ ଦେଲେ ଅନେକ ନକଲି ଶିକ୍ଷକ ଏବେ ବିଭିନ୍ନ ସ୍କୁଲରେ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି। ସେହି ପରି ତରଭା ବ୍ଲକରେ ନକଲି ଶିକ୍ଷକ ଛପି ରହି ଶିକ୍ଷୟିତ୍ରୀ ଓ ଶିକ୍ଷକ ନକଲି ଜାତିଗତ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହୋଇଆସୁଛି । ପ୍ରାଥମିକ ଶିକ୍ଷା ବିଭାଗ ରୁ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଶିକ୍ଷକଙ୍କ ବିରୋଧରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତଦନ୍ତ କରୁନାହାନ୍ତି । ତେଣୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ସୁବର୍ଣ୍ଣପୁର ଆଜି ଉତ୍ତରାଞ୍ଚଳ ରାଜସ୍ବ କମିଶନର ( ସମ୍ବଲପୁର ) ଙ୍କୁ ସମସ୍ତ କାଗଜ ପତ୍ର ହସ୍ତାନ୍ତର କରି ତଦନ୍ତ କରିବା ପାଇଁ ଦାବି କରିଛନ୍ତି। ବାସ୍ତବରେ ଅଭିଯୁକ୍ତ ଶିକ୍ଷକମାନଙ୍କ ପୂର୍ବପୁରୁଷ ଜମି ପଟ୍ଟାଗୁଡ଼ିକର ତନଖି ନ କରି ପଡୋଶୀ ଜିଲ୍ଲା ରୁ କିଛି ଜମି କିଣି ସେଥିରେ ଆଦିବାସୀ ଦର୍ଶାଇ ଆଦିବାସୀ ପ୍ରମାଣପତ୍ର ହାସଲ କରିଥିବା ଅଭିଯୋଗ ହେଉଛି। ତେଣୁ ଆବଶ୍ୟକ କାଗଜପତ୍ର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଉତ୍ତରାଞ୍ଚଳ ରାଜସ୍ବ କମିଶନର ସମ୍ବଲପୁର ପାଖରେ ଦାବିପତ୍ର ପ୍ରଦାନ କରିଥିଲେ ଯଦ୍ୱାରା ନକଲି ଆଦିବାସୀ ଛାନିଆ ହେବେ lଏଥିରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ଯୋଗିନ୍ଦ୍ର ଭୋଇ, ଜିଲ୍ଲା ସଂଯୋଜକ ଅବଧୁତ ଆଡବାଙ୍କ, ତରଭା ବ୍ଲକ ସଭାପତି ବଳଭଦ୍ର କୁଅଁର, ସମ୍ପାଦକ କପୂର୍ଚ୍ଚନ ଭୋଇ, ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ଝାଙ୍କର, ବ୍ଲକ ସଂଯୋଜକ ଗୁଣନିଧି ମାଝୀ, ଜୟସିଂଘ ମାଝୀ, ଦୟାନନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
