February 21, 2026
Home » ଜାତୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ଉତ୍ସବ

ଜାତୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ଉତ୍ସବ

0
WhatsApp Image 2026-01-31 at 3.26.12 PM

 

 

ବରଗଡ଼: ରୋଡ୍ ଆକ୍ସିଡେଣ୍ଟ ସିନାରିଓ–୨୦୨୩ ଅନୁସାରେ, ପ୍ରତିବର୍ଷ ସାରା ପୃଥିବୀରେ ୧୧ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରାଉଛନ୍ତି, ଯେଉଁଥିରେ ଭାରତରେ ପ୍ରତିବର୍ଷ ପ୍ରାୟ ୧ ଲକ୍ଷ ୭୨ ହଜାର ମୃତ୍ୟୁ ଘଟୁଥିବା ବେଳେ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ ୫,୭୦୦ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରାଉଛନ୍ତି। ଏହି ଦୁର୍ବାଘ୍ୟଜନକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସାଧାରଣ ଲୋକଙ୍କ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସାରା ରାଜ୍ୟରେ ଜାନୁୟାରୀ ମାସ ତମାମ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ।ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଆନୁକୂଲ୍ୟରେ ପଥପ୍ରାନ୍ତ ନାଟକ, କଲେଜଗୁଡ଼ିକରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ, ଚକ୍ଷୁ ପରୀକ୍ଷା ଶିବିର, ସ୍କୁଲ୍ ବସ୍‌ର ଫିଟନେସ୍ ଯାଞ୍ଚ, ବ୍ଲାକ୍ ସ୍ପଟ୍ ନିରୀକ୍ଷଣ, ବୋରାହଗଡ଼ା ଟୋଲ୍ ଗେଟ୍‌ରେ ଚାଳକମାନଙ୍କୁ ମାଗଣା ଚା’ ବଣ୍ଟନ ଏବଂ ପର୍ଯ୍ୟଟନ ଓ ପିକନିକ୍ ସ୍ଥଳରେ ପୋଷ୍ଟର ଓ ପ୍ରଚାର ପତ୍ର ବଣ୍ଟନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ଜାରି ରହିଥିବା ସଡ଼କ ସୁରକ୍ଷା ମାସ ଆଜି ବିଭିନ୍ନ ସଚେତନତା ଓ ସାମାଜିକ ସେବାମୂଳକ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଛି।

 

ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମିନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରୁ ଭଟଲି ଛକ ପର୍ଯ୍ୟନ୍ତ ଆୟୋଜିତ ଏକ ବୃହତ୍ ସଡ଼କ ସୁରକ୍ଷା ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏହି ସଚେତନତା ରାଲିରେ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ରୋଡ଼ ସେପ୍ଟି କମିଟିର ସମସ୍ତ ସଦସ୍ୟ ତଥା ଜିଲ୍ଲାସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ଜନ ପ୍ରତିନିଧି ଯୋଗଦେଇ ଡ୍ରାଇଭର ତଥା ଜନସାଧାରଣଙ୍କୁ ଟ୍ରାଫିକ ନିୟମ ଓ ସୁରକ୍ଷିତ ଗାଡି ଚାଳନା ସମ୍ପର୍କରେ ସଚେତନ କରିଥିଲେ। ଏତଦବ୍ୟତୀତ ସ୍ଥାନୀୟ ସଙ୍କଳ୍ପ ପରିବାରର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋନ କରାଯାଇଥିଲା। ସମାଜର ବିଭିନ୍ନ ବର୍ଗର ଲୋକ ଏହି ମହତ କାମରେ ଯୋଡି ହୋଇ ନିଜ ନିଜ ରକ୍ତଦାନ କରିଥିଲେ। ସୂଚନା ମୁତାବକ ଏଥିରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏହାଛଡା ଗୋଲ୍ଡେନ୍ ଆୱର ସମୟରେ ସଡ଼କ ଦୁର୍ଘଟଣା ପୀଡ଼ିତଙ୍କୁ ହସ୍ପିଟାଲକୁ ପହଞ୍ଚାଇ ଜୀବନ ରକ୍ଷା କରିଥିବା ୧୧ ଜଣ ଗୁଡ୍ ସମାରିଟନଙ୍କୁ ସମ୍ମାନିତ କରାଯାଇଥିଲା । ସେମାନେ ହେଲେ ଶ୍ରୀ ପଦ୍ମନାଭ ଦାନସେନା, ଶ୍ରୀ ଅଶ୍ୱିନୀ କୁମାର ଦାଶ, ଶ୍ରୀ ବ୍ୟାସଦେବ ସିଂହ, ଶ୍ରୀ ହୃଦାନନ୍ଦ ସେଠ, ଶ୍ରୀ ଆକାଶ କୁମାର ସାହୁ, ଶ୍ରୀ ରବିଶଙ୍କର ବେହେରା, ଶ୍ରୀ ବିକାଶ କୁମାର ଅଗ୍ରୱାଲ, ଶ୍ରୀ ପ୍ରକାଶ ଚନ୍ଦ୍ର ରଥ, ଶ୍ରୀ ନିତ୍ୟାନନ୍ଦ ବେହେରା, ଶ୍ରୀମତୀ ସଂଘମିତ୍ରା ପଟେଲ ଓ ଶ୍ରୀ ରଞ୍ଜିତ ଦାଶ। ଏହି ଅବସରରେ ସମସ୍ତ ଅତିଥି ଏବଂ ଆଞ୍ଚଳିକ ପରିବହନ ଅଧିକାରୀ ସବୁଆ ମାଝୀ ସାଧାରଣ ଲୋକଙ୍କୁ ଯାତାୟାତ ନିୟମ କଡ଼ାକଡ଼ି ଭାବେ ଅନୁସରଣ କରିବା ଓ ସୁରକ୍ଷିତ ସଡ଼କ ଗଢ଼ିବାରେ ସହଯୋଗ କରିବାକୁ ଅନୁରୋଧ କରିଥିବା ବେଳେ ଡ଼ ଯଶବୀର ସିଂ ସାଇନି ମଞ୍ଚ ପରିଚାଳନା କରିଥିଲେ ।

 

ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍‌ ଏଜେନ୍ସୀ)

Leave a Reply

Your email address will not be published. Required fields are marked *