February 26, 2026
Home » ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ

ଜାନକୀ ବଲ୍ଲଭ ଜନ୍ମ ଶତବାର୍ଷିକୀ ଉତ୍ସବ ମହା ସମାରୋହରେ ପାଳିତ

0
WhatsApp Image 2026-01-04 at 5.47.54 PM

ଭୁବନେଶ୍ୱର :ଓଡ଼ିଶାର ଜସ୍ଵଶି ମୁଖ୍ୟମନ୍ତ୍ରୀ ଥିବା ତଥା ଆସାମର ପୂର୍ବତନ ରାଜ୍ୟପାଳ ଆଧୁନିକ ଓଡ଼ିଶା ନିର୍ମାଣର ପ୍ରମୁଖ ବିନ୍ଧାଣୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ଆଜି ପୂର୍ବାହ୍ନରେ ଭୁବନେଶ୍ୱରର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମହା ସମାରୋହରେ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ଓଡ଼ିଶା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବର୍ଗତ ଜାନକୀ ବଲ୍ଲଭ ଯେଉଁ ଭିତ୍ତିଭୂମି ପକାଇ ଯାଇଥିଲେ ଆଜି ତାହାରି ଉପରେ ସ୍ତମ୍ବ ତିଆରି ହୋଇଛି। ଶିଳ୍ପ ଠାରୁ ଆରମ୍ଭ କରି ଶିକ୍ଷା, ଜଳସେଚନ, ପର୍ଯ୍ୟଟନ ଓ ସେତୁ ନିର୍ମାଣରେ ସେ ଯେଉଁ ଯୁଗାନ୍ତକାରୀ କାର୍ଯ୍ୟ କରିଥିଲେ ତାକୁ ଓଡ଼ିଆ କେବେ ଜାତି ଭୁଲି ପାରିବ ନାହିଁ।


କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ଯୋଗଦେଇ ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ ବୀରାପା ମୋଇଲି କହିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପ୍ରତି ଜଣେ ସମର୍ପିତ ମଣିଷ। ସେ ତାଙ୍କ ଜୀବନ କାଳ ମଧ୍ୟରେ ସକାରାତ୍ମକ ଦିଗ ପ୍ରତି ଅଧିକ ଦୃଷ୍ଟି ଦେଇଥିଲେ। ସେ ଧୈର୍ଯ୍ୟର ଜଣେ ମୂର୍ତ୍ତିମନ୍ତ ପ୍ରତୀକ ଥିଲେ। ୧୪ ବର୍ଷ ଶାସନ କାଳରେ ସେ ଓଡ଼ିଶାର ତଳେ ପଡ଼ିଥିବା ମଣିଷକୁ ସମାଜର ଉଥାନରେ ସାମିଲ କରିବା ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଏବଂ ଜାନକୀ ବଲ୍ଲଭଙ୍କୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।ଆଜିର ସଭାରେ ଉପସ୍ଥିତ ଜନତାଙ୍କୁ ସେ ଏକ ନିବେଦନରେ କହିଥିଲେ ଯେ ଘରେ କାମରେ ଆସୁ ନଥିବା କଂସା ପିତ୍ତଳକୁ ଜାନକୀ ବାବୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ଦାନ କରିବାକୁ ଆହ୍ବାନ ଦେଇଥିଲେ।ବରିଷ୍ଠ କଂଗ୍ରେସ ନେତା ସାଂସଦ ରଣଦିପ ସିଂହ ସୂର୍ଜେୱାଲା ଜାନକୀ ବଲ୍ଲଭଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ତାଙ୍କ ଉପରେ ଦୈବୀ କୃପା ଥିଲା। ସେ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ସଙ୍କଳ୍ପରେ କରୁଥିଲେ। ସେ କେବଳ ଜଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନଥିଲେ ଜାତୀୟ କଂଗ୍ରେସ ଦଳର ଦୁର୍ଦ୍ଧିନର ସାଥୀ ଥିଲେ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କ ଭିଡିଓ ବାର୍ତ୍ତାରେ ଜାନକୀ ବାବୁଙ୍କୁ ଜଣେ ବିଚକ୍ଷଣ ନେତାର ମାନ୍ୟତା ଦେଇଥିଲେ। ଅନ୍ୟତମ ଅତିଥି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଜାନକୀ ବାବୁଙ୍କ ୧୪ ବର୍ଷ ଶାସନ କାଳରେ ରାଜ୍ୟରେ ହୋଇଥିବା ଉନ୍ନତିର ବାର୍ତ୍ତାକୁ ସାଧାରଣ ଜନତା ନିକଟରେ ପହଞ୍ଚାଇବା ଆମ ସମସ୍ତଙ୍କ କାର୍ଯ୍ୟ ବୋଲି ଆହ୍ଵାନ ଦେଇଥିଲେ।ବିଶିଷ୍ଟ ରାଜନେତା ସୁରେଶ କୁମାର ରାଉତରାୟ, ସାମ୍ୟବାଦୀ ନେତା ରାମକୃଷ୍ଣ ପଣ୍ଡା, ଜାନକୀ ବାବୁଙ୍କୁ ଓଡ଼ିଶା ପ୍ରଗତିର ମହାନାୟକ ଭାବେ ବର୍ଣ୍ଣନା କରିଥିଲେ। ସଭାର ପ୍ରାରମ୍ଭରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ଗୋପାଳ ବଲ୍ଲଭ ପଟ୍ଟନାୟକ, ପୂର୍ବତନ କୁଳପତି ଡ଼ ହରେକୃଷ୍ଣ ଶତପଥୀ, ବରିଷ୍ଠ ରାଜନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡେ଼ଇ, ପଞ୍ଚାନନ କାନୁନଗୋ, ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର, ଗୌରହରି ଦାସ ଜାନକୀ ବାବୁଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ପ୍ରତି ଥିବା ଶ୍ରଦ୍ଧାର ପଟାନ୍ତର ନାହିଁ ବୋଲି କହିଥିଲେ।ଜାନକୀ ବଲ୍ଲଭ ସ୍ମୃତି କମିଟିର ସମ୍ପାଦକ ସଞ୍ଜୟ ପଟ୍ଟନାୟକ ଆଗାମୀ ବର୍ଷକ ପାଇଁ ହେବାକୁଥିବା କାର୍ଯ୍ୟକ୍ରମର ସୂଚନା ଦେବା ସହ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ କିମ୍ବା ଏକାମ୍ର କାନନକୁ ଜାନକୀ ବଲ୍ଲଭ ନାମରେ ନାମିତ କରିବା ସହ ସେଠାରେ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ।


ଏହି ସମ୍ପର୍କୀୟ ଏକ ନିବେଦନ ପତ୍ର ପୂର୍ବତନ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ।ଏହି ଅବସରରେ ଜାନକୀ ବାବୁଙ୍କ ୧୪ ବର୍ଷ ଶାସନରେ ଓଡ଼ିଶା ପ୍ରଗତିର ଏକ ବୃତ୍ତ ଚିତ୍ର ପ୍ରଦର୍ଶିତ ହେବା ସହ ନବଜ୍ୟୋତି ପଟ୍ଟନାୟକଙ୍କ ଦ୍ବାରା ସଂକଳିତ ଏକ ପୁସ୍ତକ ଉନ୍ମୋଚନ ହୋଇଥିଲା।ଆଜି ମଞ୍ଚର ସମସ୍ତ କାର୍ଯ୍ୟକ୍ରମକୁ ଡ଼ ଆର୍ୟ୍ଯ କୁମାର ଜ୍ଞାନେନ୍ଦ୍ର ଓ ଡ଼ ମୃତ୍ୟୁଞ୍ଜୟ ରଥ ପରିଚାଳନା କରିଥିଲେ ।

ମଞ୍ଚରେ ଅନ୍ୟମାନଙ୍କ ମଧ୍ୟରେ ଡ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିଳ୍ପପତି ଜେ କେ ମହାନ୍ତି, ଶିଳ୍ପପତି ତାରା ପ୍ରସାଦ ପଟ୍ଟନାୟକ, ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକ, ସାଂସଦ ସପ୍ତଗିରି ଉଳାକା, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଏଆଇସିସି ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଯେଟି କୁସୁମ କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପିସିସି ସଭାପତି ଭକ୍ତ ଚରଣ ଦାସ, ସିପିଏମ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି, ପ୍ରସନ୍ନ ପାଟ୍ଟଶାଣୀ , ବରିଷ୍ଠ ସାମ୍ବାଦିକ ରବି ଦାସ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ।ସ୍ମୃତି କମିଟିର ଉପାଧ୍ୟକ୍ଷ ଅନନ୍ତ ପ୍ରସାଦ ସେଠୀ ମୁଖ୍ୟମନ୍ତ୍ରୀ ଓ ମଞ୍ଚାସିନ ଅଥିମାନଙ୍କୁ ଧନ୍ୟବାଦ୍ ଦେଇଥିବା ବେଳେ , କଟକ ସ୍ମୁତି କମିଟିର ପ୍ରତିଷ୍ଠାତା ସମ୍ପାଦକ ଡ ଗୋବିନ୍ଦ ଭୂୟାଁ ସମସ୍ତ ଜାନକୀ ବଲ୍ଲଭ ପ୍ରେମୀଙ୍କୁ କୃତ୍ୟଜ୍ଞାତା ଜଣାଇଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶାର ବରେଣ୍ୟ ସନ୍ଥ ଶ୍ରୀମଦ୍ ପରମହଂସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ, କଣାସ ମଠର ମହନ୍ତ ଶ୍ରୀ ବାବା ବିଶ୍ବମ୍ବର ଦାସ, ମହାରାଜ ଆଚାର୍ଯ୍ୟ ଧର୍ମରାଜ୍, ଆନନ୍ଦ ଚୈତନ୍ୟ ବ୍ରହ୍ମଚାରୀ ଡ ପ୍ରମୋଦ ଆଚାର୍ଯ୍ୟ ପ୍ରମୁଖ ମଞ୍ଚ ଉପରେ ଶ୍ରୀ ଜଗନ୍ନାଥଙ୍କ ଆଳତି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଆଜିର ସମସ୍ତ କାର୍ଯ୍ୟକ୍ରମକୁ ନବଜ୍ୟୋତି ପଟ୍ଟନାୟକ, ପୃଥ୍ବୀ ବଲ୍ଲଭ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ( କନିଷ୍ଠ), ବିଶ୍ୱଜିତ୍ ଦାଶ, ପୂର୍ବତନ ବିଧାୟକ ଚିନ୍ମୟ ବେଉରା, ଯୋଗିନାଥ ବାହୁବଳେନ୍ଦ୍ର, ମନୋଜ ବିଶ୍ୱାଳ, ସମାଜସେବୀ ବରୁଣରାଜ୍, ରଜନୀ ମହାନ୍ତି ,ଆଲୋକ ମହାନ୍ତି, ସଂଯୋଜକ ଦୀପକ କୁମାର ମହାପାତ୍ର, ମିହିର ଆଚାର୍ଯ୍ୟ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *