ଜିଏସଟି ର ନୂତନ ନିୟମ ପ୍ରଣୟନକୁ ନେଇ ପାରାଦୀପରେ ସଚେତନତା କର୍ମଶାଳା
ପାରାଦୀପ – କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ସେପ୍ଟେମ୍ବର ମାସରେ ଜିଏସଟି ୨.୦ ଟିକସ ହାରରେ ଅହେତୁକ ହ୍ରାସ ବ୍ୟବସ୍ଥା ଏବଂ ଏହାର ନୂତନ ସଂସ୍କାର ମାଧ୍ୟମରେ ସରଳିକରଣ ପ୍ରକ୍ରିୟା ଉପରେ ଏକ କର୍ମଶାଳା ସ୍ଥାନୀୟ ଅଫିସର୍ସ କ୍ଲବ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ବାଣିଜ୍ୟକର ଓ ଦ୍ରବ୍ୟ ସେବାକର ମଣ୍ଡଳ, ଜଗତସିଂହପୁର ଓ ପାରାଦୀପ ବାର ଆସୋସିଏସନ ର ମିଳିତ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ-୨ ର ଅତିରିକ୍ତ କମିଶନର ମୁକ୍ତିକାନ୍ତ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ଯୁଗ୍ମ କମିଶନର ଅକ୍ଷୟ କୁମାର ପଣ୍ଡା, ଶାଖା ଡେପୁଟି କମିଶନର ପ୍ରିତିଶ କୁମାର ପଣ୍ଡା, ପାରାଦୀପ ବନ୍ଦର ଉପ ଅର୍ଥ ପରାମର୍ଶଦାତା ରୁଦ୍ର ନାରାୟଣ ମିଶ୍ର, ପାରାଦୀପ ବାର ଆସୋସିଏସନ ସଭାପତି ତଥା ଓଡିଶା ହାଇକୋର୍ଟ ଏଜିଏ ତପନ କୁମାର ଦାଶ ଓ ପାରାଦୀପ ବାର ଆସୋସିଏସନ ର ଉପସଭାପତି କୈଳାଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କର୍ମଶାଳାରେ ଜିଏସଟି ର ମୁଖ୍ୟ ଉଦ୍ଦେଶ୍ୟ, ଟିକସ ବ୍ୟବସ୍ଥାର ସରଳିକରଣ, ଉପଭୋକ୍ତାଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ହ୍ରାସ ଏବଂ ବ୍ୟବସାୟିକ ପରିବେଶକୁ ଉନ୍ନତ କରିବା ସହିତ ଏହି ସଂସ୍କାର ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରାଯିବା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବହୁ କ୍ଷୁଦ୍ର ମଧ୍ୟମ, ବୃହତ ବ୍ୟବସାୟିକ ପ୍ରତିଷ୍ଠାନ ର ଅଧିକାରୀ, ଆଇନଜୀବୀ, ଚାଟାର୍ଡ଼ ଆକାଉଣ୍ଟାଣ୍ଟ, ମଣ୍ଡଳ ଓ ଶାଖାର ସମସ୍ତ ଅଧିକାରୀ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶେଷରେ କାର୍ଯ୍ୟକ୍ରମ ର ସଫଳତା ପାଇଁ ସହକାରୀ କମିଶନର ପ୍ରବିନ ଦତ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ପାରାଦୀପ ଇପିଏ ରୁ ପ୍ରଶାନ୍ତ ଦାଶଙ୍କ ରିପୋର୍ଟ
