ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳିତ
ମତ୍ସ୍ୟ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳ ଓ ସରକାରୀ ଯୋଜନାର ସଦୁପଯୋଗ ଉପରେ ଗୁରୁତ୍ୱ
କଟକ: ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଆଜି ସର୍ବେକ୍ଷଣ ଓ ମାନଚିତ୍ର ପ୍ରକାଶନ ସଂସ୍ଥାର ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ମତ୍ସ୍ୟଚାଷୀ ଦିବସ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ସୁଶାନ୍ତ ନାୟକ ଓ ମଣ୍ଡଳ ସମବାୟ ନିରୀକ୍ଷକ ଶ୍ରୀ ରମେଶ ସ୍ଵାଇଁ ଓ ସଫଳ ମତ୍ସ୍ୟ ଉଦ୍ୟୋଗୀ ଶ୍ରୀ ସୌରଭ ବିଶ୍ୱାଳ ଯୋଗ ଦେଇ ରାଜ୍ୟ ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ପ୍ରାରମ୍ଭରେ ଉପ-ମତ୍ସ୍ୟ ନିର୍ଦ୍ଦେଶିକା ଶ୍ରୀମତୀ ବବିତା ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଜାତୀୟ ମତ୍ସ୍ୟଚାଷୀ ଦିବସ ପାଳନର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ୧୯୫୭ ମସିହା ଜୁଲାଇ ୧୦ ତାରିଖ ଦିନ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ସରକାରୀ ମାଛଫାର୍ମରେ କାର୍ପ ମାଛର କୃତ୍ରିମ ପ୍ରଜନନ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଥିଲା । ଏହି ମହତ୍ଵପୂର୍ଣ୍ଣ ଐତିହାସିକ ସଫଳତାକୁ ମନେ ରଖିବା ପାଇଁ ପ୍ରତି ବର୍ଷ ରେ ଜୁଲାଇ ୧୦ ତାରିଖକୁ ସାରା ଭାରତରେ ଜାତୀୟ ମତ୍ସ୍ୟଜୀବୀ ଦିବସ ରୂପେ ପାଳନ କରାଯାଉଛି । ରାଜ୍ୟର ପ୍ରଗତି ଓ ବିକାଶରେ ମତ୍ସ୍ୟଜୀବୀ / ମତ୍ସ୍ୟଚାଷୀ / ମତ୍ସ୍ୟ ଉଦ୍ୟୋଗୀ / ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତ୍ସ୍ୟ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଅବଦାନକୁ ସ୍ମରଣ କରିବା ସହ ଆଧୁନିକ ଜ୍ଞାନ କୌଶଳର ପ୍ରସାର ଓ ପରିବେଶକୁ ସୁରକ୍ଷିତ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଅଟେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ମତ୍ସ୍ୟଚାଷୀମାନଙ୍କୁ ଅବଗତ କରାଯାଇଥିଲା । ଏଥିସହ ଜିଲ୍ଲାର ୫୦ରୁ ଉର୍ଦ୍ଧ୍ଵ ମତ୍ସ୍ୟଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ଜିଲ୍ଲାର ଅଗ୍ରଣୀ ମତ୍ସ୍ୟଚାଷୀ ଓ ସଫଳ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ଶ୍ରୀମତୀ ସଞ୍ଜନା ସାମଲ, ସହକାରୀ ମତ୍ସ୍ୟ ଅଧିକାରୀ,ମୁଖ୍ୟ କାର୍ଯ୍ୟାଳୟ ଧନ୍ୟବାଦ ଅର୍ପଣ କରିଥିଲେ ।
cuttack ru lalita das nka report
