ଜିଲ୍ଲାସ୍ତରୀୟ ୭୬ତମ ସମ୍ବିଧାନ ଦିବସ ପାଳିତ
ବରଗଡ଼: ଭାରତୀୟ ଗଣତନ୍ତ୍ରର ଭିତିସ୍ଥମ୍ଭ ଭାବେ ପରିଚିତ ‘ସମ୍ବିଧାନ’ ଗୃହୀତ ହେବାର ଐତିହାସିକ ଦିନଟିର ଗୁରୁତ୍ୱକୁ ସ୍ମୃତିଚାରଣ କରିବା ସହ ଦେଶଭକ୍ତି, ସାମାଜିକ ଜାଗୃତି ଏବଂ ଗଣତାନ୍ତ୍ରିକ ଆଦର୍ଶସମୂହ ବଜାଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତଥା ବରଗଡ଼ ଜିଲ୍ଲା ପରିଷଦ ଆନୁକୂଲ୍ୟରେ ୭୬ତମ ‘ସମ୍ବିଧାନ ଦିବସ’ ଉତ୍ସାହ ଉଦିପନାର ସହିତ ପାଳନ କରାଯାଇଛି ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମନିନୀ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତୀୟ ସମ୍ବିଧାନକୁ ଏକ ଜୀବନ୍ତ ଗ୍ରନ୍ଥି ଭାବେ ବର୍ଣ୍ଣନା କରିବା ସହ ଏହାର ଗୁଣଗୃହାଣ ଓ ପ୍ରାୟୋଗିକ ସାର୍ଥକତାର ଅବଶ୍ୟକତା ଉପରେ ଆଲୋକପାତ କରି ସମ୍ବିଧାନ ଆମକୁ ଯେଉଁ ଅଧିକାର ପ୍ରଦାନ କରେ, ନାଗରିକ ଭାବରେ ସେଗୁଡିକୁ ସମସ୍ତେ ପାଳନ କରିବା ପାଇଁ ସମସ୍ତଙ୍କ କର୍ତ୍ତବ୍ୟ କହିଥିଲେ।

ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଲାଟ କୁମାର ଲୁହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଭରତୀୟ ସମ୍ବିଧାନର ସୃଜନ ଇତିହାସ ଓ ଏହାର ମୂଳ ଆଦର୍ଶ ‘ଗଣତନ୍ତ୍ରୀୟ ଭାବନା’ କେମିତି ଗ୍ରାମ୍ୟ ଶାସନ ବ୍ୟବସ୍ଥାରେ ସଫଳତାର ସହିତ ପ୍ରୟୋଗ ହେବା ଉଚିତ— ତାହା ଉପରେ ଗଭୀର ଭାବରେ ଆଲୋକପାତ କରି ସମସ୍ତ ଗ୍ରାମପଞ୍ଚାୟତରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ସରକାରୀ ପ୍ରଶାସନରେ ପାରଦର୍ଶିତା, ଦାୟୀତ୍ବବୋଧ ଓ ନୀତିଶାସ୍ତ୍ରର ଅବିଛିନ୍ନ ଭୂମିକାକୁ ବର୍ଣନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଇଓ (ଅର୍ଥ) ଶ୍ରୀ ଉମେଶ ଚନ୍ଦ୍ର ବାଘ, ସମ୍ବିଧାନୀୟ ଶାସନ ଓ ଆର୍ଥିକ ପ୍ରଶାସନରେ ନୀତି ନିୟମର ପାଳନ କିପରି ପ୍ରଶାସନର ସୁନିଶ୍ଚିତ ପରିଚାଳନାକୁ ସହଜ କରେ ସେ ବିଷୟରେ ଆଲୋଚନା କରିଥିଲେ।

ମୁଖ୍ୟ ଵକ୍ତା ଭାବେ ପାର୍ବତିଗିରି ମହିଳା ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀମତୀ ମଧୁସ୍ମିତା ନନ୍ଦ ଯୋଗ ଦେଇ ଭାରତୀୟ ସମ୍ବିଧାନର ଐତିହାସିକ ପୃଷ୍ଠଭୂମି, ଏହାର ମୂଳ ଦାର୍ଶନିକ ଧାରା, ଡ଼°. ଅମ୍ବେଦକରଙ୍କ ଆଧୁନିକ ଭାରତ ଗଠନର ସ୍ୱପ୍ନ ଓ ଆଜିର ପିଢ଼ି ପାଇଁ ତାହାର ପ୍ରାସଙ୍ଗିକତାକୁ ବିଷଦ ଭାବରେ ଉପସ୍ଥାପନ କରିଥିଲେ।

ଏହି ଅବସରରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ଗ୍ରାମ ପଞ୍ଚାୟତର ସରପଞ୍ଚ , ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଉପସ୍ଥିତ ରହି ଭାରତୀୟ ସମ୍ବିଧାନର ପ୍ରସ୍ତାବନାର ସମୂହ ପାଠ କରିବା ସହ ନ୍ୟାୟ, ସ୍ୱାଧୀନତା, ସମତା ଓ ଭାତୃତ୍ୱ ପ୍ରତି ସମସ୍ତଙ୍କ ଅନୁଭବପୂର୍ଣ୍ଣ ଅଙ୍ଗୀକାର ପୁନରୁଚ୍ଚାରିତ କରିଥିଲେ।
ବରଗଡ ଜିଲ୍ଳା ପ୍ରତିନିଧି ଇପିଏରୁ କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ(ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
