ଜୟା ହୋଟେଲରେ ମଟନ ତରକାରୀରେ ଗୋ ମାଂସ

ପୁରୀ ସତ୍ୟବାଦୀ କଲେଜ ଛକରେ ଥିବା ଜୟା ହୋଟେଲରେ ମଟନ ତରକାରୀରେ ଗୋ ମାଂସ ମିଶାଯାଇ ଗ୍ରାହକଙ୍କୁ ବିକ୍ରି କରାଯାଉଛି। କେବଳ ସେତିକି ନୁହେଁ ପୁରୀ ସହର ସମେତ ପୁରୀ ଜିଲ୍ଲାରେ ମଧ୍ୟ ବିଭିନ୍ନ ଢ଼ାବା ଏବଂ ହୋଟେଲରେ ଗ୍ରାହକଙ୍କୁ ମଟନ ତରକାରୀରେ ଗୋ ମାଂସ ମିଶାଯାଇ ବିକ୍ରି କରାଯାଉଛି। ତେବେ ପୁରୀ ଜିଲ୍ଲାର ବିଭିନ୍ନ ଢାବା ଏବଂ ହୋଟେଲରେ ମଟନ ସହିତ ଗୋ ମାଂସ ମିଶାଯାଇ ବିକ୍ରି ହେଉଥିବା ଜଣେ ଯୁବକଙ୍କ ଭିଡିଓ ଭାଇରାଲ୍ ହେବା ପରେ ତତ୍ପର ହୋଇ ଉଠିଛି ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ। ଏହି ଘଟଣାକୁ ନେଇ ଯେଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ ସେଥିପାଇଁ ସତ୍ୟବାଦୀ କଲେଜ ଛକରେ ଥିବା ଜୟା ହୋଟେଲକୁ ସିଲ୍ କରିଛି ପୁରୀ ଜିଲ୍ଲା ପ୍ରଶାସନ। ହୋଟେଲରେ ଥିବା ମଟନ ତରକାରୀ କୁ ପରୀକ୍ଷା ପାଇଁ ରାଜ୍ୟ ପରୀକ୍ଷାଗାର କୁ ପଠାଯାଇଛି। ପରୀକ୍ଷାଗାର ରୁ ଏନେଇ କୌଣସି ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଜୟା ହୋଟେଲକୁ ସିଲ୍ କରାଯାଇଥିବା ବେଳେ ହୋଟେଲ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି। ପୁରୀ ଭଳି ଏକ ଆଧ୍ୟାତ୍ମିକ ଅଞ୍ଚଳରେ ବିଭିନ୍ନ ଢ଼ାବାରେ ଗୋ ମାଂସ ବିକ୍ରୀ ହେଉଥିବା ଅଭିଯୋଗ ଆସିବା ପରେ ବୁଦ୍ଧିଜୀବୀ ଏବଂ ଶ୍ରୀମନ୍ଦିର ସେବାୟତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ହୀନ ଏବଂ ବେଆଇନ୍ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ, ସେବାୟତ। ଗତକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା।
ଜଣେ ଯୁବକଙ୍କୁ କିଛି ଯୁବକ ଅଟକ ରଖି ପୁରୀ ଜିଲ୍ଲାର କେଉଁ କେଉଁ ଅଞ୍ଚଳରେ ଗୋ ମାଂସ ବିକ୍ରୀ ହେଉଛି ତାହା ପଚାରିଥିଲେ। ଅଟକ ଥିବା ଯୁବକ ସତ୍ୟବାଦୀର ଜୟା ହୋଟେଲ ସହିତ ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ ଓ ଢ଼ାବା କୁ ଗୋ ମାଂସ ଚାଲାଣ ହେଉଥିବା ଏବଂ ଏହାକୁ ମଟନ ତରକାରୀ ରେ ମିଶାଯାଇ ଗ୍ରାହକଙ୍କୁ ଦିଆଯାଉଥିବା ଭିଡିଓ ରେ ସ୍ବିକାର କରିଛନ୍ତି। ଏହି ଗୋ ମାଂସ ବିକ୍ରୀ ପଛରେ କିଛି ବ୍ୟକ୍ତି, ସତ୍ୟବାଦୀ ପୋଲିସ ସାମିଲ୍ ଥିବା ଅଟକ ଥିବା ଯୁବକ ଏହି ଭିଡିଓରେ କହୁଥିବା ସ୍ପଷ୍ଟ ଜଣାପଡ଼ିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା ଆଶଙ୍କା କରାଯାଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସତ୍ୟବାଦୀର ଜୟା ହୋଟେଲକୁ ସିଲ୍ କରାଯାଇଥିବା ବେଳେ ଭାଇରାଲ୍ ଭିଡ଼ିଓରେ ଯୁବକ ଜଣକ ଗୋ ମାଂସ ବିକ୍ରୀ କରୁଥିବା କହିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ସେହିପରି ସତ୍ୟବାଦୀ ଥାନା ଅଧିକାରୀଙ୍କୁ ପୁରୀ ଏସପି ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି। ଘଟଣା ଉପରେ ପୋଲିସର ତଦନ୍ତ ଜାରୀ ରହିଥିବା ବେଳେ ପ୍ରମାଣ ମିଳିଲେ ଦୋଷୀ ବ୍ୟକ୍ତିଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁରୀ ଏସପି ଏବଂ ଜିଲ୍ଲାପାଳ କହିଛନ୍ତି। ପୁରୀ ଭଳି ଏକ ତୀର୍ଥକ୍ଷେତ୍ରରେ ବିଭିନ୍ନ ହୋଟେଲ ଏବଂ ଢାବାରେ ଗୋ ମାଂସ ବିକ୍ରୀ ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଆଗାମୀ ଦିନରେ ବଡ଼ ଧରଣର ଆଇନଶୃଂଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଣୁ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ଏହି ସମ୍ବେଦନଶୀଳ ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରି ଘଟଣାର ସତ୍ୟାସତ୍ୟ ଉନ୍ମୋଚନ କରିବା ଉଚିତ୍। ସେହିପରି ବେଆଇନ୍ ଗୋ ମାଂସ ବିକ୍ରୀ ଓ ଗୋ ଚାଲାଣ ବିରୁଦ୍ଧରେ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ନେବାର ମଧ୍ୟ ଆବଶ୍ୟକତା ରହିଛି।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )