August 8, 2026
Home » ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

0
WhatsApp Image 2026-08-08 at 2.15.54 PM (3)

ପଞ୍ଚାନନପୁର ଘଟଣାରେ ୫ ଗିରଫ, କୋର୍ଟ ଚାଲାଣ କଲା ଯୋଡ଼ା ପୁଲିସ
ଯୋଡ଼ା: ଅନ୍ଧବିଶ୍ୱାସ ଓ କୁସଂସ୍କାରର କୁପ୍ରଭାବ ଏବେ ବି ସମାଜରୁ ସମ୍ପୂର୍ଣ୍ଣ ଦୂର ହୋଇନାହିଁ।ଡାହାଣୀ କିମ୍ବା ଗୁଣିଗାରେଡ଼ି କରୁଥିବା ଭଳି ସନ୍ଦେହକୁ ଆଧାର କରି ଜଣେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି। ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଯୋଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନା ଅନୁଯାୟୀ, ଯୋଡ଼ା ଥାନା ଅଧୀନ ଆସେଇଁକଳା ପଞ୍ଚାୟତର ପଞ୍ଚାନନପୁର ଗ୍ରାମର ୫୮ ବର୍ଷୀୟା ସରୁ ମୁଣ୍ଡାଙ୍କୁ କିଛି ଲୋକ ଡାହାଣୀ ଓ ଗୁଣିଗାରେଡ଼ି କରୁଥିବା ସନ୍ଦେହ କରିଥିଲେ। ପ୍ରାୟ ୪ରୁ ୫ ଦିନ ପୂର୍ବରୁ ଏହି ସନ୍ଦେହକୁ କେନ୍ଦ୍ର କରି ତାଙ୍କ ସହ ଗାଳିଗୁଲଜ କରାଯାଇଥିବା ଏବଂ ପରେ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଆକ୍ରମଣରେ ସରୁ ମୁଣ୍ଡା ଆହତ ହୋଇଥିବା ଜଣାପଡ଼ିଛି। ଘଟଣା ପରେ ସେ ଯୋଡ଼ା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ ସମୟରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପଞ୍ଚାନନପୁର ଗ୍ରାମର ୫ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ବିରୋଜ ମୁଣ୍ଡା (୨୩), ଏମ୍‌.ଏଲ୍‌. ତୁରୀ ମୁଣ୍ଡା (୩୧), କ୍ରିଷ୍ଣ ଗାଗରାଇ/ମୁଣ୍ଡା (୨୯), ଗେରାସ ମୁଣ୍ଡା (୩୫) ଓ ଦିଗରାଜ ଗାଗରାଇ/ମୁଣ୍ଡା (୩୫)।
ଏହି ଘଟଣାକୁ ନେଇ ଯୋଡ଼ା ଥାନାରେ କେସ୍‌ ନମ୍ବର ୨୫୯/୨୦୨୬ ରୁଜୁ ହୋଇଛି। ପୁଲିସ ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ବିରୋଧରେ ବିଏନ୍‌ଏସ୍‌ର ଧାରା ୩୩୩, ୧୧୫(୨), ୭୪, ୧୦୯(୧), ୩୫୧(୩), ୪୯୩(୫) ସମେତ ଓଡ଼ିଶା ପ୍ରିଭେନସନ୍‌ ଅଫ୍‌ ୱିଚ୍‌ ହଣ୍ଟିଂ ଆକ୍ଟରେ ମାମଲା ରୁଜୁ ହୋଇଛି। ଗିରଫ ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଡାହାଣୀ ସନ୍ଦେହ ଭଳି କୁସଂସ୍କାର ଅନେକ ସମୟରେ ନିରୀହ ଲୋକଙ୍କ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି। ଏଭଳି ଅଭିଯୋଗକୁ ଆଧାର କରି କାହାରି ଉପରେ ଆକ୍ରମଣ କିମ୍ବା ନିର୍ଯାତନା କରିବା ଆଇନ ବିରୋଧୀ। ତେଣୁ ଅନ୍ଧବିଶ୍ୱାସ ଦୂରୀକରଣ ସହିତ ଗ୍ରାମାଞ୍ଚଳରେ ଆଇନ ସଚେତନତା ବଢ଼ାଇବା ଆବଶ୍ୟକ। ପଞ୍ଚାନନପୁର ଘଟଣା ଅନ୍ଧବିଶ୍ୱାସ ବିରୋଧରେ ସମାଜରେ ଅଧିକ ସଚେତନତାର ଆବଶ୍ୟକତାକୁ ପୁଣିଥରେ ପ୍ରମାଣ କରୁଛି ।

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।

Leave a Reply

Your email address will not be published. Required fields are marked *