ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଅମାନବୀୟ,ନୃଶଂସ ଆକ୍ରମଣର ପ୍ରତିବାଦରେଏଆଇଡିଏସଓ ଓ ଡିୱାଇଓର ବିକ୍ଷୋଭ
ବ୍ରହ୍ମପୁର,: ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଅମାନବୀୟ,ନୃଶଂସ ଆକ୍ରମଣର ପ୍ରତିବାଦରେ ତଥା ଏନ ଟି ଏ କୁ ରଦ୍ଦ କରିବା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି ଖଲ୍ଲିକୋଟ ବିଶ୍ଵବିଦ୍ୟାଳୟ ସମ୍ମୁଖରେ ଏଆଇଡିଏସଓ ଓ ଡିୱାଇଓର ନେତୃତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗତ ଏକ ମାସରୁ ଅଧିକ ସମୟ ଧରି ଏନ୍ଟିଏ (NTA) ଦ୍ୱାରା ଘଟିଥିବା ପ୍ରଶ୍ନପତ୍ର ଲିକ୍ ଏବଂ ଦୁର୍ନୀତି ବିରୋଧରେ ଦେଶର ଛାତ୍ରଛାତ୍ରୀ, ଯୁବକ-ଯୁବତୀ, ଅଭିଭାବକ ଓ ସାଧାରଣ ଜନତା, ଏହି ଘଟଣା ଉଚ୍ଚ ସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଦତ୍ୟାଗ କରିବା ଏବଂ ଏନ୍ଟିଏକୁ ଅବିଳମ୍ବେ ବିଲୋପ କରିବା ଦାବିରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଅବିରତ ଆନ୍ଦୋଳନ କରିଆସୁଛନ୍ତି। ଏହି ଦାବିଗୁଡ଼ିକୁ ନେଇ ବିଶିଷ୍ଟ ବୈଜ୍ଞାନିକ ଓ ପରିବେଶବିତ ସୋନମ ୱାଙ୍ଗଚୁକ ଏବଂ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କ ଆମରଣ ଅନଶନ ହେଉଛି ଦେଶର ଛାତ୍ର ସମାଜ, ଅଭିଭାବକ ଏବଂ ଶିକ୍ଷାପ୍ରେମୀ ଜନଗଣଙ୍କ ମଧ୍ୟରେ ବଢ଼ୁଥିବା କ୍ଷୋଭର ଏକ ସ୍ପଷ୍ଟ ପ୍ରତିଫଳନ। ଆନ୍ଦୋଳନର ଧାରାବାହିକରେ ଏହି ସମସ୍ତ ଦାବି ନେଇ ଗତ ଜୁଲାଇ ୨୦ ତାରିଖରେ ଦିଲ୍ଲୀ, ଜନ୍ତରମନ୍ତରରୁ ସଂସଦ ଯାତ୍ରା ସମୟରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଅମାନବୀୟ ଓ ନୃଶଂସ ଭାବେ ଆକ୍ରମଣ କରିଛି। ଆଜିକୁ ୨୬ ଦିନ ଧରି ଆନ୍ଦୋଳନ ଜାରି ରହିଥିବାବେଳେ ସେମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାଁନ୍ତି।ଏହି କାର୍ଯ୍ୟ କେବଳ ଅଗଣତାନ୍ତ୍ରିକ ନୁହେଁ, ବରଂ ନିଜ ଦେଶର ନାଗରିକଙ୍କ ପ୍ରତି ସରକାରଙ୍କ ସ୍ୱେଚ୍ଛାଚାରୀ ଓ ଅମାନବୀୟ ମନୋଭାବର ପରିଚୟ ଦେଉଛି।ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଓ ପୁଲିସ ପ୍ରଶାସନର ଏହି ପଦକ୍ଷେପକୁ ଏଆଇଡିଏସଓ ଓ ଏଆଇଡିୱାଇଓ ତୀବ୍ର ନିନ୍ଦା କରିବାସହ ଦେଶର ସମସ୍ତ ନାଗରିକଙ୍କୁ, ବିଶେଷକରି ଛାତ୍ର ସମାଜକୁ, ସାହସର ସହ ଆଗକୁ ଆସି ଚାଲିଥିବା ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ଆହ୍ୱାନ ଦେଇଛି। ସରକାର ଭିନ୍ନମତର ସ୍ୱରକୁହ ଦମନ କରିବା ବନ୍ଦ କରନ୍ତୁ ଏବଂ ସୋନମ ୱାଙ୍ଗଚୁକ ଓ ଆନ୍ଦୋଳନକାରୀଙ୍କ ସହ ତୁରନ୍ତ ଆଲୋଚନା ଆରମ୍ଭ କରନ୍ତୁ ବୋଲି ଦୃଢ଼ ଦାବି ଉପସ୍ଥାପନ କରିଛି।ଆଜିକାର କାର୍ଯ୍ୟକ୍ରମରେ ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରା, ଗଞ୍ଜାମ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ସମ୍ପାଦକ ନାରାୟଣ ସାହୁ, ଉପସଭାପତି ଜିଲ୍ଲା କୋଷାଧ୍ୟକ୍ଷ କିସାନ କୁମାର ସାହୁ,ସଭ୍ୟ କାମରାଜ ସାହୁ, ବାମିଆ କୁମାର, ଜଗନ୍ନାଥ ବେହେରା ଏଆଇଡିୱାଇଓର ଜିଲ୍ଲା ନେତୃତ୍ୱ ବିଭୂତି ଭୂଷଣ ସାହୁ, ଅନିଲ ସାହୁ, ସମର ବେହେରା ପ୍ରମୁଖ ନେତୃତ୍ୱ ଦେଇଥିଲେ ।
brahmpur ru narasingh dakua nka report
