June 27, 2026
Home » ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି

ଦେବସ୍ନାନ ପୂର୍ଣ୍ଣିମା-୨୦୨୬ ଉପଲକ୍ଷେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ସମୀକ୍ଷା କଲେ ଆଇଜିପି, ସେଣ୍ଟ୍ରାଲ ରେଞ୍ଜ ଏବଂ ପୁରୀ ଏସ୍‌ପି

0
Screenshot 2026-06-27 152550

 

ଆସନ୍ତା ୨୯ ଜୁନ ରେ ପାଳିତ ହେବାକୁ ଥିବା ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶାନ୍ତିଶୃଙ୍ଖଳା, ସୁରକ୍ଷା ଓ ସୁଚାରୁ ଟ୍ରାଫିକ ପରିଚାଳନା ସୁନିଶ୍ଚିତ କରିବା ନିମନ୍ତେ , ଆଇପିଏସ୍, ପୋଲିସ ମହାନିରୀକ୍ଷକ (ଆଇଜିପି) ସେଣ୍ଟ୍ରାଲ ରେଞ୍ଜ,ସତ୍ୟଜିତ୍ ନାୟକ, ପୁରୀ ଜିଲ୍ଲା ପୋଲିସ ଅଧୀକ୍ଷକ ପ୍ରତୀକ ସିଂ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାର ବିସ୍ତୃତ ସମୀକ୍ଷା କରିଛନ୍ତି।ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ସୁରକ୍ଷା ବ୍ୟବସ୍ଥା, ଟ୍ରାଫିକ ପରିଚାଳନା, ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସହାୟତା ଓ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। କ୍ଷେତ୍ରସ୍ତରରେ ନିୟୋଜିତ ପୋଲିସ ବାହିନୀର ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରାଯାଇ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସର୍ବୋଚ୍ଚ ସତର୍କତା ଏବଂ ତତ୍ପରତାର ସହିତ କାର୍ଯ୍ୟ ନିର୍ବାହ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ୩ରୁ ୪ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁ ପୁରୀ ଆସି ଚତୁର୍ଦ୍ଧା ମୂର୍ତ୍ତି—ମହାପ୍ରଭୁ ଶ୍ରୀଜଗନ୍ନାଥ, ମହାପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପବିତ୍ର ସ୍ନାନଯାତ୍ର ଦର୍ଶନ କରିବେ ବୋଲି ଆକଳନ କରାଯାଇଛି।

ଶ୍ରଦ୍ଧାଳୁମାନଙ୍କ ପାଇଁ ନିରାପଦ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବା ନିମନ୍ତେ ୨୮ ଜୁନ ରାତ୍ରିଠାରୁ ପୋଲିସ ପକ୍ଷରୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୪ ଜଣ କମାଣ୍ଡାଣ୍ଟ/ଏସ୍‌ପି ପାହ୍ୟାର ଅଧିକାରୀ, ୧୪ ଜଣ ଅତିରିକ୍ତ ଏସ୍‌ପି/ଡେପୁଟି କମାଣ୍ଡାଣ୍ଟ, ୩୧ ଜଣ ଡିଏସ୍‌ପି/ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୮୩ ଜଣ ଇନ୍ସପେକ୍ଟର/ସବ୍‌-ଇନ୍ସପେକ୍ଟର, ୩୪୦ ଜଣ ଏସ୍‌ଆଇ/ଏଏସ୍‌ଆଇ ଏବଂ ୭୯ ପ୍ଲାଟୁନ ପୋଲିସ ବାହିନୀ ସହ ବିଭିନ୍ନ ସ୍ୱତନ୍ତ୍ର ସୁରକ୍ଷା ୟୁନିଟ୍ ନିୟୋଜିତ ହେବେ।

ଏହି ସୁରକ୍ଷା ବ୍ୟବସ୍ଥା ଏକ ଛଅ-ଦଫା କାର୍ଯ୍ୟଯୋଜନା ଉପରେ ଆଧାରିତ। ଯାହାରେ ସାମିଲ ରହିଛି—

* ଶ୍ରୀଜଗନ୍ନାଥ ମନ୍ଦିର ଭିତର ଓ ବାହାରେ ଜନସମାଗମ ନିୟନ୍ତ୍ରଣ।
* ଟ୍ରାଫିକ ଓ ପାର୍କିଂ ପରିଚାଳନା।
* ସୁରକ୍ଷା ବ୍ୟବସ୍ଥା ଏବଂ ଭିଆଇପି ସୁରକ୍ଷା।
* ଶ୍ରଦ୍ଧାଳୁ ସହାୟତା ଓ ଜନସେବା।
* ଜରୁରୀକାଳୀନ ପ୍ରତିକ୍ରିୟା ଓ ବିପର୍ଯ୍ୟୟ ପରିଚାଳନା।
* ବିଭିନ୍ନ ବିଭାଗ ମଧ୍ୟରେ ଫଳପ୍ରଦ ସମନ୍ୱୟ ଓ ତଦାରଖ।

ସେକ୍ଟରଭିତ୍ତିକ ପୋଲିସ ମୁତୟନ, ଏକମୁଖୀ ଯାତାୟାତ ବ୍ୟବସ୍ଥା, ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ବ୍ୟାରିକେଡିଂ, ଷ୍ଟ୍ରାଇକିଂ ଫୋର୍ସ ନିୟୋଜନ ଏବଂ ଭିଡ଼ର ନିରନ୍ତର ତଦାରଖ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାତାୟାତ ସୁଚାରୁ କରିବା ପାଇଁ ଟ୍ରାଫିକ ଡାଇଭର୍ସନ, ନିର୍ଦ୍ଧାରିତ ପାର୍କିଂ ସ୍ଥାନ ଏବଂ ପୃଥକ ପ୍ରବେଶ ଓ ପ୍ରସ୍ଥାନ ପଥର ବ୍ୟବସ୍ଥା କରାଯାଇଛି।

ଏହାବ୍ୟତୀତ କ୍ୱିକ୍ ଆକ୍ସନ ଟିମ୍ (QAT), ସ୍ନିଫର ଡଗ୍ ସ୍କ୍ୱାଡ୍, ରୁଫ୍‌ଟପ୍ ନଜରଦାରି, ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର (ICCC) ମାଧ୍ୟମରେ ନିରୀକ୍ଷଣ, ଆଣ୍ଟି-ସାବୋଟାଜ୍ ଯାଞ୍ଚ ଏବଂ ସାମୁଦ୍ରିକ ସୁରକ୍ଷା ବ୍ୟବସ୍ଥାକାର୍ଯ୍ୟକାରୀ କରାଯାଇଛି। ସେହିପରି ହେଲ୍ପ ଡେସ୍କ, ପୋଲିସ କଣ୍ଟ୍ରୋଲ ରୁମ୍ (PCR), ଚିକିତ୍ସା ସହାୟତା କେନ୍ଦ୍ର ଏବଂ ବରିଷ୍ଠ ନାଗରିକ, ମହିଳା, ଶିଶୁ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ବ୍ୟବସ୍ଥା ଉପଲବ୍ଧ ରହିବ।

ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ଡଃ ସତ୍ୟଜିତ ନାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି,
ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଶୃଙ୍ଖଳା, ବୃତ୍ତିଗତ ଦକ୍ଷତା ଓ ଜନସେବାର ମନୋଭାବ ସହ କର୍ତ୍ତବ୍ୟ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ ଭକ୍ତଙ୍କ ନିରାପଦ, ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମହାପ୍ରଭୁଙ୍କ ଦର୍ଶନ କରିପାରିବା ହିଁ ଓଡ଼ିଶା ପୋଲିସର ପ୍ରମୁଖ ଲକ୍ଷ୍ୟ। ସମସ୍ତ ଶ୍ରଦ୍ଧାଳୁଙ୍କୁ ପୋଲିସ ପ୍ରଶାସନ ସହ ସହଯୋଗ କରିବା, ଟ୍ରାଫିକ ଓ ସୁରକ୍ଷା ପରାମର୍ଶ ପାଳନ କରିବା, ନିର୍ଦ୍ଧାରିତ ମାର୍ଗ ଓ ପାର୍କିଂ ସ୍ଥାନ ବ୍ୟବହାର କରିବା, ନିଷିଦ୍ଧ ସାମଗ୍ରୀ ସାଙ୍ଗରେ ନ ଆଣିବା ଏବଂ କୌଣସି ସନ୍ଦେହଜନକ ଘଟଣା ଦେଖିଲେ ତୁରନ୍ତ ନିକଟସ୍ଥ ପୋଲିସ କର୍ମଚାରୀ କିମ୍ବା ହେଲ୍ପ ଡେସ୍କକୁ ଅବଗତ କରିବାକୁ ମୁଁ ନିବେଦନ କରୁଛି।

ପୁରୀ ପୋଲିସ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ ନିଜ ପ୍ରତିକ୍ରିୟାରେ କହିଛନ୍ତି,
ଦେବସ୍ନାନ ପୂର୍ଣ୍ଣିମାର ସୁରକ୍ଷା, ସୁଚାରୁ ଟ୍ରାଫିକ ପରିଚାଳନା ଓ ଯେକୌଣସି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାରର ବ୍ୟାପକ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି।
ଓଡ଼ିଶା ପୋଲିସ ଦେବସ୍ନାନ ପୂର୍ଣ୍ଣିମା–୨୦୨୬କୁ ସମସ୍ତ ଭକ୍ତଙ୍କ ପାଇଁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଆଧ୍ୟାତ୍ମିକ ପରିବେଶରେ ସମ୍ପନ୍ନ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *