October 28, 2026
Home » ଦେବୋତ୍ତର କଲୋନୀରେ ସରକାରୀ ଜମି ଜବରଦଖଲ ଓ ବେଆଇନ ନିର୍ମାଣ ମାମଲାରେ ଶୁଣାଣିରେ ସାମିଲ ହେବାକୁ ପ୍ରମୋଦ ପଟ୍ଟନାୟକଙ୍କ ଦାବି

ଦେବୋତ୍ତର କଲୋନୀରେ ସରକାରୀ ଜମି ଜବରଦଖଲ ଓ ବେଆଇନ ନିର୍ମାଣ ମାମଲାରେ ଶୁଣାଣିରେ ସାମିଲ ହେବାକୁ ପ୍ରମୋଦ ପଟ୍ଟନାୟକଙ୍କ ଦାବି

0
1001302379
ନୟାଗଡ  ( ଇପିଏ ) ନୟାଗଡ଼ ସହରର ଦେବୋତ୍ତର କଲୋନୀସ୍ଥିତ ନବୀନ କଲ୍ୟାଣ ମଣ୍ଡପ ନିକଟରେ ଥିବା ସରକାରୀ ଜମିରେ ହୋଇଥିବା ଅନଧିକୃତ ଜବରଦଖଲ ଓ ବେଆଇନ ନିର୍ମାଣ ସମ୍ପର୍କରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିବା ପ୍ରମୋଦ ପଟ୍ଟନାୟକ ଏହି ମାମଲାରେ ହେବାକୁ ଥିବା ଶୁଣାଣିରେ ନିଜକୁ ପକ୍ଷଭୁକ୍ତ କରିବା ସହ ନିଜର ପକ୍ଷ ରଖିବା ପାଇଁ ନୟାଗଡ଼ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ଲିଖିତ ଦାବି ଜଣାଇଛନ୍ତି।
        ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ନୟାଗଡ଼ ଉପଜିଲ୍ଲାପାଳ ୦୫.୧୦.୨୦୨୬ ତାରିଖରେ ଉକ୍ତ ଅନଧିକୃତ ଜବରଦଖଲ ଓ ନିର୍ମାଣ ହଟାଇବା ସମ୍ପର୍କରେ ଆଦେଶ ଜାରି କରିଥିଲେ। ଏହି ଆଦେଶକୁ ଶ୍ରୀକାନ୍ତ କୁମାର ଖଟେଇ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ W.P.(C) No. 33935 of 2026 ମାଧ୍ୟମରେ ଚ୍ୟାଲେଞ୍ଜ କରିଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ୨୩.୧୦.୨୦୨୬ ତାରିଖରେ ମାମଲାର ଆଇନଗତ ମେରିଟ୍ ଉପରେ ହସ୍ତକ୍ଷେପ ନକରି, ସମ୍ପୃକ୍ତ ପକ୍ଷମାନଙ୍କୁ ଶୁଣାଣିର ସୁଯୋଗ ଦେଇ ତିନି ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ଆଦେଶ ପାରିତ କରିବାକୁ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି।
     ଏହି ପରିପ୍ରେକ୍ଷୀରେ ମୂଳ ଅଭିଯୋଗକାରୀ ଭାବେ ପ୍ରମୋଦ ପଟ୍ଟନାୟକ ଶୁଣାଣିରେ ସାମିଲ ହୋଇ ନିଜର ପକ୍ଷ ରଖିବା, ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ଉପସ୍ଥାପନ କରିବା ଏବଂ ସରକାରୀ ଜମିର ସୁରକ୍ଷା ନିମନ୍ତେ ନିଜର ମତାମତ ଦେବା ପାଇଁ ସୁଯୋଗ ପ୍ରଦାନ କରିବାକୁ ଦାବି କରିଛନ୍ତି। ସମସ୍ତ ପକ୍ଷଙ୍କୁ ଉଚିତ ଶୁଣାଣିର ସୁଯୋଗ ଦେଇ ଆଇନ ଅନୁଯାୟୀ ନିରପେକ୍ଷ ନିଷ୍ପତ୍ତି ଗ୍ରହଣ କରିବାକୁ ସେ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *