ଧର୍ମଗଡ଼ ଦେଶୀ ମଦ ଭାଟି ରୁ ସଶସ୍ତ୍ର ଡକାୟତି। ଦୁଇ ଅଟକ…. ତଦନ୍ତ ଜାରୀ

ଧର୍ମଗଡ଼ ସହର ଭୀମଖୋଜ ପଡା ଦେଶୀ ମଦ ଭାଟିରୁ ଗତକାଲି ବିଳମ୍ବିତ ରାତ୍ରୀରେ ସଶସ୍ତ୍ର ଡକାୟତି ହୋଇଛି। ଡକାୟତମାନେ ଭାଟି କର୍ମଚାରୀଙ୍କୁ ପିସ୍ତଲ,ବନ୍ଧୁକ ଓ ଛୁରୀ ଦେଖାଇ ୫/୭ଲକ୍ଷ ଟଙ୍କା ଡକାୟତି କରିଥିବା ନେଇ ପୁଲିସ ଥାନାରେ ଅଭିଯୋଗ ହୋଇଛି।
ଖବର ପାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଓ ଧର୍ମଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି।
ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି। ତେବେ ତାଙ୍କ ପରିଚୟ ପ୍ରକାଶ ପାଇନାହିଁ। ସୁଚନା ଅନୁଯାୟୀ ଗତକାଲି ରାତ୍ରି ପ୍ରାୟ ୧୧.୩୦ରୁ ୧୨ଟା ମଧ୍ୟରେ ଆନୁମାନିକ ୧୦ଜଣ ଲୋକ ଭାଟି ଭିତରକୁ ପ୍ରବେଶ କରିଥିଲେ। ଭାଟିରେ ୨୫ଜଣ କର୍ମଚାରୀ ଥିବାବେଳେ ଅଧିକାଂଶ କର୍ମଚାରୀ କାମ ସାରି ନିଜ ନିଜ କୋଠରୀକୁ ଶୋଇବାକୁ ଯାଇଥିଲେ ଏବଂ କିଛି କର୍ମଚାରୀ ହିସାବ କିତାବ କରୁଥିଲେ।
ଏହି ସମୟରେ ସଶସ୍ତ୍ର ଡକାୟତଦଳ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କୁ ଭୟଭୀତ କରିବା ସହ ପଛପଟୁ ସମସ୍ତଙ୍କୁ ରଶିରେ ବାନ୍ଧି ଦେଇ ଟଙ୍କା ଲୁଟି ନେଇଥିଲେ। ଲୁଟ ସାରି ଡକାୟତମାନେ ଯିବାପରେ ଭାଟି କର୍ମଚାରୀମାନେ ପୁଲିସକୁ ସୂଚନା ଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….