ନରସିଂହପୁରରୁ ଆନ୍ଧ୍ରପ୍ରଦେଶକୁ ଓଡ଼ିଶା ଧାନ ଚାଲାଣ
ଆଠଗଡ଼,: ନରସିଂହପୁରରୁ ଆନ୍ଧ୍ରପ୍ରଦେଶକୁ ଓଡ଼ିଶା ଧାନ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାଗ ହାତରେ ଧରାପଡିଛି।ଚାଷୀଙ୍କ ଠାରୁ ୧୬୦୦ ଟଙ୍କାରେ କିଣି ଜଣେ ବେପାରୀ ଆନ୍ଧ୍ରକୁ ପଠାଉଥିଲା। ଯାହାକି ସରକାରଙ୍କ ଧାର୍ଯ୍ୟ ଠାରୁ ବହୁତ କମ୍ ଥିଲା।ସୂଚନା ଅନୁଯାୟୀ ବିଶ୍ଵସ୍ତ ସୂତ୍ରରୁ ଏ ସଂକ୍ରାନ୍ତରେ ଖବର ପାଇ ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବାପାଇଁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଆଠଗଡ଼ ସହକାରୀ ସିଏସ୍ଓ ବିଷ୍ଣୁଚରଣ ପରିଡ଼ାଙ୍କ ନେତୃତ୍ୱରେ ଏମ୍ଆଇ ବିଦ୍ୟୁତଲତା ନାୟକ,ଚିତ୍ତରଞ୍ଜନ ସାହୁ,ସୁବାସ ଦାସ ଏବଂ ନରସିଂହପୁର ଓ କାନପୁର ପୁଲିସ ସହାୟତାରେ ଏକ ଆନ୍ଧ୍ର ଟ୍ରକ୍ (ଏପି୩୯ୟୁଜି୪୬୯୯) କୁ ଅଟକାଇଥିଲେ।ଟ୍ରକରୁ ୬୭୫ ବସ୍ତାରେ ଯାଉଥିବା ୩୦୦ କ୍ୱିଣ୍ଟାଲ ଧାନ ଜବତ କରାଯାଇଛି। ଜବତ ହୋଇଥିବା ଧାନର ମୂଲ୍ୟ ଆନୁମାନିକ ମୂଲ୍ୟ ୯ ଲକ୍ଷ ୫୦ ହଜାରରୁ ଊର୍ଦ୍ଧ୍ୱ ହେବ ବୋଲି ଆଠଗଡ଼ ଉପଖଣ୍ଡ ଯୋଗାଣ ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା ସୂଚନା ଦେଇଛନ୍ତି।ସେଗୁଡ଼ିକୁ ଟିଡିଏସ ପାଇଁ ମିଲ ଜିମାରେ ଦିଆଯାଇଛି।ଟ୍ରକ୍ ଡ୍ରାଇଭର ଏବଂ ଧାନ ବିକ୍ରି କରୁଥିବା ବେପାରୀ ହରିଶ କୁମାରକୁ କାନପୁର ଥାନାରେ ଅଟକ ରଖାଯାଇଥିବା ସୂଚନା ମିଳିଛି।
