ନୌସେନା ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ
ପୁରୀ ବ୍ଲୁ ଫ୍ଲାଗ ବିଚ୍ ରେ ଆଗାମୀ ୪ ତାରିଖରେ ନୌସେନା ଦିବସ ଉତ୍ସବ ପାଳନ ନେଇ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ନୌସେନା ତା’ର ପରାକ୍ରମ ପ୍ରଦର୍ଶନ କରିବ। ସ୍ଥଳ, ଜଳ ଏବଂ ଆକାଶ ମାର୍ଗରେ କିଭଳି ନୌସେନା ଶତ୍ରୁଙ୍କୁ ଆକ୍ରମଣ କରିବ ସେନେଇ ବିଭିନ୍ନ ଯୁଦ୍ଧ ରଣ କୌଶଳ ପ୍ରଦର୍ଶୀତ କରାଯିବ। ପୁରୀ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇ ଏନ୍ ଏସ ଚିଲିକା ର ଇନଚାର୍ଜ ଦିପକ ଅନିଲ କହିଚନ୍ତି, ନୌସେନା ଦିବସ ର ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ରେ ୧୫ ଟି ଯୁଦ୍ଧ ଜାହାଜ ସହ ୪୦ ଟି ଏୟାରକ୍ରାଫ୍ଟ ଏହି ଯୁଦ୍ଧ ରଣ କୌଶଳ ପ୍ରଦର୍ଶନରେ ସାମିଲ୍ ହେବେ। ଆଜି ଏବଂ ଆସନ୍ତାକାଲି ଦୁଇଦିନ ଧରି ଏହି କାର୍ଯ୍ୟକ୍ରମର ଫୁଲ୍ ଡ୍ରେସ ରିହରସଲ ଥିବାବେଳେ ୪ ତାରିଖ ଦିନ ଚୁଡାନ୍ତ ପ୍ରଦର୍ଶନୀ ରାଷ୍ଟ୍ରପତିଙ୍କ ସମ୍ମୁଖରେ କରାଯିବ। ନୌସେନାର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ରାଜଭବନରୁ ବ୍ଲୁ ଫ୍ଲାଗ ବିଚ୍ ରେ ହୋଇଥିବା ସ୍ବତନ୍ତ୍ର ମଞ୍ଚ ଉପରକୁ ୩ଟା ୫୫ ମିନିଟରେ ପହଞ୍ଚିବେ। ସେଠାରେ ନୌସେନା ପକ୍ଷରୁ ସେରିମନିଆଲ ଗାର୍ଡ ପ୍ରଦାନ କରାଯିବା ସହିତ ଜାତୀୟ ସଂଗୀତ ପରିବେଷଣ କରାଯିବ। ୪ଟା ୭ ରେ ନୌସେନା ପକ୍ଷରୁ ବିଭିନ୍ନ ଯୁଦ୍ଧ କଳା କୌଶଳ ପ୍ରଦର୍ଶନ କରାଯିବ। ୫ ଟା ୨୫ ରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ରାଷ୍ଟ୍ରପତି ପୁରୀ ରାଜଭବନକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ୫ଟା ୨୫ ରୁ ନୌସେନା ପକ୍ଷରୁ ମଧ୍ୟ ଦର୍ଶକଙ୍କ ପାଇଁ ଆକର୍ଷଣୀୟ ଡ୍ରୋନ୍ ଏବଂ ଲେଜର ସୋ କରାଯିବ। ପୂର୍ବ କାଳରେ ଓଡ଼ିଶାର ନୌବାଣିଜ୍ୟ ବେଶ୍ ସମୃଦ୍ଧ ଶାଳୀ ଥିଲା। ଓଡ଼ିଆ ଜାତିର ଏହି ବୀରତ୍ବର ପ୍ରଥାକୁ ଉଜ୍ଜୀବିତ କରିବା ପାଇଁ ଚଳିତ ବର୍ଷ ପୁରୀ ସମୁଦ୍ରରେ ନୌସେନା ଦିବସ ପାଳନ କରାଯାଉଥିବା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନୌସେନା ଅଧିକାରୀ କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହିତ ବହୁ ବିଶିଷ୍ଟ କେନ୍ଦ୍ର ଏବଂ ରାଜ୍ୟର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଙ୍କ ସମେତ ୭ ହଜାର ୫ଶହ ଅତିଥି ଉପସ୍ଥିତ ରହିବେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ପୁରୀ ଗସ୍ତ କୁ ନେଇ ସୁରକ୍ଷା ବ୍ୟବସ୍ଥା କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ପୁରୀ ଟାଉନ ହଲ ଠାରେ ଏକ ସ୍ବତନ୍ତ୍ର ସମୀକ୍ଷା ବୈଠକ ଆୟୋଜନ କରି ଡ୍ୟୁଟିରେ ଯୋଗ ଦେବାକୁ ଥିବା ବିଭିନ୍ନ ପୋଲିସ ଅଧିକାରୀଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ। ବୈଠକ ଶେଷ ପରେ ପୁରୀ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ। ପରେ ବ୍ଲୁ ଫ୍ଲାଗ ବିଚ୍ ରେ ନୌସେନା ଦିବସରେ ଯୋଗ ଦେବେ। ନୌସେନା ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦେଖିବାକୁ ପୁରୀ ବେଳାଭୂମିରେ ଲକ୍ଷ ଲକ୍ଷ ଦର୍ଶକ ଆସିବାର ସମ୍ଭାବନା ରହିଛି। ଏଣୁ ରାଷ୍ଟ୍ରପତିଙ୍କ ଗସ୍ତ ସହ ନୌସେନା ଦିବସ ପାଇଁ ଭିଡ ନିୟନ୍ତ୍ରଣ, ଟ୍ରାଫିକ ସୁପରିଚାଳନା, ପାର୍କିଂ ସହ ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ପାଇଁ ୧୪ ଜଣ ଏସପି ରାଙ୍କର ଅଧିକାରୀ ନିୟୋଜିତ ରହିବେ। ସେମାନଙ୍କୁ ଅତିରିକ୍ତ ଏସପି, ଡିଏସପି ଏବଂ ଇନ୍ସପେକ୍ଟର ରାଙ୍କର ଅଧିକାରୀ ସହଯୋଗ କରିବେ। ପୁରୀ ସହରରେ ମୋଟ ୮୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସେପଟେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ସୂଚନା ଅନୁସାରେ ୧୦ଟା ୧୫ ମିନିଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ ପାଇଁ ଯିବେ। ଦିନ ୧୧ ଟା ଯାଏଁ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ରହିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରି ସିଧାସଳଖ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ହୀରକ ଜୟନ୍ତୀରେ ଯୋଗ ଦେବେ। ପରେ ରାଜଭବନ ଯାଇ କିଛି ସମୟ ବିଶ୍ରାମ ନେବା ପରେ ଅପରାହ୍ନ ୩ଟା ୫୫ ରେ ବ୍ଲୁ ଫ୍ଲାଗ ବିଚ୍ ରେ ହେବାକୁଥିବା ନୌସେନା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )