ନୟାଗଡ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ନୟାଗଡ଼ ବାସୀଙ୍କ ଅସନ୍ତୋଷ ବୃଦ୍ଧି

ନୟାଗଡ଼: ବହୁ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୟାଗଡ଼ ନୂଆ ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ନହେବା ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।ନୟାଗଡ଼ ଜିଲା ହେବାପରେ ଏହାର ବିକାଶ ପାଇଁ ବିଭିନ୍ନ ସ୍ତରରେ ଯେଉଁ ପ୍ରଚେଷ୍ଟା ଚାଲିଥିଲା ସେଥିପାଇଁ ଜନସାଧାରଣ ବହୁକିଛି ଆଶା ରଖିଥିଲେ । ପୁରୁଣା ସହର ଉପକଣ୍ଠରେ ନୟାଗଡ଼ର ବିକାଶ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ୭କୋଟି ଟଙ୍କା ବ୍ୟୟ ବରାଦ କରି ଏକ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନିର୍ମାଣ କରିଥିଲେ। ସହରକୁ ସରସ ସୁନ୍ଦର କରିବା ପାଇଁ ସହର ମଧ୍ୟଭାଗରେ ଏକ ଗୋଲେଇ ଛକ ନିର୍ମାଣ କରାଯାଇଥିଲା । ବହୁ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ନର୍ମାଣ କରାଯିବା ସହିତ ଏହାକୁ ଏକ ବ୍ୟବସାୟିକ କେନ୍ଦ୍ରରେ ପରିଣତ କରିବା ପାଇଁ ୨୦୦ରୁ ଊର୍ଦ୍ଧ୍ବ ଦୋକାନ ଘର ନିର୍ମାଣ କରାଯାଇଛି।
ମାତ୍ର ନୂତନ ବସ୍ଷ୍ଟାଣ୍ଡକୁ ଯାତ୍ରୀବାହୀ ବସ୍ ଯାତାୟାତ କରୁନଥିବାରୁ ବସ୍ଷ୍ଟାଣ୍ଡଟି ସୁପ୍ତ ଅବସ୍ଥାରେ ପଡ଼ିରହିଛି।ପୌରାଞ୍ଚଳ ପକ୍ଷରୁ ବସ୍ଷ୍ଟାଣ୍ଡରେ ବ୍ୟବସାୟ ଉଦ୍ଦେଶ୍ୟରେ ଲିଜ୍ ନେଇଥିବା ଦୋକାନୀମାନଙ୍କୁ ଦୋକାନ ଖୋଲିବା ପାଇଁ ବାରମ୍ବାର ତାଗିଦ୍ କରୁଥିଲେ ମଧ୍ୟ ବସ୍ ଚଳାଚଳ କରୁନଥିବାରୁ ଦୋକାନ ଖୋଲିବା ପାଇଁ ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି।ବିଭିନ୍ନ ଯାତ୍ରୀବାହୀ ବସ୍ଗୁଡ଼ିକ ବସ୍ଷ୍ଟାଣ୍ଡକୁ ନଯାଇ ସହରର ବ୍ରଜେନ୍ଦ୍ର ହାଇସ୍କୁଲ ପାଖ, ଡାକ୍ତରଖାନା ଛକ, ଗୋଲେଇ ଛକ, ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଛକ, ପୁରୁଣା ଅଦାଲତ ସମ୍ମୁଖ, ଓଡ଼ଗାଁ ଛକ, ତ୍ରିନାଥ ଛକ, ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ସମ୍ମୁଖ ଆଦି ସ୍ଥାନରେ ଯାତ୍ରୀଙ୍କୁ ଉଠାଉଛି। ଫଳରେ ଯାତ୍ରୀମାନେ ନୂତନ ବସ୍ଷ୍ଟାଣ୍ଡକୁ ନଯାଇ ଏହିସବୁ ସ୍ଥାନରେ ବସ୍କୁ ଅପେକ୍ଷା କରୁଛନ୍ତି। ଯାତ୍ରୀବାହୀ ବସ୍ଗୁଡ଼ିକ ପାଇଁ ସହରରେ ଟ୍ରାଫିକ୍ ସମସ୍ୟା ଲାଗିରହୁଛି। ଟ୍ରାଫିକ୍ ପୁଲିସ ଟ୍ରାଫିକ୍ ନିୟନ୍ତ୍ରଣ କରିବା ପାଇଁ ନାକେଦମ ହୋଇପଡ଼ୁଛନ୍ତି। ସହରରେ ଟ୍ରାଫିକ୍ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବଡ଼ପଣ୍ଡୁସରଠାରୁ ମାହଙ୍କପଲ୍ଲୀ ପର୍ଯ୍ୟନ୍ତ ୧୩ କିଲୋମିଟର ବାଇପାସ୍ ରାସ୍ତା ନିର୍ମାଣାଧୀନ ଅବସ୍ଥାରେ ଅଛି । ମାତ୍ର ତାହା ବର୍ଷବର୍ଷ ଧରି ନିର୍ମାଣାଧୀନ ଅବସ୍ଥାରେ ପଡ଼ି ରହିଥିବାରୁ ପୂର୍ବଭଳି ଭାରୀଯାନ ଓ ଲଘୁଯାନଗୁଡ଼ିକ ସହର ମଧ୍ୟ ଭାଗ ଦେଇ ଯାତାୟାତ କରୁଛି।ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ସହରର ମଧ୍ୟଭାଗରେ ଯାଇଥିବାରୁ ପ୍ରତ୍ୟେକ ଦିନ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହିତ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଛି।ସୂଚନା ଥାଉକି, ବହୁକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅତ୍ୟାଧୁନିକ ବସ୍ଷ୍ଟାଣ୍ଡଟି କାର୍ଯ୍ୟକ୍ଷମ ନହେବାରୁ ଏହା ଏବେ ଉପେକ୍ଷିତ ଅବସ୍ଥାରେ ଦୀର୍ଘଦିନ ଧରି ପଡ଼ିରହିଛି। ଏହି ବସ୍ଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ରହିଥିଲେ ମଧ୍ୟ ସରକାରୀ କିମ୍ବା ଘରୋଇ ଯାତ୍ରୀବାହୀ ବସ୍ଗୁଡ଼ିକ ଚଳାଚଳ କରୁନଥିବାରୁ ଯାତ୍ରୀ ଏଠାକୁ ଆସୁନାହାନ୍ତି ।
ନୂତନ ବସ୍ଷ୍ଟାଣ୍ଡ ପରିସର ଖାଁ ଖାଁ ହୋଇପଡ଼ିଛି। ଏହି ପରିବେଶ କେବଳ ନିଶାଖୋର ଓ ଜୁଆଡ଼ିଙ୍କ ଆଡ୍ଡାସ୍ଥଳରେ ପରିଣତ ହୋଇଗଲାଣି ।ପୂର୍ବ ସରକାର ହେଉ ବା ବର୍ତ୍ତମାନ ସରକାରଙ୍କ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ , ଜିଲ୍ଲା ପ୍ରଶାସନିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ,ପୋଲିସ ବିଭାଗ ଓ ପରିବହନ ବିଭାଗର ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଜିପର୍ଯ୍ୟନ୍ତ ନୂତନ ବସ୍ଷ୍ଟାଣ୍ଡକୁ ଚଳଚଞ୍ଚଳ ହୋଇପାରିଲାନାହିଁ ।ଯଦି ବସ ଷ୍ଟାଣ୍ଡକୁ ବସ ଯିବନାହିଁ ,ବେପାର ବଣିଜ କିପରି ହେବଯେ ବ୍ୟବସାୟୀ ଦୋକାନ ଖୋଲିବେ । ବସ ଷ୍ଟାଣ୍ଡ ଚାଲୁ କରିବାପାଇଁ ଜିଲା ପ୍ରଶାସନ , ଜିଲା ପୁଲିସ ବିଭାଗ, ପରିବହନ ବିଭାଗ ଓ ପୌରାଞ୍ଚଳ ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିହୋଇ ଆସୁଥିଲେ ମଧ୍ୟ ଏହାକୁ ଉପେକ୍ଷା କରାଯାଉଛି। ନିର୍ବାଚିତ ଜନ ପ୍ରତିନିଧିମାନେ ମଧ୍ୟ ଏଥିପ୍ରତି କୌଣସି ପ୍ରକାର ଦୃଷ୍ଟି ଦେଉନଥିବାରୁ ଜନସାଧାରଣଙ୍କ ମନରେ ଅସନ୍ତୋଷ ଲାଗିରହିଛି ।। ଗଣମାଧ୍ଯମରେ ବାରମ୍ବାର ଏ ଘଟଣା ପ୍ରକାଶ ପାଉଥିଲେ ହେଁ ସମସ୍ତ ବିଭାଗୀୟ କର୍ତ୍ତୃପକ୍ଷ କୁମ୍ଭକର୍ଣ୍ଣ ନିଦରେ ଶୋଇଯାଇଛନ୍ତି ।ସମସ୍ତେ ଅବଗତ ଥାଇ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନେଉନଥିବା ଦେଖିବାକୁ ମିଳୁଛି ।ଶୁଣିବାକୁ ମିଳୁଛି ଅମାନିଆ ଗାଡ଼ି ଚାଳକ /ମାଲିକମାନେ ନୂଆ ବସ ଷ୍ଟାଣ୍ଡକୁ ଗାଡ଼ି ଚଳାଚଳରେ ବାଧା ଶୁଷ୍ଟି କରୁଛନ୍ତି ।ପ୍ରଶାସନ ଚାହିଁଲେ କୁଉଟା ଅଟକିଯିବ ? ନୟାଗଡ଼ ଜିଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ, ଜିଲା ଆରକ୍ଷୀ ଅଧୀକ୍ଷକ ଏସ୍ ସୁଶ୍ରୀ, ପୌରାଞ୍ଚଳ ଅଧିକାରୀ, ଜିଲା ପରିବହନ ଅଧିକାରୀ ଏହାକୁ ଗୁରୁତର ସହିତ ବିଚାର କରି ଅମାନିଆ ଗାଡ଼ିଚାଳକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠା ଗ୍ରହଣ କରିବା ସହିତ ବସ୍ଷ୍ଟାଣ୍ଡକୁ ଚଳଚଞ୍ଚଳ କରଇଲେ ନୟାଗଡ଼ ଜିଲ୍ଲା କାହିଁକି ପଶ୍ଚିମ ଓଡ଼ିଶା,ଦକ୍ଷିଣ ଓଡ଼ିଶା ସାରା ଓଡ଼ିଶାର ଜନସାଧାରଣ ଉପକୃତ ହେବା ସଙ୍ଗେ ସଙ୍ଗେ ବଣିଜ ବେପାର ବଢ଼ିବା ସହିତ ସାମାଜିକ , ଅର୍ଥନୈତିକ ସର୍ବୋପରି ନୟାଗଡର ମୁଖ୍ୟ ଅସୁବିଧା ଟ୍ରାଫିକ ସମସ୍ୟାର ମଧ୍ୟ ସୁଧାର ଆସିବ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।