ପଣ୍ୟ ପରିଚାଳନା ରେ ଉତ୍କୃଷ୍ଟ ସାମଗ୍ରିକ ପ୍ରଦର୍ଶନ ପାଇଁ ପାରାଦୀପ ବନ୍ଦର କୁ ଦେଶର ୧ ନମ୍ବର ମାନ୍ୟତା ‘ସାଗର ଆକଳନ’ ସମ୍ମାନ

ପାରାଦୀପ – କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ୨0୨୪-୨୫ ଆର୍ଥିକ ବର୍ଷ ରେ ୫ ନିୟୁତ ବା ତଦୁର୍ଦ୍ଧ ପଣ୍ୟ ପରିଚାଳନାରେ ଉତ୍କୃଷ୍ଟ ସାମଗ୍ରିକ ପ୍ରଦର୍ଶନ ନିମନ୍ତେ ପାରାଦୀପ ବନ୍ଦର କୁ ଦେଶର ମର୍ଯ୍ୟାଦାଜନକ ୧ ନମ୍ବର ‘ସାଗର ଆକଳନ’ ସାର୍ଟିଫିକେଟ ପ୍ରଦାନ କରିଛନ୍ତି l ଭାରତର ନୌବାଣିଜ୍ୟ କ୍ଷେତ୍ରରେ ବଜେଟ ୨0୨୫ ଦ୍ୱାରା ହୋଇଥିବା ବିଭିନ୍ନ ପରିବର୍ତ୍ତନକାରୀ ପ୍ରଭାବ ଉପରେ ସବିଶେଷ ଆଲୋଚନା ପରେ ଗତ ଫେବୃଆରୀ ୨୭ ତାରିଖରେ ମୁମ୍ବାଇ ଠାରେ ଅନୁଷ୍ଠିତ ବଜେଟ ପରବର୍ତ୍ତୀ ଶିଳ୍ପ ବୈଠକରେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ନୀଳାଭ୍ର ଦାସଗୁପ୍ତା ଏହି ପୁରସ୍କାର ଗ୍ରହଣ କରିଥିଲେ l ସାଗର ଆକଳନ ହେଉଛି ଆର୍ଥିକ ବର୍ଷ ୨0୨୩-୨୪ ପାଇଁ ଉଦ୍ଦିଷ୍ଟ ଲଜିଷ୍ଟିକ ପୋର୍ଟ ପରଫରମାନ୍ସ, ଇଣ୍ଡେକ୍ସ, ଭାରତୀୟ ନୌବାଣିଜ୍ୟ କ୍ଷେତ୍ରରେ ଦକ୍ଷତା ଓ ବିଶ୍ୱସ୍ତରୀୟ ପ୍ରତିଯୋଗିତା ବୃଦ୍ଧି କରିବା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ l ଏହା ୨0୪୭ ମସିହା ସୁଦ୍ଧା ଆତ୍ମନିର୍ଭର ଓ ବିକଶିତ ଭାରତବର୍ଷ ସ୍ବପ୍ନର ଅଂଶବିଶେଷ l ତେବେ ବନ୍ଦରର ଉଲ୍ଲେଖନୀୟ ସଫଳତା ପାଇଁ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ କହିଛନ୍ତି ଯେ ଦେଶର ସାମଗ୍ରିକ ଅଭିବୃଦ୍ଧି ପାଇଁ ଅବଦାନ ନିମନ୍ତେ ବନ୍ଦର କର୍ମଚାରୀ ଙ୍କୁ ପ୍ରେରଣା ଯୋଗାଇବ l
ଉଲ୍ଲେଖଥାଉକି ଚଳିତ ଆର୍ଥିକ ବର୍ଷ ଫେବୃଆରୀ ଶେଷ ସୁଦ୍ଧା ଲୁହାପଥର ଓ ତାପଜ କୋଇଲା ଚାହିଦା ହ୍ରାସ ସତ୍ୱେ ପାରାଦୀପ ବନ୍ଦର ଦେଶର ବୃହତ ବନ୍ଦର ମଧ୍ୟରେ ଦ୍ରୁତତ୍ତମ ୧୩୬.୨୫ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାର କରିପାରିଛି l ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପଣ୍ୟ କାରବାର କ୍ଷେତ୍ରରେ ଏହା ନୂତନ ସର୍ବକାଳୀନ ରେକର୍ଡ ଦିଗରେ ଅଗ୍ରସର ହେଉଛି l ବନ୍ଦର ପରିଚାଳନାଗତ ବିବିଧ ବ୍ୟବସ୍ଥାରେ ଉନ୍ନତି ଅଣାଯିବା ଦ୍ୱାରା ଏହା ସମ୍ଭବ ହୋଇପାରିଛି l ବନ୍ଦର ସର୍ବମୋଟ ପଣ୍ୟ କାରବାର ର ପ୍ରାୟ ୩0 ପ୍ରତିଶତ ହେଉଛି ତାପଜ କୋଇଲା ଏବଂ ଚଳିତ ଆର୍ଥିକ ବର୍ଷରେ ପୂର୍ବ ବର୍ଷର ସମୟ ଅବଧି ଅପେକ୍ଷା ୪.୬୫ ପ୍ରତିଶତ ଅଧିକ l ସେହିପରି କଣ୍ଟେନର ପଣ୍ୟ ପରିଚାଳନାରେ ମଧ୍ୟ ପୂର୍ବ ବର୍ଷ ଅପେକ୍ଷା ୧୭୫.୫୮ ପ୍ରତିଶତ ଏବଂ ଜିପସମ ଓ ଫ୍ଲକ୍ସ ପଣ୍ୟ କାରବାର ପୂର୍ବ ବର୍ଷ ଅପେକ୍ଷା ୨.୮୬ ପ୍ରତିଶତ ଅଭିବୃଦ୍ଧି ହୋଇଛି l ସମ୍ପ୍ରତି ପାରାଦୀପ ବନ୍ଦର ଉପକୂଳ ଜାହାଜ ଚଳାଚଳ କ୍ଷେତ୍ରରେ ଏକ ପ୍ରମୁଖ ବନ୍ଦର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି l