ପଦ୍ମପୁର ପୋଲିସକୁ ବଡ ସଫଳତା: ଲକ୍ଷାଧିକ ଟଙ୍କାର କଫ ସିରପ ଜବତ, ଦୁଇ ଅଭିଯୁକ୍ତ ଗିରଫ
ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ପୋଲିସକୁ ଆଜି ବିଳମ୍ବିତ ସନ୍ଧ୍ୟାରେ ନିଶା କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ପୋଲିସ ଗଡ଼ଭାଟି ଛକ ନିକଟରେ ଚଢ଼ଉ କରି ଲକ୍ଷାଧିକ ଟଙ୍କା ମୂଲ୍ୟର ବେଆଇନ କଫ ସିରପ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଏହି ଚଢ଼ଉ ସମୟରେ ପଦ୍ମପୁର ତହସିଲଦାର ମାନସ ପଣ୍ଡା ଉପସ୍ଥିତ ଥିଲେ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଦ୍ମପୁର ପୋଲିସ ପକ୍ଷରୁ ଚାଲିଥିବା ଯାଞ୍ଚ ବେଳେ ଗଡ଼ଭାଟି ଛକଠାରେ ଏହି ବେଆଇନ କାରବାରର ପର୍ଦ୍ଦାଫାଶ ହୋଇଛି। ପୋଲିସ ସେମାନଙ୍କ ନିକଟରୁ ମୋଟ ୨୨ଟି ପ୍ଲାଷ୍ଟିକ୍ ବସ୍ତା ଜବତ କରିଛି। ପ୍ରତ୍ୟେକ ବସ୍ତାରେ ୩ଟି କାର୍ଟୁନ୍ ରହିଥିବା ବେଳେ ପ୍ରତି କାର୍ଟୁନରେ ୧୨୦ଟି ‘ୱିନସରେକ୍ସ’ (Wincerex) କଫ ସିରପ ବୋତଲ ରହିଥିଲା। ଏହିପରି ଭାବେ ମୋଟ ୭,୯୨୦ ବୋତଲ କଫ ସିରପ ଜବତ କରାଯାଇଛି, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ। ଏଥିସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ଏକ ଗାଡ଼ି (ନଂ- OD 02 DP 4745) କୁ ମଧ୍ୟ ପୋଲିସ ଜବତ କରିଛି।

ଏହି ଘଟଣାରେ ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ:
୧. ମାନସ ପାଣ୍ଡେ (୨୫), ପିତା- ପ୍ରେମରାଜ ପାଣ୍ଡେ, ଗ୍ରାମ- ଝଙ୍କରପାଲି, ଥାନା- ପଦ୍ମପୁର, ଜିଲ୍ଲା- ବରଗଡ଼।
୨. ଶରତ ଚନ୍ଦ୍ର ତୁଙ୍ଗା (୩୨), ପିତା- ସୁବାଷ ଚନ୍ଦ୍ର ତୁଙ୍ଗା, ସାଲିଆସାହି (ୱାର୍ଡ ନଂ-୨୬), ଥାନା- ନୟାପଲ୍ଲୀ, ଜିଲ୍ଲା- ଖୋର୍ଦ୍ଧା।
ଭୁବନେଶ୍ୱରରୁ ପଦ୍ମପୁର ଅଞ୍ଚଳକୁ ଏହି ବେଆଇନ କଫ ସିରପ ଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ିଥିଲେ। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
