ପରବ ୨୦୨୫ ଅବସରରେ ରାହାଗିରି – ୫.୦ ଧୁମଧାମରେ ଅନୁଷ୍ଠିତ
ବିଭିନ୍ନ ସାଂସ୍କୃତିକ,ଆଦିବାସୀ କଳା,ସଙ୍ଗୀତରେ ରଙ୍ଗୀନ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମାର୍ଗ
“ରାହାଗିରି” ହେଉଛି ଓଡ଼ିଶାର ଏକ ଲୋକପ୍ରିୟ ଷ୍ଟ୍ରିଟ୍ ଇଭେଣ୍ଟ, ଯେଉଁଠାରେ ଲୋକମାନେ ସାଂସ୍କୃତିକ ଆଦିବାସୀ ନୃତ୍ୟ,କଳା, ସାଇକେଲିଂ ଏବଂ ଯୋଗ ଭଳି ବିଭିନ୍ନ ସାଂସ୍କୃତିକ ଏବଂ ମନୋରଞ୍ଜନମୂଳକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରି ପାରିବେ, ସେଥିପାଇଁ ରାସ୍ତାଗୁଡ଼ିକୁ ଯାନବାହାନ ଚଳାଚଳ ବନ୍ଦ କରାଯାଇଥାଏ।ଓଡ଼ିଶାରେ “ରାହାଗିରି” ଇଭେଣ୍ଟଗୁଡ଼ିକର ସାଧାରଣ ସ୍ଥାନ ଏବଂ ପ୍ରକୃତିକୁ ଦୃଷ୍ଟିରେ ରଖି, ଏହା ପରବ ୨୦୨୫ର ଗୁରୁତ୍ୱ ସହିତ ଜଡିତ ଏକ ସ୍ଥାନୀୟ ସାଂସ୍କୃତିକ ଇଭେଣ୍ଟ।

“ରାହାଗିରି” ଉଦଘାଟନୀ ସମାରୋହ ଅବସରରେ ରବିବାର ସକାଳ ୭ ଘଣ୍ଟା ସମୟରେ କୋରାପୁଟ ଜିଲ୍ଲାପାଳ ଏହି ପଥୋତ୍ସବ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିବା ବେଳେ କୋରାପୁଟ ଆରକ୍ଷୀ ଅଧିକ୍ଷକ, କୋରାପୁଟ ବିଧାୟକ,ଜିଲ୍ଲା ପରିଷଦ ଅଧ୍ୟକ୍ଷା , ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ,ଜୟପୁର ଉପ ଜିଲ୍ଲାପାଳ ,ବନଖଣ୍ଡ ଅଧିକାରୀ ସମେତ ସମସ୍ତ ଅଧିକାରୀ , କର୍ମଚାରୀ,ବୁଦ୍ଧିଜୀବୀ,ସ୍ନେହଶ୍ରଦ୍ଧା ଭରା ଜୟପୁର ସହରର ବାସିନ୍ଦା ଉପସ୍ଥିତ ଥିଲେ।ଶୀତୁଆ ଥଣ୍ଡା ପରିବେଶର ସକାଳର ପହିଲି ହାଲକା ସୁନେଲି ସୂର୍ଯ୍ୟ କିରଣରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ମାର୍ଗ ଜିଲ୍ଲାର ପାରମ୍ପାରିକ ଝୁଟି,ନାଚ, ଗୀତ,ଯୋଗାସନ,ଖାଦ୍ୟ ପରିବେଶ, ସ୍କେଟିଂ, ଟାକା ଫାୟର,ବାଲୁକା ଶିଳ୍ପ, ରୋବଟିକ ପ୍ରଦର୍ଶନୀ,ସାଇକ୍ଲିଁରେ ଝଲସି ଉଠିଲା। ଏହି ପଥ ଉତ୍ସବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ବିଶ୍ବଜିତ୍ ମହାପାତ୍ର ଓ ରାୟଗଡାର ଓଡ଼ିଆ ଝିଅ,ବହୁମୁଖୀ ପ୍ରତିଭାଶାଳୀ ,ଗାୟିକା ତଥା ଓଲିଉଡର ନବାଗତା ଅଭିନେତ୍ରୀ ଅନୁରାଧା ପାଣିଗ୍ରାହି ଗୀତରେ ଝୁମିଥିଲେ ଜୟପୁର ସହର ବାସିନ୍ଦା।

ଉଦଘାଟନୀ ସମାରୋହ ପରେ ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଜନଜାତି କଳା ସଂସ୍କୃତିର ଝଲକରେ ଧୁମ୍ ଝୁମି ନାଚିଲେ ଯୁବକଯୁବତୀ। ରାହାଗିରି ନିମନ୍ତେ ପୁରାତନ ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରେ ମୁଖ୍ୟ ଷ୍ଟେଜ ନିର୍ମାଣ ହେବ ସହ ଷ୍ଟେଜର ଉଭୟ ପଟେ ବାଙ୍କ ମଠଠାରୁ ସୌରାସାହି ଛକ ପର୍ଯ୍ୟନ୍ତ ୨୫ଟି ଲେଖାଏଁ ମୋଟ ୫୧ଟି ଷ୍ଟଲ ଖୋଲାଯାଇଥିବା ବେଳେ ରାସ୍ତାଟି ସମ୍ପୂର୍ଣ୍ଣ ଜନଗହଳି ରହିଥିଲା। ପୂର୍ବରୁ ପୌର ପାଳିକା ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର ମାଧ୍ୟମରେ ରବିବାର ୧୪ ତାରିଖ ଦିନ ଜୟପୁର ମୁଖ୍ୟ ରାସ୍ତାରେ ରାହାଗିରି ପଥୋତ୍ସବ ସକାଶେ ସକାଳ ୬ଟାରୁ ପଥୋତ୍ସବ ସରିବା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା।

ପଥ ଉତ୍ସବରେ ନାଚ,ଗୀତ ସ୍କେଟିଂ, ଖାଦ୍ୟର ପସରା,ଆର୍ଟ କ୍ରାଫ୍ଟ ବା ଝୋଟି ଚିତା, ଯୋଗ,ବିଭିନ୍ନ ପ୍ରକାର ଦୁଃସାହସିକ ଖେଳ ଓ କ୍ରୀଡା ପ୍ରଦର୍ଶିତ ହୋଇଥିଲା । ଏହାସହ ବିଭିନ୍ନ ପ୍ରକାର ଝୋଟି ଓ ଚିତ୍ର ଭିନ୍ନ ଭିନ୍ନ ପ୍ରକାର ଚିତ୍ରାଙ୍କନ ବେଶ ଚିତାକର୍ଷକ ରହିଥିଲା ।ଏଥିରେ ଅଗ୍ନିଶମ ବିଭାଗ ସମେତ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଛି । ପରିବେଶ ସଚେତନତା, ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟମ ମାନିବା ପାଇଁ ସଚେତନତା ମଧ୍ୟ ଦେଖିବାକୁ ମିଳିଛି ।ବିଶେଷକରି ପାରମ୍ପରିକ କଳା ଓ ନୃତ୍ୟ ପ୍ରଦର୍ଶନ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଉପ ଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ ଓ ସମସ୍ତ କମିଟି ସଦସ୍ୟ ଏହାକୁ ଆୟୋଜନ କରିବାରେ ସହଯୋଗ କରିଥିଲେ ।
ରିପୋର୍ଟ: କୋରାପୁଟ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
