June 28, 2026
Home » ପର୍ଲା ମଣ୍ଡିରେ ଧାନ ଉଠାଣ ମନ୍ଥର: ଖୋଲା ଆକାଶ ତଳେ ୧୮ ହଜାର କୁଇଣ୍ଟାଲ ଧାନ, ଗଜା ହେବା ଆଶଙ୍କା

ପର୍ଲା ମଣ୍ଡିରେ ଧାନ ଉଠାଣ ମନ୍ଥର: ଖୋଲା ଆକାଶ ତଳେ ୧୮ ହଜାର କୁଇଣ୍ଟାଲ ଧାନ, ଗଜା ହେବା ଆଶଙ୍କା

0
WhatsApp Image 2026-06-28 at 2.51.29 PM

କୁଇଣ୍ଟାଲ ପ୍ରତି ୭ କେଜି କଟନୀ ଛଟନୀ ହେଉଥିବା ଅଭିଯୋଗ; ଚିନ୍ତାରେ ଚାଷୀ….

ଧର୍ମଗଡ଼ :କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ପର୍ଲା ମଣ୍ଡିରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ପ୍ରଶାସନିକ ଅବହେଳା ଯୋଗୁଁ ଚାଷୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମଣ୍ଡିରେ ଏବେ ମଧ୍ୟ ପ୍ରାୟ ୧୮ ହଜାର କୁଇଣ୍ଟାଲରୁ ଅଧିକ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଏହି ଧାନ ଓଦା ହୋଇ ଗଜା ହେବାକୁ ବସିଲାଣି। ଅନ୍ୟପଟେ ନିର୍ଦ୍ଧାରିତ ସମୟ ମଧ୍ୟରେ ଧାନ ବିକ୍ରି ନହେଲେ ଟୋକନ ଲେପ୍ସ (ରଦ୍ଦ) ହୋଇଯିବା ଆଶଙ୍କାରେ ଚାଷୀକୂଳ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି।ସୂଚନା ଅନୁଯାୟୀ, ପର୍ଲା ମଣ୍ଡିରେ ଚଳିତ ବର୍ଷ ସମୁଦାୟ ୩୨,୬୬୧ କୁଇଣ୍ଟାଲ ଧାନ ସଂଗ୍ରହର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୦ଟି ରାଇସ୍ ମିଲ୍‌କୁ ମଧ୍ୟ ଟ୍ୟାଗ୍ କରାଯାଇଛି।

ହେଲେ ମିଲର ଓ ପ୍ରଶାସନର ମନ୍ଥର ନୀତି ଯୋଗୁଁ ଏପର୍ଯ୍ୟନ୍ତ ମାତ୍ର ୧୩,୯୦୫ କୁଇଣ୍ଟାଲ ଧାନ ଉଠାଣ ସମ୍ଭବ ହୋଇଛି। ବାକି ୧୮,୭୫୫ କୁଇଣ୍ଟାଲ ଧାନ ଏବେ ବି ମଣ୍ଡି ପ୍ରାଙ୍ଗଣରେ ଅତି ଅସହାୟ ଅବସ୍ଥାରେ ପଡ଼ିରହିଛି। ନିଜର ରକ୍ତଭିଜା ଶ୍ରମର ଅମଳକୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଚାଷୀମାନେ ବସ୍ତା ଉପରେ ପଲିଥିନ ଘୋଡ଼େଇ ଦିନରାତି ଜଗି ରହିଛନ୍ତି।ସମସ୍ୟା ଏତିକିରେ ସରିନାହିଁ, ମଣ୍ଡିରେ ଚାଷୀଙ୍କୁ ଶୋଷଣ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ସ୍ଥାନୀୟ ଚାଷୀ ବଳରାମ ମାଝୀ, ହିମାଞ୍ଚଳ ଗୋପାଳ ଓ ଶ୍ରୀକାନ୍ତ ଗୋପାଳଙ୍କ ଅଭିଯୋଗ ଅନୁସାରେ, ମଣ୍ଡିରେ କୁଇଣ୍ଟାଲ ପ୍ରତି ସିଧାସଳଖ ୭ କେଜି ଲେଖାଏଁ ଧାନ ‘କଟନୀ ଛଟନୀ’ କରାଯାଉଛି। ଏହି ବେଆଇନ କାର୍ଯ୍ୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏ ସମ୍ପର୍କରେ ଧାନ କ୍ରୟ ଅଧିକାରୀ ଧବଳେଶ୍ବର ସୁନାନୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଚାଷୀମାନେ ପ୍ରକାଶ କରିଛନ୍ତି।ଖୋଲା ଆକାଶ ତଳୁ କେବେ ଓଦା ଧାନ ସରକାର ଉଠାଉଛନ୍ତି ଏବଂ ଶୋଷଣର ଶିକାର ହେଉଥିବା ଚାଷୀଙ୍କୁ କେବେ ନ୍ୟାୟ ମିଳୁଛି, ତାହା ଦେଖିବାକୁ ବାକି ରହିଲା। ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଧାନ ଉଠାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *