December 22, 2025
Home » ପଶ୍ଚିମ ଓଡିଶାବାସୀ ତଥା ଆଦିବାସୀମାନେ ନିଜ ଅସ୍ମୀତାର ସୁରକ୍ଷା ଓ ସମୃଦ୍ଧି ପାଇଁ ଲଢେଇ କରନ୍ତୁ : କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ l

ପଶ୍ଚିମ ଓଡିଶାବାସୀ ତଥା ଆଦିବାସୀମାନେ ନିଜ ଅସ୍ମୀତାର ସୁରକ୍ଷା ଓ ସମୃଦ୍ଧି ପାଇଁ ଲଢେଇ କରନ୍ତୁ : କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀ l

0
WhatsApp Image 2025-03-15 at 12.36.22 PM

ସୁବର୍ଣ୍ଣପୁର: ପଶ୍ଚିମ ଓଡିଶାବାସୀ ତଥା ଆଦିବାସୀମାନେ କୌଣସି ଭାବାବେଗରେ ଭାସିଯାଇ ନିଜର ମା ମାଟି, ମାତୃଭାଷା ଓ ସଂସ୍କୃତିକୁ ଭୁଲି ଯାଆନ୍ତୁ ନାହିଁ । ସେମାନଙ୍କର ମାତୃଭାଷା ଓ ମାତୃ ସଂସ୍କୃତି ହେଉଛି ମୂଳତଃ ଆଦିବାସୀ ସଭ୍ୟତା ଓ ସଂସ୍କୃତି ଦ୍ୱାରା ପ୍ରଭାବିତ । ପଶ୍ଚିମ ଓଡିଶାବାସୀ ବା ଆଦିବାସୀମାନେ ଭାଷା ସଂସ୍କୃତି ଦୃଷ୍ଟିରୁ ଓଡିଆ ନୁହନ୍ତି । ସେମାନଙ୍କ ଭାଷା ସଂସ୍କୃତି ଓଡିଆ ଭାଷା ସଂସ୍କୃତି ଠାରୁ ସଂପୂର୍ଣ୍ଣ ଭିନ୍ନ । ତାହା ପୃଥିବୀର ପ୍ରାଚୀନ ଓ ଉନ୍ନତ ଭାଷା ସଂସ୍କୃତି ମଧ୍ୟରୁ ଅନ୍ୟତମ । ସେମାନଙ୍କ ଭାଷା ସଂସ୍କୃତି ସେମାନଙ୍କ ପରିଚୟ ଅଟେ । ସେମାନଙ୍କ ଭାଷା ସଂସ୍କୃତି ମରିଗଲେ ସେମାନଙ୍କ ପରିଚୟ ମଧ୍ୟ ମରିଯିବ । ଓଡିଆ ଅସ୍ମୀତା ନାମରେ ଓଡିଶାର ବିଜେଡି ଓ ବିଜେପି ସରକାର ପଶ୍ଚିମ ଓଡିଶାବାସୀ ତଥା ଆଦିବାସୀମାନଙ୍କ ଅସ୍ମୀତା କଥା ସଂପୂର୍ଣ୍ଣ ଭୁଲି ଯାଇଛନ୍ତି ଏବଂ ସେମାନଙ୍କ ଉପରେ ଓଡିଆ ଅସ୍ମୀତା ଅର୍ଥାତ୍ ଓଡିଆ ଭାଷା ସଂସ୍କୃତିକୁ ଲଦି ଦେବାକୁ ହୀନ ଚକ୍ରାନ୍ତ କରୁଛନ୍ତି । ଏତଦ୍ୱାରା ୨୦୨୦ ଶିକ୍ଷାନୀତି ଅନୁସାରେ ପଶ୍ଚିମ ଓଡିଶାବାସୀ ଏବଂ ଆଦିବାସୀମାନଙ୍କ ଶିଶୁ ପ୍ରାଥମିକ ସ୍ତରରେ ନିଜ ନିଜର ମାତୃଭାଷାରେ ଶିକ୍ଷା ପ୍ରାପ୍ତିରୁ ବଂଚିତ ହେଉଛନ୍ତି , ଯଦ୍ୱାରା ସେମାନଙ୍କ ବୌଦ୍ଧିକ ବିକାଶ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ଏ କଥା ମଧ୍ୟ ସତଯେ ଗୋଟିଏ ଅଂଚଳର ମାତୃଭାଷା ମରିଗଲେ ସେ ଅଂଚଳର ମାତୃ ସଂସ୍କୃତି ମରିଯିବ । ସେଭଳି ଏକ ସନ୍ଧିକ୍ଷଣରେ ଏବେ ପଶ୍ଚିମ ଓଡିଶା ତଥା ଆଦିବାସୀମାନଙ୍କ ଭାଷା ସଂସ୍କୃତି ପହଂଚିଛି ଯାହାର ସୁରକ୍ଷା ଓ ସମୃଦ୍ଧି ଏକାନ୍ତ ଆବଶ୍ୟକ । ଏଥିପାଇଁ ପଶ୍ଚିମ ଓଡିଶାବାସୀଙ୍କ ମାତୃଭାଷା କୋଶଲି / ସମ୍ବଲପୁରୀ ତଥା ହୋ ଆଦି ଅନେକ ଆଦିବାସୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଅତ୍ୟନ୍ତ ଜରୁରୀ ଯେଉଁଥିପାଇଁ ଓଡିଶା ତଥା କେନ୍ଦ୍ର ସରକାର ଚୁପ ହୋଇ ବସି ରହିଛନ୍ତି ଏବଂ ପଶ୍ଚିମ ଓଡିଶାବାସୀ ଓ ଆଦିବାସୀଙ୍କ ଉପରେ ତଥାକଥିତ ଓଡିଆ ଅସ୍ମୀତା ଓ ଓଡିଆ ଭାଷା ସଂସ୍କୃତିକୁ ଲଦି ଦେଉଛନ୍ତି ଯାହା ଅତ୍ୟନ୍ତ ନିନ୍ଦନୀୟ । ସେହି ଦୃଷ୍ଟିରୁ ବିଧାୟକ ଜୟନାରାୟଣ ମିଶ୍ରଙ୍କ ବକ୍ତବ୍ୟ ନିଶ୍ଚିତ ଭାବେ ଯୁଗୋପଯୋଗୀ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କୋଶଲ ସାହିତ୍ୟ ସଂସ୍କୃତି ଏକାଡେମୀର ସାଧାରଣ ସଂପାଦକ ବରିଷ୍ଠ ଲେଖକ, ସାମ୍ବାଦିକ ଗୋରେଖନାଥ ସାହୁ ଏବଂ ଯୁଗ୍ମ – ସଂପାଦକ ଶିକ୍ଷାବିଦ ବ୍ରଜମୋହନ ଦାନୀ ପ୍ରକାଶ କରିଛନ୍ତି ଏବଂ ପଶ୍ଚିମ ଓଡିଶାବାସୀ ତଥା ଦଳମତ ନିର୍ବିଶେଷରେ ଲଢେଇ କରିବାକୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ଏବଂ ଏହାର ତୁରନ୍ତ ପ୍ରତିକାର ନିମନ୍ତେ ଏକାଡେମୀ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *