June 16, 2026
Home » ପାଣ୍ଡରାସିଙ୍ଗାରେ ରାସ୍ତା ଅବରୋଧ,ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ପାଣ୍ଡରାସିଙ୍ଗାରେ ରାସ୍ତା ଅବରୋଧ,ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

0
WhatsApp Image 2026-06-15 at 8.53.49 PM (1)

 

ଗଣିଆ: ନୟାଗଡ ଜିଲ୍ଲା ଗଣିଆ ବ୍ଳକର ପାଣ୍ଡରାସିଙ୍ଗା ଛକରେ ଏକ ଛୋଟିଆ ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରୁଥିଲେ ପତୁରିଆ ଗ୍ରାମର ରବିନ୍ଦ୍ର କୁମାର ନାୟକ । ରବିବାର ସନ୍ଧ୍ୟାରେ ବର୍ଷା ପବନରେ ଲାଇନ୍ କଟି ଯାଇଥିବାରୁ ଦୋକାନରେ ବସିଥିବା ବେଳେ କାରରେ ୪/୫ ଜଣ ଆସି ଗାଡି ମରାମତି କରିବାକୁ କହିଥିଲେ । ତେବେ ହଠାତ୍ ଗାଡି ଭିତରୁ ଜଣେ ଓହ୍ଲାଇ ଆସି ରବିନ୍ଦ୍ରଙ୍କ ଡାହାଣ ଛାତିକୁ ଗୁଳି କରିଥିଲେ ଏବଂ ସଙ୍ଗେସଙ୍ଗେ ସେଠାରୁ ଚମ୍ପଟ ମାରିଥିଲେ । ଗୁଳି ଶଦ୍ଦ ଶୁଣି ଗ୍ରାମବାସୀ ଦୋକାନରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବାଇକ୍ ସାହାଯ୍ୟରେ ତୁରନ୍ତ ତାଙ୍କୁ ଗଣିଆ ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିବା ପରେ ଚାପା ଉତ୍ତେଜନା ଦେଖା ଦେଇଥିଲା । ଖବରପାଇ ଏସଡିପିଓ ସରୋଜ କୁମାର ସାହୁ, ଦଶପଲ୍ଲା ଥାନା ଅଧିକାରୀ ବିନୟ କୁମାର ପରିଡା,ଗଣିଆ ଥାନା ଅଧିକାରୀ ଟଙ୍କଧର ଛତ୍ରିୟା ଶବଟିକୁ ଜବତ କରି ରାତାରାତି ଦଶପଲ୍ଲା ପଠାଇଥିଲେ ।

ଏପରିକି ହତ୍ୟା କରିଥିବା ସିଧାମୂଳା ଗ୍ରାମର ଦିଲ୍ଲୀପ କୁମାର ମନ୍ତ୍ରୀ, ହତ୍ୟାରେ ବ୍ୟବହୃତ କାର ଏବଂ ବନ୍ଧୁକକୁ ପୋଲିସ କାବୁ କରିଥିଲେ । ସକାଳୁ ସାଇଣ୍ଟିଫିକ ଟିମ୍ ପହଞ୍ଚି ରକ୍ତ ନମୁନା ସହିତ ଗ୍ୟାରେଜ ପରିସରରେ ତଦନ୍ତ କରିଥିଲେ । ତେବେ ସୋମବାର ୯ ଘଟିକା ସମୟରେ ପାଣ୍ଡରାସିଙ୍ଗା ଛକରେ ମୃତକଙ୍କ ପରିବାର ରାସ୍ତାରୋକ କରିଥିଲେ । ଦୀର୍ଘ ୮ ଘଣ୍ଟା ଧରି ରାସ୍ତା ଅବରୋଧ ହୋଇଥିଲା । ଶହ ଶହ ପୁରୁଷ ଏବଂ ମହିଳା ଟାୟାର ଜାଳି ଏହି ରାସ୍ତାରୋକରେ ସାମିଲ ହୋଇଥିଲେ । ଘଟଣାସ୍ଥଳରେ ବିଧାୟକ ରମେଶ ଚନ୍ଦ୍ର ବେହେରା,ଉପ ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର,ଅତିରିକ୍ତ ଏସପି ଜ୍ୟୋତି ରଞ୍ଜନ ସାମନ୍ତରାୟ, ଏସଡିପିଓ ସରୋଜ କୁମାର ସାହୁ, ଅତିରିକ୍ତ ତହସିଲଦାର ରମେଶ ଗୋଛି, ବିଜେପି ନେତା ରାଘବ ମଲ୍ଲିକ,ଦଶପଲ୍ଲା,ଖଣ୍ଡପଡା, କଣ୍ଟିଲୋ ଫାଣ୍ଡି ଅଧିକାରୀ ଉପସ୍ଥିତ ରହି ବୁଝାସୁଝା କରିଥିଲେ । ତେବେ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦିଲ୍ଲୀପଙ୍କ ବଡ ଭାଇ ନୟାଗଡ ବିଜେପିର ଜଣେ ନାରୀ ନେତ୍ରୀଙ୍କ ପିଏସଓ ଥିବାରୁ ତାଙ୍କ ବନ୍ଧୁକରେ ସେ ଗୁଳି କରିଛନ୍ତି ।

କିନ୍ତୁ ଜବତ ବନ୍ଧୁକ ଏକ ବଡ ବନ୍ଧୁକ ବୋଲି ପୋଲିସ ପ୍ରକାଶ କରିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଗ୍ରାମର ଭଦ୍ର ଲୋକଙ୍କ ଉପସ୍ଥିତିରେ ଉପରିସ୍ଥ ଅଧିକାରୀ ମାନେ ଲିଖିତ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା । ସେମାନେ ପ୍ରତିଶ୍ରୁତିରେ ଉଲ୍ଲେଖ କରିଥିଲେ ଯେ ପରିବାର ଲୋକଙ୍କ ଦାବି ଅନୁସାରେ ଘଟଣାର ନ୍ୟାୟିକ ତଦନ୍ତ,ଏତେଲାରେ ଉଲ୍ଲେଖ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ। ୭ ଦିନ ଭିତରେ ସମସ୍ତ ପ୍ରତିଶୃତି ପୂରଣ କରିବେ ବୋଲି ମଧ୍ୟ ଅଧିକାରୀ ମାନେ ଜଣାଇଥିଲେ । ଏପରିକି ଅତିରିକ୍ତ ତହସିଲଦାର ରମେଶ ଗୋଛି ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ । ଅପରାହ୍ନରେ ଶବ ବ୍ୟବଚ୍ଛେଦ ପରେ ଗ୍ରାମକୁ ଅଣାଯାଇଥିବା ବେଳେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତେବେ ବଡଭାଇର ଭୁଲ୍ ପାଇଁ ସାନ ଭାଇର ଜୀବନ ଚାଲିଯିବା ତଥା ଦୁଇଟି ପରିବାର ଛାରଖାର ହୋଇଯାଇଥିବା ବେଳେ ସାଂସାରିକ ଜୀବନ ଆରମ୍ଭ କରିବା ଆଗରୁ ବିଧବା ସାଜିଥିବା ସ୍ତ୍ରୀର ସାହାରା କିଏ ପାଲଟିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *