ପାରଳାଖେମୁଣ୍ଡିରେ ଶ୍ରୀରାମ ନବମୀ ଧୁମ୍ଧାମରେ ପାଳିତ
ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଶ୍ରୀରାମ ନବମୀ ଧୁମ୍ଧାମରେ ପାଳିତ ହୋଇଯାଇଛି । ସହରରେ ଥିବା ରାମ ମନ୍ଦିର ଗୁଡିକରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ସହ ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ସଂଧ୍ୟା ସମୟରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ତରଫରୁ ସ୍ଥାନୀୟ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା ।

ଏଥିରେ ପାରମ୍ପରିକ ବାଜାର ତାଳେତାଳେ ଜନସାଧାରଣ ନୃତ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ଏପରିକି ବହୁ ଛୋଟଛୋଟ ପିଲାମାନେ ପ୍ରଭୁ ଶ୍ରୀରାମ,ଲକ୍ଷ୍ମଣ,ସୀତା ଓ ହନୁମାନଙ୍କ ସମେତ ବହୁ ଦେବାଦେବୀଙ୍କ ବେଶ ପରିଧାନ କରିଥିଲେ ।

ଏହା ବ୍ୟତୀତ ବଡଦାଣ୍ଡରେ ଥିବା ଜଗନ୍ନାଥ ମନ୍ଦିର ନିକଟରେ ପୌରାଣିକ ନାଟକ ରାମାୟଣ ମଧ୍ୟ ପରିବେଷିତ ହୋଇଥିଲା । ପୂର୍ବବର୍ଷ ତୁଳନାରେ ହଜାର ହଜାର ଜନସାଧାରଣ ପ୍ରଥମ ଥର ପାଇଁ ସ୍ୱତଃ ପ୍ରବୃତ୍ତ ଭାବେ ସାମିଲ ହୋଇଥିବାର ଦେଖିବାକୁ ମିଳିଥିଲା ଯାହାକି ଜିଲ୍ଲାବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଥିଲେ ।
ଗଜପତି ଜିଲ୍ଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥିଙ୍କ ରିପୋର୍ଟ
