February 18, 2026
Home » ପି ଏମ୍ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ

ପି ଏମ୍ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ପରିଭ୍ରମଣ

0
WhatsApp Image 2026-02-18 at 3.58.38 PM

 

ଛତ୍ରପୁର: ବିଦ୍ୟାଳୟ ବାହାରେ ପ୍ରତ୍ୟକ୍ଷ ଅଭିଜ୍ଞତା ଅନୁଭୂତି ହାସଲ ଲକ୍ଷ୍ୟ ଆଭିମୁଖ୍ୟ ନେଇ ଛତ୍ରପୁର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ପି ଏମ୍ ଶ୍ରୀ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପଠନ ରତ ଚାଳିଶିରୁ ଊର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଏକ ଶୈକ୍ଷିକ ପରିଭ୍ରମଣ ପରିପ୍ରେକ୍ଷୀରେ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ଅନ୍ତର୍ଗତ ଶିଳ୍ପ କାରିଗରୀ କଳା ସଂସ୍କୃତି ସମ୍ପନ୍ନ ଗ୍ରାମ ଡିମିରିଆକୁ ଆସି ବହୁ ଉପାଦେୟ ତଥ୍ୟ ସୂଚନା ଲାଭ କରିଛନ୍ତି । ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀମାନେ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ପଲେଇ, ସହକାରୀ ଶିକ୍ଷୟିତ୍ରୀ ରୋଜା ସାହୁ, ମୋନାଲିସା ପଣ୍ଡାଙ୍କ ସହିତ ଭ୍ରମଣରେ ଆସି ସର୍ବପ୍ରଥମେ ଡିମିରିଆ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟଠାରେ ପହଞ୍ଚିଥିଲେ । ସେହିଠାରୁ କନକା କ୍ଲଷ୍ଟର ସି ଆର ସି ସି ଡକ୍ଟର ଦ୍ବାରିକାନାଥ ମହାରଣା, ଶିକ୍ଷାବିତ୍ କେଦାରନାଥ ସାହୁଙ୍କ ସହଯୋଗରେ ମାଟିରେ ଗଢା ହେଉଥିବା ହାଣ୍ଡି, ମାଠିଆ, କଳସୀ, ସରା, ଦୀପ, ଫୁଲଦାନୀ, ଧୂପଦାନୀ ସହିତ ଆଖି ଲାଖି ରହିଲା ଭଳି ଟେରାକୋଟା ଶିଳ୍ପ ଆଦି ଗଢା ହେଉଥିବା ଦେଖିଥିଲେ । ପାରମ୍ପରିକ କୁମ୍ଭାର ଚକ ଏବଂ ଅତ୍ୟାଧୁନିକ ବିଦ୍ୟୁତ ପରିଚାଳିତ କୁମ୍ଭାର ଚକରେ ଶିଳ୍ପୀ ପ୍ରତ୍ୟକ୍ଷ ବହୁବିଧ ହସ୍ତଶିଳ୍ପ ନିର୍ମାଣ କରୁଥିବା ଦେଖି ଅତ୍ୟନ୍ତ ଉତ୍ସାହିତ ହୋଇଥିଲେ । ଛାତ୍ର ଛାତ୍ରୀମାନେ ସିଧାସଳଖ ପୁସ୍ତକରେ ସନ୍ନିବେଶିତ ଜ୍ଞାନ ସହିତ ବାହାର ପରିବେଶର ଜ୍ଞାନ ସହିତ ସମ୍ପୃକ୍ତ ହେବାର ସୁଯୋଗ ସେମାନେ ଉପଲବ୍ଧି କରିଥିଲେ । ଏତଦବ୍ୟତୀତ ଜାତୀୟ ରାଜପଥ-୧୬ ସାନଘାଟି ଅଞ୍ଚଳସ୍ଥ ବରିଷ୍ଠ ଆଇନଜୀବୀ ମାଗୁଣି ଚରଣ ପଲେଇଙ୍କ ସୁବିସ୍ତୃତ ଫାର୍ମ ହାଉସ ପରିଭ୍ରମଣ କରିଥିଲେ । ତାହାପରେ କନକା ଗ୍ରାମର ବିଶିଷ୍ଟ ପରିବେଶବିତ୍ ବୃକ୍ଷ ପ୍ରେମୀ ରାମଚନ୍ଦ୍ର ନାୟକଙ୍କ ୮ ଏକରରୁ ଉର୍ଦ୍ଧ୍ବ ପରିମିତ ଜମିରେ ଦୀର୍ଘ ଦଶନ୍ଧି ଧରି ଲଗାଇ ଆସିଥିବା ଆମ୍ବ, ପଣସ, ଗୁଆ, ନଡ଼ିଆ, ଅମୃତ ଭଣ୍ଡା, ପିଜୁଳି, ସେଓ, କଦଳୀ, ସପେଟା, କରମଙ୍ଗା, କମଳା ସହିତ ଔଷଧୀୟ ଗଛ, ମସଲା ଜାତୀୟ ଗଛ ଏପରିକି ଋଦ୍ରାକ୍ଷ, ହରିଡା, ବାହାଡା, ଅଁଳା ଆଦି ବିରଳ ଗଛଲତା ବୁଲି ଦେଖି ଚିହ୍ନିଥିଲେ । ଉକ୍ତ ବୃକ୍ଷ ଉଦ୍ୟାନର ସଫଳ ଚାଷୀ ରାମଚନ୍ଦ୍ର ନାୟକଙ୍କ ସହିତ ବିଭିନ୍ନ ଗଛଲତା ସମ୍ପର୍କରେ ଆଲୋଚନା କରିଥିଲେ । ଅନେକ ତଥ୍ୟ ହାସଲ କରିଥିଲେ, ଯାହାକି ଛାତ୍ର ଛାତ୍ରୀଙ୍କୁ ଶିକ୍ଷଣ କ୍ଷେତ୍ରରେ ନିତାନ୍ତ ଆବଶ୍ୟକ ରହିଛି ।

 

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *