ପୁରୀ ଜିଲ୍ଲା ସ୍ତରୀୟ ସୁପୋଷିତ କର୍ମଶାଳା ଅନୁଷ୍ଠିତ
ପୁରୀ: କୁପୋଷଣ କୁ ଦୂରେଇ ସମସ୍ତଙ୍କୁ ସୁପୋଷିତ କରିବା ସରକାରଙ୍କ ଲକ୍ଷ୍ୟ।ଏଥିପାଇଁ ଅଙ୍ଗନବାଡି ସ୍ତରରୁ ଉଦ୍ୟମ ଆରମ୍ଭ ହୋଇଛି ବୋଲି କହିଛନ୍ତି ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି।ଆଜି ପୂର୍ବାହ୍ନରେ ସଦଭାବନା ସଭାଗୃହ ଠାରେ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସୁପୋଷଣ ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏହାକୁ ଉଦଘାଟନ କରି ଶ୍ରୀ ପୃଷ୍ଟି ଶିଶୁ ମାନଙ୍କୁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଯୋଗାଣ ସହ ସୁସ୍ଥ ଓ ସୁନ୍ଦର ସ୍ବାସ୍ଥ୍ୟ ର ଅଧିକାରୀ ଯେପରି ସେମାନେ ହୋଇ ପାରିବେ ସେଥି ପ୍ରତି ସରକାର ବ୍ୟବସ୍ଥା କରିଛନ୍ତି।ଏହାକୁ ଯେପରି ଅଧିକ ଲୋକାଭିମୁଖୀ ଓ ସରଳ ପ୍ରକ୍ରିୟାରେ ଉପଯୋଗ କରାଯାଇ ପାରିବ ସେଥି ଲାଗି ଏହି ପ୍ରଶିକ୍ଷଣ ଶିବିର ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ।ଏହି ଅବସରରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଶୁଭେଚ୍ଛା ବାର୍ତ୍ତା ଓ ସୁପୋଷଣ ର ମହତ୍ତ୍ୱ ସମ୍ପର୍କରେ ଭିଡିଓ ବାର୍ତ୍ତା କୁ ଉପସ୍ଥାପନ କରାଯାଇଥିଲା।

ଏଥିରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସୁପୋଷଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ରାଜ୍ୟ ସ୍ତରୀୟ ମାଷ୍ଟର ଟ୍ରେନର ହୃଦୟ ପ୍ରଦୀପ ଓ ଇଶିକା ସୁପୋଷଣ ର ଉପଯୋଗ, ଅଙ୍ଗନବାଡ଼ି ରେ ତାହାର କାର୍ଯ୍ୟ କାରିତା, ପ୍ରତି ମାସର ପ୍ରଥମ ଓ ତୃତୀୟ ଶନିବାରକୁ ସମ୍ପ୍ରଦାୟ ଦିବସ ଭାବେ ପାଳନର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ସୁପରଭାଇଜର ଚନ୍ଦ୍ରପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ପୋଷଣ ର ଡିପିସି ସସ୍ମିତା କର୍ମକାର,ସମସ୍ତ ସିଡିପିଓ, ସୁପରଭାଇଜର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ପ୍ରାରମ୍ଭରେ ସୁପୋଷଣ ଶପଥ ପାଠ କରାଯାଇଥିଲା।
ପୁରୀ ଇପିଏ ରୁ ସୌଭାଗ୍ୟ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )
