ପୁରୀ ସହର କୁ ରାଜ୍ୟ ସରକାର ମହାନଗର ନିଗମ ଗଠନ ନେଇ ଘୋଷଣା
ପୁରୀ ସହର କୁ ରାଜ୍ୟ ସରକାର ମହାନଗର ନିଗମ ଗଠନ ନେଇ ଘୋଷଣା କରିଛନ୍ତି। ଏ ନେଇ ପ୍ରକ୍ରିୟା ମଧ୍ୟ ଆରଂଭ ହୋଇସାରିଛି। ତେବେ ପୁରୀ ସହର କୁ ଅଧିକ ଆକର୍ଷଣୀୟ, ସ୍ୱଚ୍ଛ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଆରଂଭ କରିଛନ୍ତି। ଏଣିକି ପୁରୀ ସହର ସ୍ୱଚ୍ଛତା କାର୍ଯ୍ୟକ୍ରମ କୁ ଭୋପାଳ ଓ ଇନ୍ଦୋର ସହର ର ସ୍ୱଚ୍ଛତା କାର୍ଯ୍ୟକ୍ରମ ଭଳି ହେବ। ପୁରୀ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ଭୋପାଳ ଓ ଇନ୍ଦୋର ଗସ୍ତ ରେ ଯାଇ ସେଠାରେ ଭୋପାଳ ଓ ଇନ୍ଦୋର ର ପୌର ପରିଷଦ ଦ୍ବାରା ସଫେଇ କାର୍ଯ୍ୟକ୍ରମ କୁ କିଭଳି କରାଯାଉଛି ତାହାର ଅନୁଧ୍ୟାନ କରିଚନ୍ତି। ଯାହାକି ଆଗାମୀ ଦୁଇ ମାସ ମଧ୍ୟରେ ଏହାକୁ ପୁରୀ ସହର ରେ ଲାଗୁକରାଯିବା । କିନ୍ତୁ ଏହା ପୂର୍ବରୁ ୨ ମାସ ପୁରୀ ସହର ବାସୀ ଙ୍କୁ ନୁଆ ସ୍ୱଚ୍ଛତା ଅଭିଯାନ ନେଇ ସଚେତନ କରାଯିବ। ଭୋପାଳ ଓ ଇନ୍ଦୋର ରେ ଲୋକ ମାନେ କଠିନ ବର୍ଜ୍ୟବସ୍ତୁ ଓ ତରଳ ବର୍ଜ୍ୟବସ୍ତୁ ଅଲଗା ଅଲଗା ଭାବେ ଅଳିଆ ସଂଗ୍ରହ ଗାଡ଼ି ରେ ପ୍ରଦାନ କରୁଚନ୍ତି। ଯାହା ଫଳରେ ସଂଗୃହିତ ବର୍ଜ୍ୟବସ୍ତୁ କୁ ପ୍ରକ୍ରିୟା କରଣ କରିବାରେ ସହଜ ହେଉଚି। ଏହି ପ୍ରକ୍ରିୟା ମଧ୍ୟ ପୁରୀ ପୌରାଞ୍ଚଳ ରେ ଲାଗୁ ହେବ। ଏ ନେଇ ଲୋକ ଙ୍କୁ ସଚେତନ କରାଯିବ। ସେହିପରି ରାସ୍ତା ଘାଟ ରେ ଅଳିଆ ପକାଇଲେ ଏଣିକି ଜୋରିମାନା ଦେବାକୁ ପଡ଼ିବ।୨୦୨୪-୨୫ ବର୍ଷ ରେ ସାରା ଭାରତରେ ସ୍ୱଚ୍ଛ ରାଜଧାନୀ ଭାବରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ମଧ୍ୟପ୍ରଦେଶ ର ରାଜଧାନୀ ଭୋପାଳ। ଭୋପାଳ ସହର କୁ ସ୍ୱଚ୍ଛ , ସରସ ସୁନ୍ଦର ସହର କରିବାରେ ବେଶ୍ ନିଷ୍ଠାର ସହ କାର୍ଯ୍ୟ କରୁଛି ଭୋପାଳ ମହାନଗର ନିଗମ। ଭୋପାଳ ସହର ବାସୀ ଙ୍କ ଠାରୁ ଅଲଗା ଅଲଗା କରି କଠିନ ଓ ତରଳ ବର୍ଜ୍ୟବସ୍ତୁ କୁ ଅଳିଆ ସଂଗ୍ରହ ଗାଡ଼ି ରେ ସଂଗ୍ରହ କରାଯାଉଛି। ଏହାକୁ ବିଭିନ୍ନ ପର୍ଯ୍ୟାୟ ରେ ଅଲଗା କରାଯାଇ ବିଭିନ୍ନ ବର୍ଜ୍ୟବସ୍ତୁ କୁ ଅଲଗା ଅଲଗା ପ୍ରକ୍ରିୟା କରଣ କରାଯାଉଛି। ସହର କୁ ଦିନ କୁ ଦୁଇ ଥର ସଫେଇ କରାଯାଉଛି। ସହର ରେ ସିସିଟିଭି କ୍ୟାମେରା ଲଗାଯାଇଛି। ରାସ୍ତା ରେ କେହି ବ୍ୟକ୍ତି ଅଳିଆ ପକାଇଲେ ତାଙ୍କୁ ଜୋରିମାନା ଆଦାୟ କରାଯାଉଛି। ସହର ରେ ଗଛ ଲଗାଯାଇ ସବୁଜ ବଳୟ ସୃଷ୍ଟି କରାଯାଇଛି। ସ୍ୱଚ୍ଛତା ସମ୍ପର୍କରେ ସ୍କୁଲ କଲେଜ୍ ରେ ଛାତ୍ର ଛାତ୍ରୀ ଙ୍କୁ ସଚେତନ କରାଯାଉଛି। ଏଣୁ ଏହି ପ୍ରକ୍ରିୟା ମଧ୍ୟ ପୁରୀ ସହର ରେ ଲାଗୁ ହେବାର ଆବଶ୍ୟକତା ଥିବା ବୁଦ୍ଧିଜୀବି ଓ ପୁରୀ ସହର ବାସୀ ମତ ଦେଇଛନ୍ତି। ତେବେ ସ୍ୱଚ୍ଛତା କୁ ନେଇ ବ୍ୟାପକ ସଚେତନତା ସହ ନିୟମ ଉଲଘଂନ କଲେ କଡା ଜୋରିମାନା ବ୍ୟବସ୍ଥା ହେଲେ ହିଁ ପୁରୀ ସହର ରେ ସ୍ୱଚ୍ଛତା ଅଭିଯାନ ସଫଳ ହେବ ବୋଲି ବୁଦ୍ଧିଜୀବି ଓ ସମାଜସେବୀ କହିଛନ୍ତି।ପୁରୀ ପୌର ପାଳିକାରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ସହରରେ ବର୍ଷକୁ ହାରାହାରି ୭୨୦ ଟନ ପ୍ଲାଷ୍ଟିକ ବର୍ଜ୍ୟ ସୃଷ୍ଟି ହେଉଛି। ତେବେ ଏହି ପ୍ଲାଷ୍ଟିକ ବର୍ଜ୍ୟକୁ ୬ ଟି ଏମଆରଏଫ୍ (ମ୍ୟାଟ୍ରିଆଲ ରିକଭରି ଫାସିଲିଟି) ୟୁନିଟ ସାହାଯ୍ୟରେ ରିସାଇକେଲ କରାଯାଉଛି । ତେବେ କ୍ଷମତା ଅନୁସାରେ ଅଧିକ ପ୍ଲାଷ୍ଟିକ ବର୍ଜ୍ୟ ଆସୁଥିବାରୁ ସବୁ ପ୍ଲାଷ୍ଟିକକୁ ରିସାଇକଲ କରାଯାଇ ପାରୁନାହିଁ। ଫଳରେ ରାସ୍ତାରେ ଏଣେତେଣେ ପଡ଼ି ରହି ପ୍ଲାଷ୍ଟିକ ପ୍ରଦୂଷଣ ଗୁରୁତର ରୂପ ନେଉଛି। ପୁରୀରେ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ସହରରେ ୧ ୦ ଟି, ନୂଆ ନଈରେ ଗୋଟିଏ, ରାମଚଣ୍ଡୀରେ 3 ଟି, ଚନ୍ଦ୍ରଭାଗା ପାଇଁ ୩ ଟି ରିଭର୍ସ ଭେଣ୍ଡିଂ ମେସିନ ସ୍ଥାପନର ଜରୁରୀ ଆବଶ୍ୟକତା ରହିଛି। ପୁରୀ ସମେତ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳୀ ଗୁଡିକରେ ଏକକ ପ୍ଲାଷ୍ଟିକ ବ୍ୟବହାର ଉପରେ କଡା କଟକଣା ପ୍ରଶାସନ ତରଫରୁ ହେବା ଉଚିତ୍ ବୋଲି ବୁଦ୍ଧିଜୀବି ମତ ରଖିଛନ୍ତି।ବୁଦ୍ଧିଜୀବି ଶ୍ରୀମନ୍ତ କୁମାର ଦାଶ ନିଜ ପ୍ରତିକ୍ରିୟାରେ କୁହନ୍ତି, ସାରା ଭାରତ ରେ ଭୋପାଳ ଓ ଇନ୍ଦୋର ସହର ସ୍ୱଚ୍ଛତା ରେ ବେଶ୍ ଭଲ ସ୍ଥାନରେ ରହିଛି । ଯେହେତୁ ଆଗାମୀ ଦିନରେ ପୁରୀ ପୌରପାଳିକା ମହାନଗର ନିଗମର ହେବାକୁ ଯାଉଛି ପୁରୀ କୁ ଭୋପାଳ, ଇନ୍ଦୋର ଭଳି ଏକ ସ୍ଵଚ୍ଛ ସହର ପାଇଁ ସରକାର ପ୍ରୟାସ ଆରଂଭ କରିଛନ୍ତି। ପୁରୀ ରୁ ପୌର ଅଧିକାରୀ ସେଠାକୁ ଯାଇ କିଭଳି ସେଠାରେ ସଫଳ ସ୍ୱଚ୍ଛତା ଅଭିଯାନ ଚାଲିଚି ସେ ନେଇ ଅନୁଧ୍ୟାନ କରି ଆସିଛନ୍ତି। ଯାହାକି ପୁରୀ ରେ ଏହାକୁ ଲାଗୁ କରିବା ପାଇଁ ପ୍ରୟାସ ଆରଂଭ ହୋଇଛି। ଯାହା ବେଶ୍ ସ୍ବାଗତଯୋଗ୍ୟ। ତେବେ ସବୁଠୁ ବଡ କଥା ହେଉଛି ଯେତେଦିନ ଯାଏ ଆମେ ପୁରୀ ବାସୀ ସ୍ୱଚ୍ଛତା କୁ ନେଇ ସଚେତନ ନ ହେବା ଏହି କାର୍ଯ୍ୟକ୍ରମ ସଫଳ ହେବ ନାହିଁ। ଆମେ ନିଜେ ସଚେତନ ହେବା ସହ ଅନ୍ୟ ମାନଙ୍କୁ କରାଇବା। ତେବେ କିଭଳି ଅଳିଆ ଦେବାକୁ ପଡ଼ିବ ସେ ନେଇ ଲୋକ ଙ୍କୁ ସଚେତନ କରିବାକୁ ପଡ଼ିବ। ରାସ୍ତା ଘାଟରେ ଅଳିଆ ପକାଇଲେ ଜୋରିମାନା ମଧ୍ୟ ବ୍ୟବସ୍ଥା ହେବା ଆବଶ୍ୟକ । ଦଣ୍ଡ ନ ରହିଲେ ଲୋକ ଙ୍କ ଭିତରେ ଭୟ ରହିବନି। ଫଳରେ ସ୍ୱଚ୍ଛତା ଅଭିଯାନ ସଫଳ ହେବ ନାହିଁ। କିଛି କିଛି ସ୍ଥାନ ରେ ସିସିଟିଭି କ୍ୟାମେରା ଲଗାଯାଇ ସ୍ୱଚ୍ଛତା ନିୟମ ମାନୁନଥିବା ଲୋକ ଙ୍କୁ ଜୋରିମାନା ହେବା ର ଆବଶ୍ୟକତା ରହିଛି।ପୁରୀ ସହର ବାସିନ୍ଦା ତଥା ସାମାଜିକକର୍ମୀ ବିସ୍ମୟ ମିଶ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ପୁରୀ କୁ ସ୍ୱଚ୍ଛ ସହର କରିବା ପାଇଁ ଅନେକ ଅଧିକାରି ବିଭିନ୍ନ ସହର କୁ ଗସ୍ତ କରି ସଫେଇ ପ୍ରକ୍ରିୟା କୁ ଅନୁଧ୍ୟାନ କରି ଆସିଛନ୍ତି। ହେଲେ ପୁରୀ କୁ ସ୍ୱଚ୍ଛ ସହର କଣ ପାଇଁ କରାଯାଇପାରୁନି ? ମୁଖ୍ୟତ ପୌର ପଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ କୁ ଅନୁଧ୍ୟାନ କରାଯାଉନାହିଁ। ତଦାରଖ ଅଭାବ ରୁ ଏହା ସଫଳ ହେଉନାହିଁ। ଏଥିପାଇଁ ପୌର ପାଳିକା ପକ୍ଷରୁ ଅଧିକ କର୍ମଚାରି ରଖିବାକୁ ପଡିବ ।ଘର କୁ ଘର ଯାଇ ଅଳିଆ ସଂଗ୍ରହ କାର୍ଯ୍ୟ କୁ ତଦାରଖ କରିବାକୁ ପଡ଼ିବ। କେବଳ ସେତିକି ନୁହେଁ ଜୋରିମାନା ବ୍ୟବସ୍ଥା ରହିବା ଦରକାର୍। ଜୋରିମାନା ବ୍ୟବସ୍ଥା ରହିଲେ ଲୋକ ଙ୍କ ଭୟ ରହିବ । ଫଳରେ ରାସ୍ତା ଘାଟରେ ଲୋକେ ଅଳିଆ ଆବର୍ଜ୍ଜନା ପକାଇବେ ନାହିଁ। ବିନା ଜୋରିମାନା ରେ କେବଳ ଲୋକ ଙ୍କୁ ସଚେତନ କରାଗଲେ ଏହା ସଫଳ ହେବ ନାହିଁ। ସ୍ୱଚ୍ଛତା ନିୟମ ଉଲଘଂନ କରୁଥିବା ଲୋକ ଙ୍କ ଉପରେ ନଜର ରଖିବାକୁ ପାଇଁ ସହର ରେ ସିସିଟିଭି କ୍ୟାମେରା ଲଗାଯାଉ। ସବୁ ଅଞ୍ଚଳ ରେ ଥିବା ସ୍ବେଛାସେବୀ, ମୂରବୀ, ଲୋକ ପ୍ରତିନିଧି ମାନଙ୍କୁ ନେଇ ସ୍ୱଚ୍ଛତା ଅଭିଯାନ କୁ କାର୍ଯ୍ୟକାରୀ କରାଯାଉ। ଏହା ହେଲେ ହିଁ ପୁରୀ ସହର ରେ ସ୍ୱଚ୍ଛତା ଅଭିଯାନ ସଫଳ ହୋଇପାରିବ । ପ୍ରତ୍ୟେକ ୱାର୍ଡ ରେ ସ୍ୱଚ୍ଛତା କୁ ନେଇ ବୈଠକ ଅନୁଷ୍ଠିତ ହେଉ।ପୁରୀ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ନିଜ ପ୍ରତିକ୍ରିୟାରେ କୁହନ୍ତି, ଆମେ ଭୋପାଳ, ଇନ୍ଦୋର କୁ ଯାଇ ସେଠାରେ ସଫେଇ କାର୍ଯ୍ୟକ୍ରମ କିଭଳି କରାଯାଉଛି ତାହାର ପ୍ରକ୍ରିୟା କିଭଳି ରହିଚି ତାହା ଅନୁଧ୍ୟାନ କଲୁ। ତେବେ ମୂଳ କଥା ହେଉଚି ସେଠାରେ ଲୋକ ମାନେ କଠିନ ଓ ତରଳ ବର୍ଜ୍ୟବସ୍ତୁ କୁ ଅଲଗା ଅଲଗା କରି ଦେଉଚନ୍ତି। ଯାହା ସବୁ ବର୍ଜ୍ୟବସ୍ତୁ କୁ ଅଲଗା ଅଲଗା କରାଯାଇ ଏହାର ପ୍ରକ୍ରିୟା କରଣ ସହଜ ରେ କରାଯାଉଛି। ତେବେ ୨୦୨୨-୨୩ ରୁ ପୁରୀ ରେ ଘର କୁ ଘର ଯାଇ ଅଳିଆ ସଂଗ୍ରହ କାର୍ଯ୍ୟ ଆରଂଭ ହୋଇଥିଲା। ହେଲେ ଲୋକ ମାନେ କଠିନ ଓ ତରଳ ବର୍ଜ୍ୟବସ୍ତୁ କୁ ଏକାଠି ଦେଉଚନ୍ତି। ଏବେ ଅଲଗା ଅଲଗା ଦେବାକୁ ନେଇ ଆମେ ସଚେତନ କରାଇବୁ। ସେହିପରି ରାସ୍ତା ଘାଟରେ ଅଳିଆ ପକାଇଲେ ଜୋରିମାନା ବ୍ୟବସ୍ଥା କରିବୁ। ପ୍ରଥମେ ଦୁଇ ମାସ ଲୋକ ଙ୍କୁ ସଚେତନ କରାଇବା ପରେ ସ୍ୱଚ୍ଛତା ନିୟମ କୁ କଡାକଡି କରାଯିବ। ତେବେ ଲୋକ ମାନେ ସଚେତନ ହେଲେହିଁ ପୁରୀ ସହର କୁ ସ୍ୱଚ୍ଛ, ସରସ ସୁନ୍ଦର କରିହେବ।
