ପୋଲସରା ବାର ଆସୋସିଏସନ ପକ୍ଷରୁ ‘ମଧୁ ଜୟନ୍ତୀ’ ତଥା ‘ଆଇନଜୀବୀ ଦିବସ’ ପାଳନ ‘ଭାରତ ରତ୍ନ’ ଦେବାକୁ ଦାବୀ
ପୋଲସରା ଉକ୍ତଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୮ ତମ ଜୟନ୍ତୀ ତଥା ‘ଆଇନଜୀବୀ ଦିବସ’ ଅବସରରେ ଗଞ୍ଜାମ ଜିଲ୍ଲା ପୋଲସରା ଓକିଲ ସଂଘ ପକ୍ଷରୁ ପାଳନ କରାଯାଇଥିଲା। ସଭାପତି କବିରାଜ ଦାସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ଅନେକ ସଦସ୍ୟବୃନ୍ଦ ଉପସ୍ଥିତ ରହି ସର୍ବ ପ୍ରଥମେ ମଧୁବାବୁଙ୍କ ଫଟୋଚିତ୍ରରେ ଭକ୍ତିପୂତ ଭାବେ ପୁଷ୍ପ ମାଲ୍ୟାର୍ପଣ ଏଵଂ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସମ୍ପାଦକ ବ୍ରଜେନ୍ଦ୍ର ସାହୁଙ୍କ ସଂଯୋଜନାରେ ମଧୁବାବୁଙ୍କ ସମାଜ ପାଇଁ ଅତୁଳନୀୟ ଅବଦାନ, ତାଙ୍କର ସ୍ୱାଭିମାନ, ସ୍ମରଣ ଓ ଗାରିମା ଉପରେ ଉପସ୍ଥିତ ସଦସ୍ୟମାନେ ନିଜ ନିଜର ସୁଚିନ୍ତିତ ମତ ପ୍ରକାଶ କରିବାସହ ଏଭଳି ମହାନବ୍ୟକ୍ତିଙ୍କୁ ‘ଭାରତ ରତ୍ନ’ ଦିଆଯାଉ ବୋଲି ଦାବୀ କରିଛନ୍ତି। ଏହି ଅବସରରେ ପ୍ରତିବର୍ଷ ପରି ସଂଘର ବରିଷ୍ଠ ଓକିଲ ଲକ୍ଷ୍ମୀକାନ୍ତ ପାତ୍ର ଓ ପ୍ରଶାନ୍ତ କୁମାର ଆଚାରୀ ଉଭୟଙ୍କୁ ସଂଘ ପକ୍ଷରୁ ପର°ପରା ଅନୁସାରେ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମରେ ସଂଘର ନିର୍ବାଚନ ଅଧିକାରୀ ଶରତ କୁମାର ପଟ୍ଟନାୟକ ଓ ସହକାରୀ ନିର୍ବାଚନ ଅଧିକାରୀ ପବିତ୍ର କୁମାର ନାୟକଙ୍କ ସମେତ ସହ ସମ୍ପାଦକ ବିଜୟ କୁମାର ସାହୁ, ଜ୍ୟୋତିର୍ମୟ ପଟ୍ଟନାୟକ, ଅନିଲ କୁମାର ମହାକୁଡ଼, ପ୍ରହଲ୍ଲାଦ ବିଷୋୟୀ, ବାସୁଦେବ ଡାକୁଆ ଓ ହରିହର ସାହୁ ଓ ପ୍ରଶାନ୍ତ କୁମାର ସାହାଣୀ ପ୍ରମୁଖ ଓକିଲ ବନ୍ଧୁମାନେ ଯୋଗଦେଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ବିଜୟ କୁମାର ସାସମଲ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
