ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ
ଅନ୍ତର୍ବିଭାଗୀୟ ସମନ୍ୱୟ ଓ ପାରସ୍ପରିକ ସହଯୋଗ ଉପରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଗୁରୁତ୍ୱାରୋପ
ପୋଲସରା/ଛତ୍ରପୁର : ଗଂଜାମ ଜ଼ିଲ୍ଲା ଅନ୍ତର୍ଗତ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି (Assembly Constituency Development Committee – ACDC) ବୈଠକ ଆଜି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୋଲସରା ବିଧାନସଭା କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସମୀକ୍ଷା ସହ ଭବିଷ୍ୟତ ପରିକଳ୍ପନା ଉପରେ ବିଷଦ ଆଲୋଚନା ହୋଇଥିଲା ।
ମନ୍ତ୍ରୀ ଶ୍ରୀ ମଲ୍ଲିକ ସମସ୍ତ ବିଭାଗକୁ ପୋଲସରା ବିଧାନସଭା କ୍ଷେତ୍ରର ସାମଗ୍ରିକ ଉନ୍ନତି ପାଇଁ ଡିପିଆର ତାସହ ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସାମୁହିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରକଳ୍ପର ରୂପରେଖ ଓ ସେହି ସମ୍ପର୍କିତ ପ୍ରସ୍ତାବ ଆଗତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତା ସହ ସେ ସଠିକ ଅନ୍ତର୍ବିଭାଗୀୟ ସମନ୍ୱୟ ଓ ପାରସ୍ପରିକ ସହଯୋଗ ଉପରେ ପ୍ରାଧାନ୍ୟ ଦେବା ପୂର୍ବକ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ଲକ୍ଷ୍ୟ ପୂରଣରେ ପୋଲସରାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଓ୍ବି କୀର୍ତ୍ତି ଓ୍ବାସନ୍ ଜ଼ିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ଅଗଷ୍ଟ ୧୬, ୨୦୨୪ ତାରିଖରେ ଆୟୋଜିତ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଗୃହୀତ ନିଷ୍ପତ୍ତି ଗୁଡ଼ିକର କାର୍ଯ୍ୟାନୁଷ୍ଠାନ/ତତସଂପର୍କିତ ରିପୋର୍ଟ ସମ୍ବନ୍ଧରେ ଅବଗତ କରିବା ପାଇଁ ପରାମର୍ଶ ଦେବା ସହ ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ନିର୍ଦ୍ଦେଶର ପୁନରାବୃତ୍ତି କରି ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ଓ ପ୍ରକଳ୍ପ ଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ ।ବୈଠକରେ ବିଭାଗ ଭିତ୍ତିକ ଉନ୍ନୟନ ଓ କଲ୍ୟାଣମୂଳକ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମ ଶ୍ରୀ ବିଜୟ କୁମାର ବେହେରା ସ୍ୱାଗତ ଭାଷଣରେ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକର ଆଭିମୁଖ୍ୟ ଓ ଆଲୋଚ୍ୟ ବିଷୟବସ୍ତୁ ସମ୍ପର୍କରେ ବୈଠକକୁ ଅବଗତ କରିଥିଲେ ।
ପୋଲସରା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ପ୍ରଧାନ ଓ ଛତ୍ରପୁର ଉପ ଜିଲ୍ଲାପାଳ ଶ୍ରୀ ଶିବାଶିଷ ବରାଳ ବୈଠକରେ ଯୋଗଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅଶୋକ କୁମାର ଦାସ, ସହକାରୀ ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ବିଶ୍ୱାଳ, ବରିଷ୍ଠ ଅର୍ଥନୈତିକ ଅଧିକାରୀ ଶ୍ରୀ ଇନ୍ଦ୍ରଜିତ୍ ମଲ୍ଲିକ ଓ ଅନ୍ୟ ଅଧିକାରୀମାନେ ବୈଠକର ସଂଯୋଜନା କରିଥିଲେ ।
ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ପୂର୍ତ୍ତ, ଗ୍ରାମୀଣ ଉନ୍ନୟନ, ଜଳସମ୍ପଦ, ପାନୀୟଜଳ, ଶକ୍ତି, ମହିଳା ଓ ଶିଶୁ ବିକାଶ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି, ଶ୍ରମ ବିଭାଗ ଓ କର୍ମଚାରୀ ରାଜ୍ୟ ବୀମା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ନଗର ଉନ୍ନୟନ ଆଦି ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର କାର୍ଯ୍ୟଯୋଜନା ଓ ଭବିଷ୍ୟତ ପରିକଳ୍ପନା ଉପସ୍ଥାପନ କରିଥିଲେ ।
