ପ୍ରକୃତି ବିହାର ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ରାଜଗିରି
ନୟାଗଡ଼:ନୟାଗଡ଼ ଜିଲ୍ଲାର ସବୁଠାରୁ ପ୍ରାକୃତିକ ମନୋମୁଗ୍ଧକର ପରିବେଶ ତଥା ଉଚ୍ଚା ପାହାଡ଼ ହେଉଛି ରାଜଗିରି I ପର୍ଯ୍ୟଟନ ପାଇଁ ଏହା ହେଉଛି ଏକ ଉକୃଷ୍ଣ ସ୍ଥାନ। ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖର ଏହି ପାହାଡ଼କୁ ଦୁଇଟି ନଳୀ ଦ୍ବାରା ମାପ କରିବା ଏବଂ ରାଜଗିରି ପାହାଡ଼ ଉପରେ ବସି ସିନ୍ଧାନ୍ତ ଦର୍ପଣର କିଛି ଅଂଶ ରଚନା କରିଥିବା ସୂଚନା ରହିଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମାଳିସାହିରେ ଅବସ୍ଥାନ ସମୟରେ ଢେଙ୍କେଣା ମଠରେ ସିଦ୍ଧିପ୍ରାପ୍ତ ହେବା ସହ ରାଜଗିରି ପାହାଡ଼ ତାଙ୍କ ସାଧନାର ଅନ୍ୟତନ ସ୍ଥାନ ବୋଲି କୁହାଯାଏ । ବନବିଭାଗ ଅଧୀନରେ ରହିଥିବା ଏହି ପାହାଡ଼ ଏକ ଅଧ୍ଯାମ୍ବିକ ସ୍ଥାନ । ଏଠାରେ ମହାବୀରଙ୍କୁ ପୂଜା କରାଯାଉଥିବା ବେଳେ ପ୍ରାକୃତିକ ଶୋଭାରାଜି ଅନନ୍ୟ । ଏହି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ର ବୁଲିବାକୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହାର ବିକାଶ କେବଳ ପ୍ରତିଶ୍ରୁତିରେ ସୀମିତ ବୋଲି ଆଲୋଚନା ହେଉଛି।ନୟାଗଡ଼ ବନଖଣ୍ଡ ଅଧୀନସ୍ଥ ନୟାଗଡ଼ ବନାଞ୍ଚଳ ଏବଂ ଖଣ୍ଡପଡ଼ା ବନାଞ୍ଚଳର ସୀମାନ୍ତରେ ରହିଛି ରାଜଗିରି । ନୟାଗଡ଼ ସଦରବ୍ଲକ ପାଣିପୋଇଲାଠାରୁ ହାତୀମୁଣ୍ଡା ଜଙ୍ଗଲକୁ ଯିବା ପରେ ରାଜଗିରି ଯିବାକୁ ରାସ୍ତା ରହିଛି | ଘଞ୍ଚ ଜଙ୍ଗଲ ମଧ୍ୟରେ ୩ଟି ଝରଣା କଦଳୀଗଣ୍ଡ ଝରଣା, ମୁକ୍ତାଝର ଝରଣା ଓ ଗୁଲୁବାସ ଝରଣା ତଳ ଉପର ହୋଇ ରହିଛି।ଝରଣାରେ ପର୍ଯ୍ୟଟକମାନେ ଗାଧୋଇବାର ମଜା ନେଉଥିବା ବେଳେ ମୁକ୍ତାଝର ଝରଣା ପାହାଡ଼ ଶିଖରୁ ବହି ଆସିବାର ଦୃଶ୍ୟ ବେଶ ଆକର୍ଷଣୀୟ ପାଲଟୁଛି। ସମାନଭାବେ ରାଜଗିରି ପାହାଡ଼ଠାରୁ ଅନତି ଦୂରରେ ରହିଛି ଏକ ରହସ୍ୟମୟ ଗୁମ୍ଫା। ଯେଉଁ ଗୁମ୍ଫାର ତିନୋଟି ରାସ୍ତା ରହିଥିବା ବେଳେ ୨ଟି ରାସ୍ତା କାଳକ୍ରମେ ବନ୍ଦ ହୋଇଯାଇଛି। ଏହି ଗୁମ୍ଫା ମଧ୍ୟରେ ଅନେକ ଐତିହାସିକ କଥା ଲୁଚି ରହିଥିବା କୁହାଯାଉଛି। ଉକ୍ତ ଗୁମ୍ଫା ନିକଟରେ ମାନସିକ ଧାରୀମାନେ ପଥର ଖଣ୍ଡ ପକାଇ ନିଜର ମାନସିକ କରିଥାନ୍ତି । କାହିଁ କେଉଁ କାଳରୁ ପାହାଡ଼ ଶିଖରରେ ପୂଜା ପାଉଛନ୍ତି ମହାବୀର। ମହାବୀରଙ୍କ ପାଦ ଚିହ୍ନ ପାହାଡ଼ ଶିଖରରେ ରହିଥିବା ବେଳେ ଅର୍ଦ୍ଧନିର୍ମିତ ଏକ ଛୋଟ ମନ୍ଦିର ରହିଛି।ଏହି ସ୍ଥାନରେ ଯାହା ମାନସିକ କରିଲେ, ତାହା ପ୍ରାପ୍ତ ହୋଇଥାଏ ବୋଲି ଭକ୍ତମାନେ କୁହନ୍ତି। ଅଗନା ଅଗନି ବନସ୍ତ ଭିତରେ ତଥା ମନ୍ଦିରକୁ ଲାଗି ରହିଥିବା ବିଶାଳ ପଥର ଚଟାଣ ଉପରେ ବଣଭୋଜି କରି ରାତ୍ରୀଯାପନ କରିବାର ମଜ୍ଜା ଏକ ନିଆରା ଅନୁଭୂତି ଆଣେ ବୋଲି ପର୍ଯ୍ୟଟକ ମାନେ କହି ଖୁସି ହୁଅନ୍ତି | ବିଳମ୍ବିତ ରାତ୍ରୀରେ ପାହାଡ଼ରୁ ସଙ୍କୀର୍ତନ, ଘଣ୍ଟ , ଶଙ୍ଖ ଧନି ଭାସି ଆସୁଥିବା ଅନେକ ଲୋକଙ୍କ ଠାରୁ ଶୁଣିବାକୁ ମିଳେ | ଧର୍ମୀୟ ଭାବନାରେ ଏଠାରେ ଅନେକ ମୁନିଋଷି ସାଧନା କରି ସିଦ୍ଧିପ୍ରାପ୍ତ ହୋଇଥିବା ଜଣାଯାଏ ।ଖାଲି ସେତିକି ନୁହେଁ ଏହି ପୀଠରେ ମହାମହୋପାଧ୍ୟାୟ ପଠାଣି ସାମନ୍ତ ଚନ୍ଦ୍ରଶେଖର ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାଧନାରେ ରାଜଗିରି ପାହାଡ଼ର ଭୂମିକା ଅନନ୍ୟ ବୋଲି ଅନେକ ପୁସ୍ତକରୁ ଜଣାଯାଏ। ପାହାଡ଼ ଶିଖରରେ ମହାବୀରଙ୍କ ସହିତ ମହାଦେବ ପୂଜା ପାଉଛନ୍ତି । ସେଠାରେ ଥିବା ଏକ କଇଁଆ ଗଛ ମୂଳରେ ପୂଜା ପାଉଛନ୍ତି ମା’ ଖଣ୍ଡାଦୁର୍ଗା | ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ମହାବୀର ସେବା ସଂଘର ଉଦ୍ୟମ କ୍ରମେ ୟଏହି ସ୍ଥାନରେ ତିନୋଟି ସୋଲାର ଲାଇଟ୍ ,ଦୁଇଟି ଟିଣ ଛପର ଘର ଓ ମହାବୀରଙ୍କର ଏକ ଅର୍ଦ୍ଧନିର୍ମିତ ମନ୍ଦିର ନିର୍ମାଣ ହୋଇଛି।ଅର୍ଥ ଅଭାବରୁ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ବୋଲି କହନ୍ତି ଏହାର ମୁଖ୍ୟ ଦୀପକ ରଞ୍ଜନ ସାହୁ ଓ ସନ୍ତୋଷ କୁମାର ମହାପାତ୍ର ।ଏହି କ୍ଷେତ୍ରର ଉନ୍ନତି ଓ ବିକାଶ ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ବିଭାଗୀୟ ତତ୍ପରତା ଦେଖାଯାଉ ନାହିଁ ବୋଲି ସେମାନେ କୁହନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କ ସାହାଯ୍ୟରେ ୩ କିଲୋମିଟର ପାହାଡ଼ ଉପରୁ ପାଇପ୍ ଯୋଗେ ଏହି ପୀଠକୁ ଝରଣା ପିଇବା ପାଣି ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି ।ପ୍ରାକୃତିକ ପରିବେଶରେ ରାଜ୍ କରୁଥିବା ରାଜଗିରୀ ପ୍ରତି ପର୍ଯ୍ୟଟକମାନେ ଅଧିକ ଆକୃଷ୍ଟ ହେଉଥିବା ବେଳେ ଏହାର ବିକାଶ ପ୍ରତି ସରକାର ଟିକେବି ଆଡ଼ ଆଖି ନପକାଇବା ବହୁ ପର୍ଯ୍ୟଟକଙ୍କୁ ବ୍ୟଥିତ କରିଛି। ଜଙ୍ଗଲ ମଧ୍ୟରେ ରହିଥିବା ଏହି ସ୍ଥାନକୁ ଗମନାଗମନ ପାଇଁ ବହୁ ଅସୁବିଧା ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୃଷ୍ଟି ଦିଆଯାଉନାହିଁ Iଜିଲା ତଥା ଜିଲ୍ଲା ବାହାରର ପର୍ଯ୍ୟଟକଙ୍କ ପାଇଁ ରାଜଗିରୀ ଏକ ଆକୃଷ୍ଟ ସ୍ଥାନ ପାଲଟି ଥିଲାବେଳେ ଏମିତି ଏକ ମନୋମୁଗ୍ଧକର ସ୍ଥାନର ବିକାଶ ପ୍ରତି ସରକାରଙ୍କ କାହିଁକି ଅଣଦେଖା ବୋଲି ପ୍ରଶ୍ନ ଉଠିଛି।ପାହାଡ଼ ଶିଖର ମହାବୀରଙ୍କ ପୀଠରେ ଆମିଷ ବାରଣ ରହିଥିବା ବେଳେ ତଳେ ରହିଥିବା କଦଳୀ ଗଣ୍ଡ ଝରଣା ଏବଂ ମୁକ୍ତାଝର ଝରଣାରେ ଆମିଷ ରୋଷେଇ କରାଯାଉଛି ।ମହାବୀର ସେବା ସଂଘ ସୌଜନ୍ୟରୁ ପାହାଡ଼ ଶିଖରରେ ରୋଷେଇ ସାମଗ୍ରୀ ମହଜୁଦ ରହିଛି | ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ରାଜଗିରି ଆସୁଥିବା ବେଳେ ଅନେକ ଏଠାରେ ରାତ୍ରୀଯାପନ କରିଥାନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରାକୃତିକ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଦାବି ହେଉଛି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।
