ପ୍ରିୟ ଖବରର ଦ୍ୱାଦଶ ତମ ସ୍ୱନକ୍ଷତ୍ର
ସମାଜ ସୁଧାର ପାଇଁ ନିରପେକ୍ଷ ଖବର ପରିବେଷଣ ଜରୁରୀ
ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଜନସାଧାରଣଙ୍କୁ ସଚେତନ କରିବା ସମାଜ ତଥା ଦେଶର ବିକାଶ ପାଇଁ ମହାତ୍ମା ଗାନ୍ଧୀ, ଗୋପବନ୍ଧୁ ଦାସ ସମ୍ବାଦପତ୍ର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚୁଥିଲେ । ସେତେବେଳେ ହାତଗଣତି କେତୋଟି ଖବର କାଗଜ ପ୍ରକାଶ ପାଉଥିଲା । ହେଲେ ଗଠନମୂଳକ ଖବର ପ୍ରକାଶ ପାଉଥିଲା, ଯାହା ସମାଜର ହିତ ସାଧନ କରୁଥିଲା । ଏବେ ଅନେକ ପରିବର୍ତ୍ତନ ହୋଇଛି । ଡିଜିଟାଲ ସହିତ ସାମାଜିକ ଓ ବୈଦ୍ୟୁତିକ ଗଣମାଧ୍ୟମ ସଙ୍ଗେ ସଙ୍ଗେ ଖବର ପ୍ରକାଶ କରୁଛନ୍ତି ସତ, ହେଲେ ସେଥିରେ ସତ୍ୟତା କେତେ ତାହା ଜାଣିବା ମୁସ୍କିଲ୍ । ଗୋଟିଏ ଖବର କାଗଜର ବୟସ କେତେ ହୋଇଛି ତାହା ବଡ଼କଥା ନୁହେଁ, ଖବର କାଗଜରେ କେଉଁ ବର୍ଗଙ୍କ ପାଇଁ କଣ ଅଛି ଓ ସମାଜର କେତେ ହିତ ସାଧନ କରୁଛି, ତାହା ଜାଣିବା ଉଚିତ୍ । ସମାଜର ବିକାଶ ପାଇଁ ନିରପେକ୍ଷ ଖବର ପରିବେଷଣ କରାଯିବା ଉଚିତ୍ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

ସ୍ଥାନୀୟ ଜୟଦେବ ଭବନରେ ପ୍ରିୟ ଖବରର ଏକାଦଶତମ ସ୍ୱନକ୍ଷତ୍ର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ ଯୋଗଦେଇ କହିଥିଲେ ଯେ, ପ୍ରିୟ ଖବର ସମସ୍ତଙ୍କର ପ୍ରିୟ ହେଉ । ଏଥିରେ ଅନୁସନ୍ଧାନମୂଳକ ଓ ସତ୍ୟ ଖବର ଉପସ୍ଥାପନା କରାଯାଉ । କାରଣ ସତ୍ୟ ଓ ନିରପେକ୍ଷ ଖବର ସମାଜ ସୁଧାରରେ ସହାୟକ ହୋଇଥାଏ. ସାମ୍ବାଦିକମାନଙ୍କ କାମ ହେଲା- ସତ୍ୟ, ନିର୍ଭିକ, ନିରପେକ୍ଷ ଓ ଗଠନମୂଳକ ଖବର ପରିବେଷଣ କରିବା । ଏହାଦ୍ୱାରା ସମାଜର ମଙ୍ଗଳ ହେବ । ମୁଖ୍ୟ ବକ୍ତା ଭାବେ ବିଧାୟକ ଡ଼. ଅରୁଣ କୁମାର ସାହୁ ଯୋଗଦେଇ ବର୍ତ୍ତମାନ ସମୟରେ ଖବରକାଗଜର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ. ସମ୍ମାନିତ ଅତିଥି ଭାବେ ଉଠାଜଳ ସେଚନ ନିଗମ ପୂର୍ବତନ ଅଧକ୍ଷ ଅମରେଶ ପତ୍ରୀ ଯୋଗ ଦେଇଥିଲେ.ପ୍ରିୟ ଖବରର ସମ୍ପାଦକ ରାଜକିଶୋର ଦାସ ସ୍ୱାଗତ ଭାଷଣ ଦେବାସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମ୍ବାଦିକ ହର ପ୍ରସାଦ ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଓଡ଼ିଶାର ଲୋକକଳା, ଘୋଡ଼ାନାଚ ଓ ପାଇକ ଆଖଡ଼ା ପରିବେଷଣ କରାଯାଇଥିଲା । ଏଥିସହିତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହାସହ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା.
