ଫ୍ଲାଇଓଭର ଉପରୁ ଏକ ଟ୍ୟାଙ୍କର୍ ତଳକୁ ଖସିଲା

ରାୟଗଡ଼ା ସହର ଦେଇ ଯାଉଥିବା ଏକ ଖାଲି ଟ୍ୟାଙ୍କର୍ ଫ୍ଲାଏ ଓଭରରୁ ତଳେ ଥିବା ମୁଖ୍ୟ ବଜାର ଉପରେ ଖସିପଡିଥିଲା, କିନ୍ତୁ ସୌଭାଗ୍ୟବସତଃ ଏଥିରେ କେହି ଆହତ ହୋଇନାହାଁନ୍ତି। ଫ୍ଲାଏ ଓଭରରେ ଟ୍ୟାଙ୍କର୍ କୋରାପୁଟରୁ ବରହମପୁର ଯାଉଥିବାବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଫଳରେ ଏହି ଘଟଣା ଘଟିଥିଲା। ଏପରିକି ଏକ ସ୍କୁଟିକୁ ମଧ୍ୟ ଟ୍ୟାଙ୍କର୍ ଟାଣି ନେଇଥିଲା, ଯଦ୍ୱାରା କି ଟ୍ୟାଙ୍କର ସହ ସ୍କୁଟି ତଳକୁ ଖସିଯାଇଥିଲ । ଟ୍ୟାଙ୍କର ଖସିଯିବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ରାୟଗଡ଼ା ବିଧାୟକ କାଡ୍ରାକା ଆପାଲୁ ସ୍ବାମୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସେ ସିଧା ସଳଖ ଭାବେ ଏନହେଚକୁ ନିନ୍ଦା କରିଥିଲେ। ଫ୍ଲାଇଓଭର ନିମ୍ନମାନର କାମ ହୋଇଥିବାରୁ ଏପରି ଘଟଣା ଦେଖିବାକୁ ମିଳୁଛି। ଏହି ବିଷୟରେ ବାରମ୍ବାର ଜେଡପି ଓ ଦିଶା ସଭାରେ ପିଡବ୍ଲୁଡି ଓ ଏନହେଚକୁ କହି ଆସୁଚି ।
ରାୟଗଡାରେ ସହର ମଧ୍ୟ ଦେଇ ଭାରିଯାନ ଛଡ଼ା ନ ଯାଇ ବାଇପାସ୍ ଦେଇ ତାଡମା ଦେଇ ବାହାରି ଯିବାର ସୁବିଧା ମଧ୍ୟ ରହିଛି । ଏପରିକି ଉକ୍ତ ପ୍ରସଙ୍ଗରେ ଆରଡିସି ମିଟିଂ ଓ ଆରକେଡିଏସ ମିଟିଂରେ ସହରରେ ଫରୱେ ରାସ୍ତା ପାଇଁ (ଯାହା ହାଇୱେକୁ ସଂଯୋଗ ହେବ) ମଧ୍ୟ ଅନେକ ଥର କହିଥିଲି । ଯଦି ଫରୱେ ରାସ୍ତା ହେଲେ ଆଗକୁ ଏପରି ଦୁର୍ଘଟଣା ଆଉ ହେବା ନାହିଁ । ଏହି ଫ୍ଲାଇଓଭର ରାସ୍ତା ନେଇ ପିଡବ୍ଲୁଡି କୁ ପଚାରିଲେ ଏନହେଚକୁ ଦେଖାଇ ଦେଉଛି ଓ ଏନହେଚକୁ ପଚାରିଲେ ପିଡବ୍ଲୁଡି କୁ ଦେଖାଇ ଦେଉଛି । ତେଣୁ ଏଥିରେ ଜିଲ୍ଲା ପ୍ରଶାସନ ,ରାୟଗଡ଼ା ଏସପି ସାହେବା ନିହତିଭାବେ ଦୃଷ୍ଟି ଦେଇ ଜରୁରୀକାଳୀନ ଉଚିତ କାର୍ଯ୍ୟାନୁଷ୍ଠାନ ନେବା ଦରକାର । ନଚେତ୍ ଏପରି ଦୁର୍ଘଟଣାକୁ ଏଡାଇ ପାରିବ ନାହିଁ ବୋଲି ରାୟଗଡ଼ା ବିଧାୟକ କହିଥିଲେ । ଏଥିସହ ସେ କହିଥିଲେ ଯେ ମା ମଝିଘରିଆଣୀଙ୍କ ଆଶୀର୍ବାଦରେ କାହାର କିଛି ହୋଇନାହିଁ । ଭଗ୍ୟବସତଃ ମୋ ନିଜ ମାମୁଁଙ୍କ ପୁଅର ସ୍କୁଟି ଟାଣି ନେଇଯାଇଥିଲେ ହେଁ ତାର କିଛି ହୋଇନାହିଁ । ଅପର ପକ୍ଷରେ ରାୟଗଡ଼ା ୧୫ ନମ୍ବର କାଉନସିଲର ସନ୍ତୋଷ ଦଳେଇ କହିଛନ୍ତି ଯେ ସହରରେ ଭାରିଯାନ ନିଷେଧ କରିବା ସତ୍ତ୍ୱେ ରାୟଗଡ଼ା ପୋଲିସ କାହିଁକି ପ୍ରବେଶ କରୁଛି । ଏଥି ପାଇଁ ରାୟଗଡ଼ା ପୋଲିସକୁ ସିଧା ସଳଖ ଆଙ୍ଗୁଠି ଦେଖାଇଛନ୍ତି କାଉନସିଲର । ଘଟଣାସ୍ଥଳରେ ସ୍ଥାନୀୟ ଥାନା ପୋଲିସ ଅଧିକାରୀ, ଏସଡିପିଓ ଏବଂ ଅଗ୍ନିଶମ ସେବା କର୍ମଚାରୀ ପହଞ୍ଚି ଜନତାଙ୍କୁ ନିୟନ୍ତ୍ରଣ କରିଥିଲେ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ