ବଞ୍ଚିବାର ଆଶା ନେଇ ପୁରୀ ବଡଦାଣ୍ଡରେ ଦଣ୍ଡପ୍ରଣାମ କଲେ କର୍କଟ ରୋଗୀ
ଯାହାର କେହି ନାହାନ୍ତି ତାର ମହାପ୍ରଭୁ ଶ୍ରୀଜଗନ୍ନାଥ ଅଛନ୍ତି ।ସବୁଠି ନିରାଶ ,ହତାଶ ହେବା ପରେ ଶେଷରେ ମହାପ୍ରଭୁଙ୍କ ଶରଣ ପଶେ ମଣିଷ। ପୁରୀରେ ଗତ କିଛିଦିନ ମଧ୍ୟରେ ଏଭଳି ଅନେକ ଦୃଶ୍ୟ ଦେଖିବାକୁ ମିଳିଛି। କିଏ ନିଜ ସ୍ତ୍ରୀ ପାଇଁ ତ ଆଉ କିଏ ନିଜ ସ୍ବାମୀ ପାଇଁ ,କେତେବେଳେ ଅଭାଗା ମା ଟିଏ ପୁଅ ପାଇଁ ତ ଆଉ କେତେବେଳେ ପୁଅ ପାଇଁ ବାପା ମହାପ୍ରଭୁଙ୍କ ନିକଟରେ ପ୍ରଣିପାତ ହୋଇ ଭିକ୍ଷା ମାଗୁଛି। ପୁଣି ଥରେ ଏଭଳି ଭାବବିହ୍ୱଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡ଼ଦାଣ୍ଡରେ । ଭଦ୍ରକ ଧୁଷୁରି ଅଞ୍ଚଳର ଭାଗିରଥି ହୋତା ଗୁଣ୍ଡିଚା ମନ୍ଦିର ଠାରୁ ନଡ଼ିଆ ଧରି ଦଣ୍ଡ ପ୍ରଣାମ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ସାଙ୍ଗରେ ଥିଲେ ସ୍ତ୍ରୀ ଆରତୀ ହୋତା। ଭାଗିରଥି ଜଟିଳ ରକ୍ତ କର୍କଟ ରୋଗରେ ପୀଡିତ ।ଭୁବନେଶ୍ୱର ,କଟକ ସମେତ ବିଭିନ୍ନ ହସ୍ପିଟାଲରେ ସେ ଚିକିତ୍ସା କରାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଛନ୍ତି।ଏବେ ସୁଦ୍ଧା ୨୬ ଟି କେମୋ ନେଇ ସାରିଲେଣି ଭାଗିରଥି। ଡାକ୍ତର କହିଛନ୍ତି ବଞ୍ଚିବାର ସମ୍ଭାବନା ବହୁତ୍ କମ। କିନ୍ତୁ ଭାଗିରଥିଙ୍କ ମନୋବଳ ଭାଙ୍ଗି ନାହିଁ। ୨୬ ଟି କେମୋ ନେବା ପରେ ମଧ୍ୟ ସେ ବଡ଼ଦାଣ୍ଡରେ ଦଣ୍ଡ ପ୍ରଣାମ କରି ଶରଣ ପଶିଛନ୍ତି।ବ୍ରାହ୍ମଣ ହୋଇ ଥିବାରୁ ସେ ଦୀର୍ଘ ବର୍ଷ ହେବ କୋଲକୋତାରେ ଆଉ ଏବେ ଗାଁରେ ପୂଜକ ଭାବେ କାର୍ଯ୍ୟ କରୁଛନ୍ତି। ଦେବା ଦେବୀଙ୍କ ପୂଜା କରି ମଧ୍ୟ ଜଟିଳ ରକ୍ତ କର୍କଟ ରୋଗରେ ପୀଡିତ ହେବାରୁ ଶେଷରେ ସେହି କାଳିଆ ସାଆନ୍ତଙ୍କ ଶରଣ ପଶିଛନ୍ତି ଭାଗିରଥି ।
