ବଡ଼ବିଲରେ ରାଷ୍ଟ୍ରୀୟ ଓ ହିନ୍ଦୁ ନବବର୍ଷ ଉତ୍ସବ ଧୁମଧାମରେ ପାଳିତ
ଯୋଡ଼ା – ବଡ଼ବିଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଅଦ୍ୟ ସକାଳ ୮ ଘଟିକାରେ ରାଷ୍ଟ୍ରୀୟ ନବବର୍ଷ ତଥା ହିନ୍ଦୁ ନବବର୍ଷ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ଧୁମଧାମରେ ପାଳିତ ହୋଇଯାଇଛି।ଉତ୍ସବର ଆରମ୍ଭରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ମହାନ୍ତ ଭାରତମାତାଙ୍କ ଚରଣରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ସମସ୍ତଙ୍କ ମଙ୍ଗଳ କାମନା କରିବା ସହିତ ନବବର୍ଷର ମହତ୍ତ୍ୱ ଉପରେ ଗଭୀର ଆଲୋଚନା କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ବିପିନ ବିହାରୀ ଖଣ୍ଡାୟୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଚୟ ପ୍ରଦାନ କରିଥିଲେ। ସେ ତାଙ୍କ ସ୍ୱାଗତ ଭାଷଣରେ ଶିଶୁମାନଙ୍କୁ ରାଷ୍ଟ୍ର ପ୍ରତି ସମର୍ପଣ ଭାବ ଓ ନୈତିକ ମୂଲ୍ୟବୋଧ ଗଢ଼ି ତୋଳିବା ପାଇଁ ପ୍ରେରିତ କରିଥିଲେ।କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ହେଉଛି କୁନିକୁନି ଶିଶୁମାନଙ୍କର ଉତ୍ସାହଭରା ଭାଗିଦାରି। ସେମାନେ ରାଷ୍ଟ୍ରୀୟ ନବବର୍ଷର ଗୁରୁତ୍ୱ ଉପରେ ନିଜ ମତ ରଖି ସମସ୍ତଙ୍କୁ ଆନନ୍ଦିତ କରିଥିଲେ। ମୋଟ ୨୯୫ ଜଣ ଶିଶୁ ଏହି ଅବସରରେ ଉପସ୍ଥିତ ଥିଲେ।ଶେଷରେ ରାଷ୍ଟ୍ରୀୟ ଧ୍ୱଜ ଉତ୍ତୋଳନ କରାଯାଇ ଧ୍ୱଜ ପ୍ରାର୍ଥନା କରାଗଲା। ପରେ ସମସ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଏବଂ ଶିଶୁମାନେ ଆନନ୍ଦର ସହିତ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।ସମସ୍ତ ଗୁରୁଜୀ ଓ ଗୁରୁମାଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସୁଚାରୁ ଓ ସଫଳ ଭାବେ ସମ୍ପନ୍ନ ହୋଇଥିଲା, ଯାହା ବିଦ୍ୟାଳୟ ପରିବେଶକୁ ଦେଶଭକ୍ତି ଓ ସାଂସ୍କୃତିକ ମୂଲ୍ୟରେ ପରିଣତ କରିଥିଲା ।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
