ବରଗଡ଼ରେ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ
ବରଗଡ଼: ବରଗଡ଼ ଟାଉନ୍ ହଲ୍ ପରିସରରେ ଆଜି ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଉତ୍ସାହପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ୨୦୧୪ ମସିହାରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନକୁ ସୁଶାସନ ଦିବସ ଭାବେ ସମଗ୍ର ଦେଶରେ ପାଳନ କରାଯାଉଛି।
ଏହି ଦିନଟି ସୁଶାସନ, ପାରଦର୍ଶିତା, ଲୋକମୁଖୀ ପ୍ରଶାସନ ଓ ଲୋକସେବାର ମୂଲ୍ୟବୋଧକୁ ସ୍ମରଣ କରାଇବାର ଏକ ଗୁରୁତ୍ୱପୂର୍ଣ୍ଣ ଅବସର ଭାବେ ଗଣ୍ୟ।ଚଳିତ ବର୍ଷ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମବାର୍ଷିକୀ ଅବସରରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦିବସକୁ ସ୍ମରଣୀୟ କରିବା ନିମିତ୍ତେ କବିତା ପଠନ କାର୍ଯ୍ୟକ୍ରମ ସହ ଏକ ସଭାର ଆୟୋଜନ କରାଯାଇଥିଲା।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଯୋଗଦେଇ ସୁଶାସନର ଗୁରୁତ୍ୱ, ପ୍ରଶାସନର ଦାୟିତ୍ୱ ଓ ସାଧାରଣ ଜନତାଙ୍କ ପ୍ରତି ସରକାରୀ ସେବାର ପ୍ରଭାବ ବିଷୟରେ ମତବ୍ୟକ୍ତ କରିଥିଲେ।

ସମ୍ମାନନୀୟ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନା ମାଝୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ଖୋସଲା, ପଦ୍ମପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ସନତ ପାଢ଼ୀ ଓ ବିଶିଷ୍ଟ ଶିକ୍ଷାବିତ୍ ଡ. ଯସବର୍ଦ୍ଧନ ସିଂହ ସୈନି ପ୍ରମୁଖ ଯୋଗଦେଇଥିଲେ।କାର୍ଯ୍ୟକ୍ରମର ଏକ ମୁଖ୍ୟ ଆକର୍ଷଣ ଥିଲା କବିତା ପଠନ ସମ୍ମିଳନୀ।

ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସର୍ବମୋଟ ୧୦ ଜଣ କବି ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଆ ସହିତ ଅନ୍ୟାନ୍ୟ ଭାଷାରେ ସୁଶାସନ, ଦେଶପ୍ରେମ, ନୀତିମୂଲ୍ୟ ଓ ମାନବିକତା ଭିତ୍ତିକ କବିତା ପାଠ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କବିଙ୍କୁ ସମ୍ମାନ ପତ୍ର ସହ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ ଓ ସାର୍ଥକ କରିଥିଲେ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
