July 3, 2026
Home » ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ” ଲୋକାର୍ପିତ

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ” ଲୋକାର୍ପିତ

0
WhatsApp Image 2026-07-02 at 8.15.57 AM

 

ପୁସ୍ତକଟି କେବଳ ପରିଚୟ ପ୍ରତିଷ୍ଠା ପାଇଁ ନୁହେଁ, ଆଗାମୀ ଯୁବପିଢୀ ପାଇଁ ଅନୁକରଣୀୟ ହେବ -ନିରଞ୍ଜନ

ଭୁବନେଶ୍ୱର,୦୧/୦୭/୨୬ : ଓଡ଼ିଶା ରାଜନୀତିର ଅର୍ଦ୍ଧଶତାବ୍ଦୀର ପ୍ରତିଛବି – ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ” ଆଜି ବୁଧବାର ସନ୍ଧ୍ୟାରେ ଓୟୁଏଟି କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି । ପ୍ରଥମେ ଶ୍ରୀ ପଟ୍ଟନାୟକଙ୍କ “ସମୟ ସାକ୍ଷୀ” ଉପରେ ଏକ ବୃତ୍ତ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହା ପରେ ଶ୍ରୀ ପଟ୍ଟନାୟକ ମଞ୍ଚରେ ସଭାପତିତ୍ୱ କରିବା ପରେ ୯ ଜଣ ବିଶେଷ ଅତିଥିଙ୍କୁ ସଭା ମଞ୍ଚକୁ ନିମନ୍ତ୍ରଣ କରାଯାଇଥିଲା। ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏମାନଙ୍କ ମଧ୍ୟରେ ବିଶିଷ୍ଟ ଗାନ୍ଧୀବାଦୀ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, କେନାଲ ମଣିଷ ରୂପେ ପରିଚିତ କେନ୍ଦୁଝରର ପଦ୍ମଶ୍ରୀ ଦୈତାରୀ ନାୟକ, ନିଜ ସ୍ତ୍ରୀର ଶବକୁ କାନ୍ଧରେ ବୋହି ଡାକ୍ତରଖାନାରୁ ଫେରିଥିବା କଳାହାଣ୍ଡିର ଦାନ ମାଝୀ, ଆନୁଷଙ୍ଗିକ ଶିକ୍ଷାରୁ ବଞ୍ଚିତ ହୋଇ ମଧ୍ୟ କୋଟିଆ ଭାଷାରେ ଗଳ୍ପ କବିତା ରଚନା କରିଥିବା ତଥା ତୁମୁଡିବନ୍ଧର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ମାଝୀ , ନିଜର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଦିଲ୍ଲୀ ବିଶ୍ଵବିଦ୍ୟାଳୟ ଅଧୀନରେ ଶିକ୍ଷାଦାନ କରୁଥିବା ଦୃଷ୍ଟିହୀନ ପ୍ରଫେସର ଦୁର୍ଯ୍ୟୋଧନ ନାହାକ, ନିଜର ବାଲ୍ୟକାଳରେ ଆର୍ଥିକ ଅସ୍ଵଚ୍ଛଳତାରେ ହାରି ନ ଯାଇ ସମ୍ପ୍ରତି ଭାରତର ପ୍ରସିଦ୍ଧ କର୍କଟ ପ୍ରତିରୋଧକାରୀ ଡାକ୍ତର ଭାବେ ପରିଚିତ କେନ୍ଦୁଝରର ଡା. ପ୍ରଦୀପ ସେଠୀ, କରୋନା ସମୟରେ ପୁରୀରେ ରଥଯାତ୍ରା କରାଇବାକୁ ମାନ୍ୟବର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ନୟାଗଡ଼ର ମୁସଲମାନ ଭାଇ ଅପତାବ୍ ହୋସେନ୍, ନିଜର ସ୍ଵଳ୍ପ ଆୟରୁ ସଞ୍ଚୟ କରି ଗ୍ରାମବାସୀଙ୍କ ପାଇଁ ୭ଟି ପାଣି ଟାଙ୍କି ବସାଇଥିବା କାଠ ମିସ୍ତ୍ରୀ ମନ୍ମଥ ମହାରଣା, ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର, ଟ୍ରାକ୍ଟର ଚାଳକ ତଥା ସ୍ୱାବଲମ୍ବୀ ଚାଷୀ ଶାନ୍ତିଲତା ରାଉଳ ପ୍ରମୁଖ ମଂଚାସୀନ ହୋଇଥିଲେ ।

ଏହା ପରେ ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ଏହି ପୁସ୍ତକକୁ ଆମ ଓଡ଼ିଶାର ଅଧ୍ୟକ୍ଷ ଶ୍ରୀ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ସମେତ ସମସ୍ତ ଅତିଥି ଏହି ପୁସ୍ତକକୁ ଲୋକାର୍ପିତ କରିଥିଲେ । ଏହା ପରେ ସାହିତ୍ୟିକ ଶ୍ରୀ ଦାଶ ବେନହୁର ପୁସ୍ତକର ସମୀକ୍ଷା କରିବା ସହ ସମୟ ପରିବର୍ତ୍ତନ ଶୀଳ। କିନ୍ତୁ ସତ୍ୟ ହିଁ ଇତିହାସ। ତେଣୁ ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଏହି ସ୍ମୃତି ମଧୁର ତଥ୍ୟାନୁଭିତ୍ତିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ସମୟର ଚଲାପଥରେ ଏହି ପୁସ୍ତକଟି ସମୟର ସାକ୍ଷୀ ଭାବେ ସବୁଦିନ ପାଇଁ ରହିବ।ସଂଘର୍ଷ ଓ ସଫଳତା ଭିତରେ ସେ ଯେଉଁ ରାସ୍ତା ଦେଇ ଆସିଛନ୍ତି, ତାହା ଯେତିକି ସ୍ମୃତି ବିଜଡ଼ିତ ସେତିକି ଚର୍ଚ୍ଚିତ ।

ଜଣେ ଶିଳ୍ପପତି ଭାବେ ସେ ଯେତିକି ପରିଚିତ, ଜଣେ ରାଜନେତା ଭାବେ ସେତିକି ଆଦୃତ । ଓଡ଼ିଶା ପ୍ରତି ଓଡ଼ିଆଙ୍କ ପ୍ରଗତି ପାଇଁ କିଛି କରିବାର ସଙ୍କଳ୍ପ ତାଙ୍କର କେତେ ସଫଳ ହୋଇଛି ଆଉ କେତେ ବାକି ଅଛି, ତାହା ସମୟ ସାକ୍ଷୀ ହୋଇ ରହିଛି । ମହାତ୍ମାଗାନ୍ଧୀ, ଜବାହରଲାଲ ନେହେରୁ, ବିନୋବା ଭାବେଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇ ଜଣେ ପ୍ରତିଷ୍ଠିତ ରାଜନୀତିଜ୍ଞ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି । ଓଡ଼ିଶା କଂଗ୍ରେସ ପ୍ରତି ତାଙ୍କର ଅବଦାନ ଅନେକ । ସମୟ କେତେବେଳେ କାହାକୁ କେଉଁ ସ୍ଥାନରେ ରଖେ, ତାହା ପୂର୍ବ ନିର୍ଦ୍ଧାରିତ । ସରକାର ବଦଳିଲେ ବି ତଥାପି ଓଡ଼ିଶାର ପରିବର୍ତ୍ତନ ପାଇଁ ତାଙ୍କ ମନରେ ରହିଥିବା ଅସୁମାରୀ ଆଶାକୁ ଯୁବପିଢୀ ସାକାର କରିବେ ବୋଲି ତାଙ୍କର ଭରସା ରହିଛି । ଜୀବନର କିଛି ଅନୁଭୂତି ଓ ଘଟଣା ଚରିତ୍ରକୁ ନେଇ ସେ ଏହି ଆତ୍ମଜୀବନୀ ରଚନା କରିଛନ୍ତି । ଆତ୍ମଜୀବନୀଟି ଓଡ଼ିଶା ରାଜନୀତିରେ ଅର୍ଦ୍ଧଶତାବ୍ଦୀର ଗୁମର କଥାକୁ ଉନ୍ମୋଚିତ କରିବ।

ଏହା ପରେ ସଭାରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଲେଖନୀୟ ଅଭିବ୍ୟକ୍ତିରେ ଉଲ୍ଲେଖ କରିଥିଲେ ଯେ, ତାଙ୍କର ଏହି ସାଧାରଣ ଜୀବନ କଥାରୁ ଯଦି ଜଣେ ବି ଯୁବକ ପ୍ରେରଣା ପାଇବ ତାଙ୍କ ରଚନା ସାର୍ଥକ ହେବ ।

ଶେଷରେ ଶ୍ରୀ ପଟ୍ଟନାୟକଙ୍କ ସହ ବରିଷ୍ଠ ସାମ୍ବାଦିକ ଶ୍ରୀ ରାଜେଶ ମହାପାତ୍ର ଏକ ମାର୍ମିକ ଆଲୋଚନା କରିଥିଲେ । ଏଥିରେ ରାଜ୍ୟର ବହୁ ଲେଖକ, କଳାକାର, ବୁଦ୍ଧିଜୀବୀ, ରାଜନେତା ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *