October 7, 2026
Home » ବହି ଖୋଲ, ଦୁନିଆକୁ ଜାଣ : ଗ୍ରାମାଞ୍ଚଳ ଶିକ୍ଷାରେ ଏକ ଅଭିନବ ଶିକ୍ଷାକ୍ରାନ୍ତି

ବହି ଖୋଲ, ଦୁନିଆକୁ ଜାଣ : ଗ୍ରାମାଞ୍ଚଳ ଶିକ୍ଷାରେ ଏକ ଅଭିନବ ଶିକ୍ଷାକ୍ରାନ୍ତି

0
WhatsApp Image 2026-09-16 at 11.55.11 AM

ସୁବର୍ଣ୍ଣପୁର — ଆଜିର ଡିଜିଟାଲ୍ ଯୁଗରେ ସ୍ମାର୍ଟଫୋନ୍, ମୋବାଇଲ୍ ଗେମ୍‌ସ ଏବଂ ସୋସିଆଲ୍ ମିଡିଆର ଅତ୍ୟଧିକ ବ୍ୟବହାର ଛାତ୍ରଛାତ୍ରୀଙ୍କ ଏକାଗ୍ରତା ଓ ପଠନ ଅଭ୍ୟାସକୁ ଗଭୀର ଭାବରେ ପ୍ରଭାବିତ କରୁଛି । ଯାହା ଆଜିର ସମାଜର ଏକ ଗମ୍ଭୀର ସମସ୍ୟା । ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ଏଥିରୁ ଦୂରେଇ ଆଣି, ସେମାନଙ୍କ ମନରେ ବହି ପଢ଼ିବାର ପ୍ରକୃତ ଆନନ୍ଦ ଓ ରୁଚି ସୃଷ୍ଟି କରିବା ପାଇଁ ଆରମ୍ଭ ହୋଇଛି ଏକ ସୁନ୍ଦର ଅଭିଯାନ l Open a Book, Open a World’ (ବହିଟିଏ ଖୋଲ, ଦୁନିଆକୁ ଜାଣ)।
ଇଣ୍ଡୋ ଆମେରିକାନ୍ ସେବକସ୍ ଫାଉଣ୍ଡେସନ୍ (IASF) ର ସହଯୋଗିତାରେ ‘ଓଡ଼ିଶା ଷ୍ଟୋରି ଟେଲର୍ସ ଫାଉଣ୍ଡେସନ୍’ ଭୁବନେଶ୍ୱର (Odisha Storytellers Foundation,Bhubaneswar ) ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମ ଆଜି ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷାର ଏକ ନୂଆ ଆଶା ସଞ୍ଚାର କରୁଛି ।
କେବଳ ପାଠ୍ୟପୁସ୍ତକ ଓ ପରୀକ୍ଷା ଭିତ୍ତିକ ଶିକ୍ଷାରେ ସୀମିତ ନରହି, ପିଲାଙ୍କ ଆତ୍ମବଳ ଓ ସୃଜନଶୀଳତାକୁ ବୃଦ୍ଧି କରିବା ଏହି ଅଭିଯାନର ମୂଳ ମନ୍ତ୍ର। ପାଠାଗାରର ପୁନରୁଦ୍ଧାର ଓ ବ୍ୟବହାର: ବିଦ୍ୟାଳୟରେ ଥିବା ଲାଇବ୍ରେରୀର ସଠିକ୍ ବ୍ୟବହାର କରି ପିଲାଙ୍କ ମଧ୍ୟରେ ସାହିତ୍ୟ, ଗଳ୍ପ ଓ ଜ୍ଞାନବର୍ଦ୍ଧକ ପୁସ୍ତକ ପଢ଼ିବାର ଅଭ୍ୟାସ ଗଢ଼ିତୋଳିବା। ଅନ୍ତର୍ନିହିତ ପ୍ରତିଭାର ବିକାଶ: ପିଲାମାନଙ୍କ ମଧ୍ୟରେ ଥିବା ଚିନ୍ତନ ଶକ୍ତି, ଭାବପ୍ରକାଶ କଳା, ଦଳଗତ ଭାବନା (Teamwork) ଏବଂ କ୍ରିଏଟିଭିଟିକୁ ପ୍ରୋତ୍ସାହିତ କରିବା। ମୁକ୍ତ ଭାବ ବିନିମୟ: ଶ୍ରେଣୀଗୃହର ଭୟ ଦୂର କରି ଛାତ୍ରଛାତ୍ରୀମାନେ ଯେପରି ସହଜରେ ନିଜର ମନର ଭାବକୁ ପରସ୍ପର ସହ ଆଲୋଚନା କରିପାରିବେ, ସେଥିପାଇଁ ଏକ ଅନୁକୂଳ ପରିବେଶ ତିଆରି କରିବା। ଏବେ ସୁଦ୍ଧା ଏହି ଅଭିଯାନ ଓଡ଼ିଶାର ୭ଟି ଜିଲ୍ଲା — ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଏବଂ କଳାହାଣ୍ଡିର ବିଭିନ୍ନ ଦୁର୍ଗମ, ଗ୍ରାମାଞ୍ଚଳ ଓ ଆଦିବାସୀ ବହୁଳ ସ୍କୁଲଗୁଡ଼ିକରେ ସଫଳତାର ସହ ପହଞ୍ଚିସାରିଛି। ୧୦ରୁ ଅଧିକ ବିଦ୍ୟାଳୟରେ ଶିକ୍ଷଣୀୟ ‘ଷ୍ଟୋରିଟେଲିଙ୍ଗ ୱାର୍କସପ୍’ ସମ୍ପନ୍ନ ହୋଇସାରିଛି।
ନିକଟରେ କଳାହାଣ୍ଡି ଜିଲ୍ଲାର ଚାନଚେର୍ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ଭବାନୀପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଆୟୋଜିତ ବିଶେଷ କର୍ମଶାଳାରେ ପିଲାମାନଙ୍କ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା। ଶିକ୍ଷାଦାନର ଆକର୍ଷଣୀୟ ଶୈଳୀ ଓ ଟେକନିକ୍ ‘ଓଡ଼ିଶା ଷ୍ଟୋରି ଟେଲର୍ସ ଫାଉଣ୍ଡେସନ୍’ଭୁବନେଶ୍ଵରର ଅଭିଜ୍ଞ କଥାକାରମାନେ କେବଳ ଗଳ୍ପ ଶୁଣାଉନାହାନ୍ତି, ବରଂ ପିଲାଙ୍କୁ ଶିକ୍ଷା ସହ ଯୋଡ଼ିବା ପାଇଁ ବିଭିନ୍ନ ନୂଆ ନୂଆ କୌଶଳ ଶିଖାଉଛନ୍ତି l ଓରାଲ୍ ଷ୍ଟୋରି ଟେଲିଂ (Oral Storytelling): ନିଜ କଳ୍ପନା ଓ ଶବ୍ଦ ମାଧ୍ୟମରେ କାହାଣୀ ପ୍ରକାଶ କରିବା।ଷ୍ଟୋରି କାର୍ଡ (Story Cards): ଛବି ଓ କାର୍ଡ ମାଧ୍ୟମରେ କାହାଣୀକୁ ସଜାଇ ବୁଝିବା।ଅରିଗାମୀ (Origami): କାଗଜ ମାଧ୍ୟମରେ ବିଭିନ୍ନ ଆକୃତି ଗଢ଼ି ଗଳ୍ପର ଚରିତ୍ରଗୁଡ଼ିକୁ ଜୀବନ୍ତ କରିବା। କଣ୍ଢେଇ (Puppet ): ମାଧ୍ୟମରେ ବିଭିନ୍ନ ଗଳ୍ପର ଚରିତ୍ରଗୁଡ଼ିକୁ ଜୀବନ୍ତ କରି ଉପସ୍ଥାପନା କରିବା ।ଥିଏଟର୍ ଓ ଭଏସ୍ ମଡ୍ୟୁଲେସନ୍ (Voice Modulation): କଣ୍ଠସ୍ଵରର ପରିବର୍ତ୍ତନ ଓ ଅଭିନୟ ମାଧ୍ୟମରେ କାହାଣୀକୁ ନାଟକୀୟ ରୂପ ଦେବା।ଏହି ସବୁ ମାଧ୍ୟମ ଦ୍ୱାରା ପିଲାମାନେ ଖୁବ୍ କମ୍ ସମୟ ମଧ୍ୟରେ କାହାଣୀ ତିଆରି କରି ଦଳଗତ ଭାବେ ଉପସ୍ଥାପନ କରିବାର କୌଶଳ ଆତ୍ମବିଶ୍ଵାସ ହାସଲ କରୁଛନ୍ତି।ଶିକ୍ଷକ ପ୍ରଶିକ୍ଷଣ ଓ ଭବିଷ୍ୟତର ଲକ୍ଷ୍ୟ ଏହି ଅଭିଯାନର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି, ଏହା କେବଳ ପିଲାଙ୍କ ମଧ୍ୟରେ ସୀମିତ ନୁହେଁ। ଗଳ୍ପ କଥନ ଶୈଳୀକୁ କିପରି ଦୈନନ୍ଦିନ ଶ୍ରେଣୀଗୃହ ପାଠପଢ଼ାରେ (Pedagogy) ବ୍ୟବହାର କରାଯାଇପାରିବ, ସେ ନେଇ ଶିକ୍ଷକମାନଙ୍କ ସହ ଲଗାତର ଆଲୋଚନା ଓ ପ୍ରଶିକ୍ଷଣ ଜାରି ରହିଛି। ଯାହାଫଳରେ କଠିନ ବିଷୟଗୁଡ଼ିକୁ ମଧ୍ୟ ସହଜ ଗଳ୍ପ ମାଧ୍ୟମରେ ପିଲାଙ୍କୁ ବୁଝାଯାଇପାରିବ। ଆଜି ଏହି ଦଳ ଦୁଇଦିନିଆ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ଅଧୀନରେ,ଥିବା ଛତ୍ରଙ୍ଗ ଓ ହରଭଙ୍ଗା ସରସ୍ଵତୀ ଶିଶୁ ମନ୍ଦିର ଓ କୁଶଙ୍ଗ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଏହି ଗଳ୍ପ କଥନ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରାଯାଇଛି । ଓଡ଼ିଶା ଗଳ୍ପ କଥକ ସଂସ୍ଥା,ଭୁବନେଶ୍ୱର ଉକ୍ତ ବିଦ୍ୟାଳୟ ଗୁଡିକରେ ପହଞ୍ଚି ବିଭିନ୍ନ ଢଙ୍ଗରେ ଯଥା – ସମ୍ପାଦିକା ମୀରା ଝଞ୍ଜା ଦାସଙ୍କ ଆକର୍ଷଣୀୟ ଅଭିନୟ ସମ୍ପନ୍ନ ଗଳ୍ପ, ଗୌରହରୀ ବିଶ୍ଵାଳଙ୍କ ଗଳ୍ପ କଥନ ଶୈଳୀର ପ୍ରଶିକ୍ଷଣ, ସମ୍ପଦ ମହାପାତ୍ରଙ୍କ ଓରିଗାମୀ ଯୁକ୍ତ ଗଳ୍ପ ଓ ବସନ୍ତ କୁମାର ସାହୁଙ୍କ କଣ୍ଢେଇ ମାଧ୍ୟମରେ ଗଳ୍ପର ଉପସ୍ଥାପନା ବିଦ୍ୟାଳୟର ଶହ ଶହ ଶିଶୁ ଓ ଶିକ୍ଷକ,ଶିକ୍ଷିକାଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଓ ମନଛୁଆଁ ହୋଇପାରିଥିଲା । ଗ୍ରାମାଞ୍ଚଳରେ ଗୁଣାତ୍ମକ ଓ ସୃଜନଶୀଳ ପରିବର୍ତ୍ତନ ଆଣିବା ପାଇଁ ଇଣ୍ଡୋ ଆମେରିକାନ୍ ସେବକସ୍ ଫାଉଣ୍ଡେସନ୍ (IASF) ର ସହଯୋଗିତାରେ ‘ଓଡ଼ିଶା ଷ୍ଟୋରି ଟେଲର୍ସ ଫାଉଣ୍ଡେସନ୍’ ଭୁବନେଶ୍ୱରର ଏହି ନିଷ୍ଠାପର ପ୍ରୟାସ ନିଶ୍ଚିତ ଭାବେ ଶିଶୁ ମାନଙ୍କ ପାଇଁ ଏକ ନୂତନ ଆଶାର କିରଣ ସାଜିଛି। ଆଗାମୀ ଦିନରେ ଅନ୍ୟାନ୍ୟ ଜିଲ୍ଲାରେ ଏହିପରି ଅନେକ ଅଭିନବ ମୂଳକ କାର୍ଯ୍ୟକ୍ରମ ଆୟୋଜିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ସଂସ୍ଥାର ସମ୍ପାଦିକା ମୀରା ଝଞ୍ଜା ଦାସ ପ୍ରକାଶ କରିଛନ୍ତି । ଉକ୍ତ ବିଦ୍ୟାଳୟ ଗୁଡିକର ଶିକ୍ଷକ ଶିକ୍ଷୟିତ୍ରୀ,ପରିଚାଳନା କମିଟିଙ୍କ ସହଯୋଗ ପାଇଁ ଓଡ଼ିଶା ଗଳ୍ପ କଥକ ସଂସ୍ଥା,ଭୁବନେଶ୍ୱର ଧନ୍ୟବାଦ ଜଣାଇଛି ।

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *