September 2, 2026
Home » ବିଏମ୍ ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ

ବିଏମ୍ ସି ପାଳିଲା ସ୍ୱାୟତ୍ତ ଶାସନ ଦିବସ

0
WhatsApp Image 2026-09-02 at 6.03.29 PM (2)
ଭୁବନେଶ୍ୱର;ତା 31.08.2026 ରିଖ:ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଦିବସ ବ୍ୟାପି ଥିବା କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ଭିତ୍ତି ପ୍ରସ୍ତର ସ୍ଥାପନ, ସାଧାରଣ ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢେ 7ଟାରେ ମାନନୀୟା ମେୟର ଓ କମିଶନରଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବା ସହ ଜାତୀୟ ଗୀତ ଓ ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷା, ଅଧ୍ୟକ୍ଷ, ସମସ୍ତ କର୍ପୋରେଟର, ବିଏମ୍ ସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ପରେ ପୂର୍ବାହ୍ନ ସାଢେ 9 ଘଟିକା ସମୟରେ 9ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା, ସମସ୍ତ କର୍ପୋରେଟର, ବିଏମ୍ ସିର ସମସ୍ତ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
ସଂଧ୍ୟା ସମୟରେ ଜୟଦେବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ଅବକାରୀ, ଆଇନ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମାନ୍ୟବର ବିଧାୟକ ଏକାମ୍ର ଶ୍ରୀ ବାବୁ ସିଂ, ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ, ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଶ୍ରୀ ରାମଚନ୍ଦ୍ର ରଣସିଂହ, ଶ୍ରୀଧର ବେହେରା, ଅଧ୍ୟକ୍ଷା ଶ୍ରୀମତୀ ମହାମାୟା ସ୍ୱାଇଁ, ଅତିରିକ୍ତ କମିଶନର ଶ୍ରୀ କୈଳାସ ଚନ୍ଦ୍ର ଦାସ ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବହୁ କର୍ପୋରେଟର, ବରିଷ୍ଠ ନାଗରିକ, ବିଏମ୍ ସିର ସମସ୍ତ ଅଧିକାରୀ ଓ କର୍ମଚାରୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ ।
ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପଦ୍ମଶ୍ରୀ ରାଧାମୋହନଙ୍କ କନ୍ୟା ସାବରମତୀଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନୀତ କରାଯାଇଥିଲା । ବରିଷ୍ଠ ନାଗରିକ ଭାବେ ବଡଗଡର ବ୍ରଜବନ୍ଧୁ ଦ୍ୱିବେଦୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହି ପରି କସ୍ମୋପଲିସ ଓ୍ୱେଲଫେୟାର ଆସୋସିଏସନ, ଗ୍ରୀନ ଓ୍ୱାର୍ଲଡ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ନୃପେଶ କୁମାର ନାୟକ, ଜୟନ୍ତୀ ସାହୁ ଓ ଅଶୋକ କୁମାର ପ୍ରଧାନଙ୍କୁ ନଗର ବନ୍ଧୁ ସମ୍ମାନ ପ୍ରଦାନ କରାଯାଇଛି । ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଭାବେ 100 ତମ ସ୍ଥାନ ଅଧିକାର କରିଥିବା ଭୁବନେଶ୍ୱର ସାତ୍ତ୍ୱିକ ସତ୍ୟକାମ ଦେବତାଙ୍କୁ ଓ ଦକ୍ଷ ଉଦ୍ୟୋଗୀ ଭାବେ ଡାକ୍ତର ନମ୍ରିତା ଚହଲଙ୍କୁ ସମ୍ମାନିତ କରାଯାଇଛି । ଅନ୍ୟ ପକ୍ଷରେ ବିଭିନ୍ନ ପ୍ରତିଯୋଗୀତାରେ କୃତୀତ୍ୱ ହାସଲ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ବିଏମ୍ ସି କର୍ମଚାରୀଙ୍କର ସନ୍ତାନଙ୍କ ମଧ୍ୟରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏହି ଅବସରେ ପୁରସ୍କୃତ କରାଯାଇଥିଲା ।
ଏହି ଅବସରରେ ସ୍ୱାଗତ ଅଭିଭାଷଣ ଦେଇ ବିଏମ୍ ସି କମିଶନର ଆଗାମୀ ଦିନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଥିବା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । 50 ବର୍ଷ ଆଗକୁ ଭୁବନେଶ୍ୱରକୁ ଏକ ଉନ୍ନତ ବାସୋପଯୋଗୀ ସହର ଭାବେ ଗଢି ତୋଳିବା ପାଇଁ କରାଯାଉଥିବା ବିଭିନ୍ନ ଯୋଜନା, ବିଭାଗୀୟ ସମନ୍ୱୟ ଏବଂ ବିଶେଷ କରି ଡ୍ରେନ ସମସ୍ୟାର ସମାଧାନ ପାଇଁ ବିଏମ୍ ସିର ପଦକ୍ଷେପ ବାବଦରେ ଅବଗତ କରାଇଥିଲେ ।
ଦୟା ଓ୍ୱେଷ୍ଟ କେନାଲ ଓ ଗଙ୍ଗୁଆ ଭଳି ଜଳ ପ୍ରବାହୀ ଭିତ୍ତିଭୂମିକୁ ଉଦ୍ଧାର ନ କଲେ ଭୁବନେଶ୍ୱର ଭବିଷ୍ୟତ ପିଢି ଆମକୁ କ୍ଷମା ଦେବେ ନାହିଁ । ଏଥିପାଇଁ ସରକାର ନେଉଥିବା ପଦକ୍ଷେପକୁ ତ୍ୱରାନ୍ୱିତ କରିବା ପାଇଁ ମଞ୍ଚ ଉପରୁ ଅନୁରୋଧ କରିଥିଲେ ମାନନୀୟା ମେୟର ଶ୍ରୀମତୀ ଦାସ । ସଫେଇ କ୍ଷେତ୍ରରେ ଜନ ସହଯୋଗକୁ ପାଥେୟ କରି ଆଜି ଭୁବନେଶ୍ୱର ସମଗ୍ର ଦେଶରେ 9 ନମ୍ବର ହୋଇଛି ଏବଂ ଆଗାମୀ ଦିନରେ 1ରୁ 3 ଭିତରେ ରହିବା ପାଇଁ ସେ ନାଗରିକ ସହଯୋଗ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *