January 11, 2025
Home » ବୀରମହାରାଜପୁର କଲେଜରେ ବିଦାୟ କାଳୀନ ସମ୍ବର୍ନ୍ଧନା ସମାରୋହ ଅନୁଷ୍ଠିତ l

ବୀରମହାରାଜପୁର କଲେଜରେ ବିଦାୟ କାଳୀନ ସମ୍ବର୍ନ୍ଧନା ସମାରୋହ ଅନୁଷ୍ଠିତ l

0

ସୁବର୍ଣ୍ଣପୁର —ଓଡ଼ିଶା ସାଧାରଣ ସେବା ଆୟୋଗ ଦ୍ବାରା ମନୋନୀତ ହୋଇ ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୋଗଦେବାକୁ ଯାଉଥିବା ଶିକ୍ଷା ବିଭାଗର ଅଧ୍ୟାପିକା ସୀମାରାଣୀ ବେହେରାଙ୍କୁ ବୀରମହାରାଜପୁର ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷା କର୍ମଚାରୀ ମାନଙ୍କ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି । ଅଧ୍ୟକ୍ଷ ଡ. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବିଦାୟ କାଳୀନ ସଭାରେ ପରିଚାଳନା ପରିଷଦର ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଇଂରାଜୀ ବିଭାଗ ମୁଖ୍ୟ ଗୀତାଞ୍ଜଳି ପୂଝାରୀ, ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସୁଶ୍ରୀ ବେହେରାଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିବା ସହ ତାଙ୍କ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । ଏହି ସଭାରେ ବିଜୟ କୁମାର ପୁରୋହିତ, ପ୍ରକାଶ କୁମାର ସେଠ, ଡ. ଶିଶିର ବଣିଆ, ସୁପ୍ରଭା ନନ୍ଦ, ହରପ୍ରିୟା ମହାପାତ୍ର, ମାଧବ ପଧାନ, ପ୍ରଭାତ ପୁରୋହିତ, ବଳରାମ ଶତପଥୀ, ସୁବାଷ ଶତପଥୀ, ଗୌରାଙ୍ଗ ଜଗଦଲା ପ୍ରମୁଖ ସୀମାରାଣୀଙ୍କ କର୍ମମୟ ଜୀବନର ସ୍ମୃତିଚାରଣ କରିଥିଲେ । ପ୍ରତିଉତ୍ତରରେ ସେ ସମସ୍ତ ସହକର୍ମୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି ଅନୁଷ୍ଠାନ ତାଙ୍କୁ ବହୁତ ସ୍ନେହ ଶ୍ରଦ୍ଧା ଅର୍ପଣ କରିବା ସହ କର୍ମଯୋଗୀ ହେବାପାଇଁ ପ୍ରେରଣା ଯୋଗାଇଛି ବୋଲି ମତବ୍ୟକ୍ତ କରିଥିଲେ । ଅଧ୍ୟାପିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବା ବେଳେ ଅଧ୍ୟାପିକା ହରପ୍ରିୟା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଭା ଆୟୋଜନରେ ଜଗଦୀଶ ସାହୁ, ବରୁଣ କଲତା, ଶ୍ରୀରାମ ଦେହୁରୀ, ଦିବାକର ଭୋଇ ପ୍ରମୁଖ ସହଯୋଗ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓ ଏସଏସବି) ଦ୍ବାରା ମନୋନୀତ ହୋଇ ଅଧ୍ୟାପିକା ବେହେରା ୨୦୧୯ ମସିହାରେ ଏହି ମହାବିଦ୍ୟାଳୟରେ ଯୋଗଦେଇ ଅଦ୍ୟାବଧି କାର୍ଯ୍ୟରତ ଥିଲେ । ତାଙ୍କର ଉଚ୍ଚକୋଟୀର ଅଧ୍ୟାପନା ଶୈଳୀ, ଛାତ୍ରବତ୍ସଳତା ତଥା ଅମାୟିକ ବ୍ୟବହାର ଏବଂ କର୍ତ୍ତବ୍ୟ ପରାୟଣତା ପାଇଁ ସଭିଙ୍କ ଶ୍ରଦ୍ଧା ଭାଜନ ହୋଇ ପାରିଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *