December 26, 2025
Home » ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ବ୍ରହ୍ମପୁର ଏସପିଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

0
WhatsApp Image 2025-11-01 at 1.49.55 PM

 

କଟକ: ପୀତବାସ ପଣ୍ଡା ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାରୀ ଚାପରେ ବ୍ରହ୍ମପୁର ଏସ୍‌ପି ସରଭଣା ବିବେକ ଏମ୍‌ ପୀତବାସ ପଣ୍ଡା ହତ୍ୟା ମାମଲାରେ କିଛି ପୁଲିସ ଅଧିକାରୀଙ୍କୁ ନେଇ ଫିଲ୍ମ ଷ୍ଟାଇରେ କରିଥିବା ସାମ୍ବାଦିକ ସମ୍ମିଳନୀ ଓ ଆଇନର ଉର୍ଦ୍ଧ୍ବରେ ରହି କରିଥିବା କାଳ୍ପନିକ ଗପରେ ଏସପି ବିବାଦ ଘେରରେ ପଡିବା ହାଇକୋର୍ଟଙ୍କ ତାଗିଦ୍ ପରେ ଚର୍ଚ୍ଚାର ବିଷୟ ହୋଇଛି। ପୀତବାସ ପଣ୍ଡା ହତ୍ୟା ମାମଲା; ଅଡୁଆରେ ବ୍ରହ୍ମପୁର ଏସ୍‌ପି ସରଭଣା ବିବେକ ଏମ୍‌ ।ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଏସ୍‌ପି ଗଣମାଧ୍ୟମରେ ଦେଇଥିବା ବୟାନରେ ହାଇକୋର୍ଟରେ ବିଚାରାଧୀନ ବ୍ରହ୍ମପୁର ବିଧାନସଭା ଆସନ ସଂପର୍କିତ ନିର୍ବାଚନୀ ମକଦ୍ଦମାକୁ ଯୋଡ଼ି ଦେଇଥିବା ଟିପ୍ପଣୀ ପାଇଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ହାଇକୋର୍ଟ ଏହି ପ୍ରସଙ୍ଗକୁ ଗୁରୁତ୍ବର ସହ ଗ୍ରହଣ କରି କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ଏସ୍‌ପି ଏଭଳି ମନ୍ତବ୍ୟ ଦେଇଥିଲେ, ଏପରି ଆଚରଣକୁ କାହିଁକି ଅଦାଲତ ଅବମାନନା ଭାବେ ଗ୍ରହଣ କରା ନଯିବ, ସେ ସଂପର୍କରେ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୭ ସୁଦ୍ଧା ହାଇକୋର୍ଟରେ ନିଜ ଉତ୍ତର ରଖିବେ ଏସ୍‌ପି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମପୁର ଆସନ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି।ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ମନୋଜ କୁମାର ପଣ୍ଡାଙ୍କ ତରଫରୁ ଏକ ସତ୍ୟପାଠ ଦାଖଲ କରାଯାଇ ଦର୍ଶାଯାଇଥିଲା ଯେ ଅକ୍ଟୋବର ୨୨ରେ ସେ ରେଳ ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ତିନି ଜଣ ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀ ତାଙ୍କୁ ଜୋରଜବରଦସ୍ତ ପୁଲିସ ଗାଡ଼ିରେ ବସାଇଥିଲେ। ତାଙ୍କୁ ପୁଲିସ ବାରାକ୍‌ରେ ଅକ୍ଟୋବର ୨୪ ପର୍ଯ୍ୟନ୍ତ ଅଟକ ରଖାଯାଇ ନିର୍ବାଚନୀ ମାମଲା ସଂକ୍ରାନ୍ତରେ ଜେରା କରାଯାଇଥିଲା। ସେ କାହିଁକି ନିର୍ବାଚନୀ ମକଦ୍ଦମା ବ୍ରହ୍ମପୁର ବିଧାୟକଙ୍କ ବିରୋଧରେ ରୁଜୁ କରିଛନ୍ତି ସେ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ନିର୍ବାଚନୀ ମାମଲାରେ ଦାୟର ଅନ୍ତରୀଣ ଆବେଦନ ସହିତ ଅକ୍ଟୋବର ୨୩ରେ ଏକ ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ସଂପର୍କରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଏକ ହତ୍ୟା ମାମଲାରେ ବ୍ରହ୍ମପୁର ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ବୟାନ ‌‌ଦେଇଥିଲେ। ବିକ୍ରମ ପଣ୍ଡା ଓ ଶିବଶଙ୍କର ଦାଶଙ୍କ ମଧ୍ୟରେ ଯୋଗାଯୋଗରେ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାରଙ୍କ ବିରୋଧରେ ଏହି ଆବେଦନ ଦାୟର କରାଯାଇଥିଲା। ଶିବଶଙ୍କର ଦାଶଙ୍କ ଘରେ କାମ କରୁଥିବା ଜଣେ ସହାୟକଙ୍କ ନାଁରେ ଏହା ଦାୟର କରାଯାଇଥିଲା। ବାସ୍ତବରେ ଶିବଶଙ୍କର ଦାଶ ନିଜେ ଏହି ମାମଲା ଦାୟର କରିଥିଲେ।ମାମଲା ପାଇଁ ଆଇନଗତ ଖର୍ଚ୍ଚ ଓ ଆଇନଜୀବୀଙ୍କ ଫି’ ବିକ୍ରମ ପଣ୍ଡା ବହନ କରୁଥିଲେ ବୋଲି ଏସ୍‌ପି କହିଥିବା ଏହି ଖବରରେ ଉଲ୍ଲେଖ କରାଯାଇଥିଲା। ଯଦି ଏହା ସତ ହୋଇଥାଏ, ତେବେ ଏସ୍‌ପିଙ୍କ ଭଳି ବରିଷ୍ଠ ପୁଲିସ ଅଧିକାରୀ ସର୍ବସାଧାରଣରେ କୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ସଂକ୍ରାନ୍ତରେ ଟିପ୍ପଣୀ ଦେବା ଉଦ୍‌ବେଗର ବିଷୟ ବୋଲି ହାଇକୋର୍ଟ କହିଛନ୍ତି। ସେପଟେ ନିର୍ବାଚନୀ ମକଦ୍ଦମାର ଆବେଦନକାରୀ ଓ ପ୍ରତିପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଦୁଇ ବରିଷ୍ଠ ଆଇନଜୀବୀ ଦର୍ଶାଇଥିଲେ ଯେ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀର ଭିଡିଓ ଉପଲବ୍ଧ। ନିର୍ବାଚନୀ ମକଦ୍ଦମାର ସମ୍ଭାବ୍ୟ ଫଳାଫଳ ଉପରେ ମଧ୍ୟ ଏସ୍‌ପି ଟିପ୍ପଣୀ ଦେଇଥିବା ଭିଡିଓରେ ଦେଖିବାକୁ ମିଳିଛି, ଯାହା ସଂପୂର୍ଣ୍ଣ ଭାବେ ଅନୁଚିତ। ଏଭଳି ସ୍ଥିତିରେ ଏସ୍‌ପିଙ୍କୁ ସ୍ପଷ୍ଟୀକରଣ ଦାଖଲ ପାଇଁ ହାଇକୋର୍ଟ ନି‌ର୍ଦ୍ଦେଶ ଦେଇଛନ୍ତି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅକ୍ଟୋବର ୨୮ରେ ଆବେଦନକାରୀ ମନୋଜ କୁମାର ପଣ୍ଡାଙ୍କୁ ସୁରକ୍ଷା ପ୍ରଦାନ ପାଇଁ ବ୍ରହ୍ମପୁର ଏସ୍‌ପିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୨୪ ନିର୍ବାଚନରେ କେ. ଅନୀଲ କୁମାର ୫୪୯୯୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ୩୬୨୮୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ଅଞ୍ଚଳର ଜଣେ ସାଧାରଣ ଭୋଟର ଭାବେ ଶ୍ରୀ ପଣ୍ଡା ବ୍ରହ୍ମପୁର ବିଧାନସଭା ଆସନ ଫଳାଫଳକୁ ଚ୍ୟାଲେଞ୍ଜ କରି ନିର୍ବାଚନୀ ମାମଲା ଦାୟର କରିଥିଲେ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *