July 14, 2026
Home » ବ୍ରହ୍ମପୁରରେ ଗୋପବନ୍ଧୁଙ୍କ ୯୮ତମ ଶ୍ରାଦ୍ଧ ଉତ୍ସବ

ବ୍ରହ୍ମପୁରରେ ଗୋପବନ୍ଧୁଙ୍କ ୯୮ତମ ଶ୍ରାଦ୍ଧ ଉତ୍ସବ

0
WhatsApp Image 2026-07-14 at 2.55.06 PM

ବ୍ରହ୍ମପୁର: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧ ଉତ୍ସବ ଅବସରରେ ବ୍ରହ୍ମପୁର ଠାରେ ତିଳତର୍ପଣ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ‘ସମାଜ’ ଓ ଲୋକ ସେବକ ମଣ୍ଡଳ ପକ୍ଷରୁ ମଙ୍ଗଳବାର ସକାଳ ୮ ଟା ରେ ବିଜିପୁର ପୋଖରୀ ଠାରେ ତିଳତର୍ପଣ କରାଯିବା ପରେ ଗିରିରୋଡ ସ୍ଥିତ ଗୋପବନ୍ଧୁ ଛକରେ ପୁଷ୍ପମାଲ୍ୟ ଅର୍ପଣ କରା ଯାଇଥିଲା । ଏଥିରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ ଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ପ୍ରେସ କ୍ଲବ୍ ଠାରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ବ୍ରହ୍ମପୁର ମହାନଗର ନିଗମ ଉପ ଆୟୁକ୍ତ କଲ୍ୟାଣୀ ସଂଘମିତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମେ ସମସ୍ତେ ଗୋପବନ୍ଧୁଙ୍କ ଭଳି ହେବା ଉଚିତ୍ ବୋଲି କହିଥିଲେ।

ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଉପ ସଚିବ ଡ. କୁଳମଣି ଓଝା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସତ୍ୟବାଦୀ ବନ ବିଦ୍ୟାଳୟ ର ସମାଜ ଉପରେ ପ୍ରଭାବ ସମ୍ପର୍କରେ କହିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକ୍ରମ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗୋପବନ୍ଧୁ ତାଙ୍କ କୃତି ଓ କୀର୍ତ୍ତି ପାଇଁ ସର୍ବଦା ଅମର ବୋଲି କହିଥିଲେ। ଗଞ୍ଜାମ ଜିଲା ଇକୋ କ୍ଳବ୍ ସଂଯୋଜକ ତଥା ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ଶଙ୍କର ନାରାୟଣ ବେଜ୍ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚାସିନ ଥିଲେ। ଡ. ଶଙ୍କର ମାଝୀ, ହରିକୃଷ୍ଣ କୋଠିଆ, ଡ. ରମେଶ ପ୍ରଧାନ, ଶିକ୍ଷାବିତ୍ ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ପରିବେଶବିତ୍ ସୁଧୀର ରାଉତ, ସମାଜସେବୀ ସୁଶାନ୍ତ ସାବତ, ରାଜେନ୍ଦ୍ର ପଣ୍ଡା, ଡ଼ା ସାଗର ରଞ୍ଜନ ତ୍ରିପାଠୀ, ଦୀନବନ୍ଧୁ ଶ୍ରୀପଲବ୍, ବୃନ୍ଦାବନ ଖଟେଇ, ବରିଷ୍ଠ ସାମ୍ବାଦିକ ରବି ରଥ, ଯୁବ ନେତା କାହୁଁ ପାତ୍ର, ତ୍ରିଲୋଚନ ରେଡ୍ଡୀ, ପଞ୍ଚାନନ ସାମଲ ପ୍ରମୁଖ ସାମିଲ ହୋଇଥିଲେ । ଉଭୟ କାଯ୍ୟକ୍ରମକୁ ଜାନକୀ କାନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ। ଅଶୋକ କୁମାର ସାହୁ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *