September 20, 2026
Home » ଭିଜିଲାନ୍ସ ଜାଲରେ ହିଞ୍ଜିଳିକାଟୁ ସିଡିପିଓ ଅଫିସର ସୁପରଭାଇଜର ଓ କର୍ମଚାରୀ:

ଭିଜିଲାନ୍ସ ଜାଲରେ ହିଞ୍ଜିଳିକାଟୁ ସିଡିପିଓ ଅଫିସର ସୁପରଭାଇଜର ଓ କର୍ମଚାରୀ:

0
WhatsApp Image 2026-09-20 at 4.28.35 PM

ହିଞ୍ଜିଳିକାଟୁ: (ଇ ପି ଏ ) ଗତ ୧୯/୦୯/୨୬ ରିଖ, ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସିଡିପିଓ (CDPO) କାର୍ଯ୍ୟାଳୟର ଆଇସିଡିଏସ (ICDS) ସୁପରଭାଇଜର ଶ୍ରୀମତୀ ବି. ଉମା ପାତ୍ର ଏବଂ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟ (JRA) ନରସିଂହ ବେହେରା ୩୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି।
​ଗୋଟିଏ ଅଙ୍ଗନବାଡ଼ି କେନ୍ଦ୍ରର ଗତ ୧୧ ମାସର ବାକି ଥିବା ଘରଭଡ଼ା ଟଙ୍କା ମଞ୍ଜୁର କରିବା ପାଇଁ ସେମାନେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କଠାରୁ ଏହି ୩୦,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ଟଙ୍କା ନଦେଲେ ଆଗାମୀ ମାସଗୁଡ଼ିକର ଘରଭଡ଼ା ମଧ୍ୟ ବନ୍ଦ କରିଦେବାକୁ ସେମାନେ ଧମକ ଦେଇଥିଲେ। କୌଣସି ଉପାୟ ନପାଇ ଅଙ୍ଗନବାଡ଼ି କର୍ମୀ (ଅଭିଯୋଗକାରୀ) ଏ ନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ।
​ଅଭିଯୋଗ ଆଧାରରେ ୧୯/୦୯ ରିଖ ଦିନ ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ସିଡିପିଓ କାର୍ଯ୍ୟାଳୟ ପରିସର ମଧ୍ୟରେ ଅଭିଯୋଗକାରୀଙ୍କ ଠାରୁ ୩୦,୦୦୦ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଉଭୟ ସୁପରଭାଇଜର ଶ୍ରୀମତୀ ପାତ୍ର ଏବଂ ଜେ.ଆର.ଏ ଶ୍ରୀ ବେହେରାଙ୍କୁ କାବୁ କରିଥିଲେ। ସେମାନଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ୩୦,୦୦୦/- ଜବତ କରାଯାଇଛି।
​ଏହି ଗିରଫଦାରୀ ପରେ, ଆୟବହିର୍ଭୂତ ସମ୍ପତ୍ତି ଠାବ କରିବା ପାଇଁ ଉଭୟ ଶ୍ରୀମତୀ ପାତ୍ର ଏବଂ ଶ୍ରୀ ବେହେରାଙ୍କ ବାସଭବନରେ ଏକାସାଙ୍ଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।
​ଏହି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ୍ ନଂ ୧୦, ତା-୧୯.୦୯.୨୦୨୬, ଧାରା 7 P.C. (Amendment) Act, 2018 ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଉଭୟ ଅଭିଯୁକ୍ତଙ୍କ ବିରୋଧରେ ଅଧିକ ତଦନ୍ତ ଜାରି ରହିଛି।

 

ରିପୋର୍ଟ -ସୁଜିତ କୁମାର ପଟ୍ଟନାୟକ

Leave a Reply

Your email address will not be published. Required fields are marked *