ଭୁବନେଶ୍ୱରରେ ମାଗଣା ସ୍ୱାସ୍ଥ୍ୟ ଶିବିର: ମେୟରଙ୍କ ଦ୍ୱାରା ଉଦ୍ଘାଟିତ, ୨୦୦ରୁ ଅଧିକ ଉପକୃତ
ଭୁବନେଶ୍ୱର, : ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚ ଓ କଳିଙ୍ଗ ହସ୍ପିଟାଲଙ୍କ ମିଳିତ ଆନୁକୂଲ୍ୟରେ ଆଜି ସକାଳ ୮ ଘଟିକାରେ ବିଏମସି ୱାର୍ଡ ନଂ-୬୧, ଭୀମ ଟାଙ୍ଗୀ ଫେଜ-୨ ସ୍ଥିତ ନବନିର୍ମିତ କମ୍ୟୁନିଟି ସେଣ୍ଟରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।
ମାନ୍ୟବର ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସ୍ଥାନୀୟ କର୍ପୋରେଟର ଶ୍ରୀଯୁକ୍ତ ଶିବ ନାରାୟଣ ରାୟ, ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା ଓ ବହୁ ସଂଖ୍ୟାରେ ବରିଷ୍ଠ ନାଗରିକ ଓ ଜନସାଧାରଣ ଉପସ୍ଥିତ ଥିଲେ।
ଶିବିରରେ ଉପଲବ୍ଧ ସେବା:
କଳିଙ୍ଗ ହସ୍ପିଟାଲର ଜେନେରାଲ ମେଡିସିନ ବିଶେଷଜ୍ଞ ଡା. ବି.ପି. ପରିଡ଼ା, ହୃଦୟରୋଗ ବିଶେଷଜ୍ଞ ଡା. ପି.କେ. ରାଉତ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. କୁସୁମ ଦାଶ ପ୍ରମୁଖ ଡାକ୍ତରମାନେ ଅତ୍ୟନ୍ତ ଆନ୍ତରିକତାର ସହ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକୀୟ ପରାମର୍ଶ ଦେଇଥିଲେ।
ଡାକ୍ତରଙ୍କ ପରାମର୍ଶ କ୍ରମେ BMD ପରୀକ୍ଷା, ରକ୍ତଚାପ, ରକ୍ତ ଶର୍କରା ଓ ECG ପରୀକ୍ଷା କରାଯାଇଥିଲା। ସେଣ୍ଟର ଫର୍ ସାଇଟର ବିଶେଷଜ୍ଞଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯିବା ସହିତ ଡାଏଟିସିଆନଙ୍କ ଦ୍ୱାରା ଖାଦ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା।
ଡାକ୍ତରମାନେ ଉପସ୍ଥିତ ଜନସାଧାରଣଙ୍କୁ ସୁସ୍ଥ ଜୀବନଶୈଳୀ, ନିୟମିତ ବ୍ୟାୟାମ ଏବଂ ଦୈନନ୍ଦିନ ଜୀବନରେ ପାଳନ କରିବାକୁ ଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ।
ଆୟୋଜନ ଓ ପରିଚାଳନା:
ଶିବିରର ସମସ୍ତ ଆୟୋଜନ ସ୍ଥାନୀୟ କର୍ପୋରେଟର ଶ୍ରୀ ଶିବ ନାରାୟଣ ରାୟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିଲା। ବତ୍ରିଶ ସିଂହାସନ ବରିଷ୍ଠ ନାଗରିକ ମଞ୍ଚର କର୍ମକର୍ତ୍ତା ଓ ସଦସ୍ୟବୃନ୍ଦ ସମ୍ପୂର୍ଣ ଶିବିରର ସୁପରିଚାଳନା କରିଥିଲେ।
ଶେଷରେ ମଞ୍ଚର ସଭାପତି ଶ୍ରୀ ଗଣେଶ କୁମାର ପ୍ରଧାନ ମାନ୍ୟବର ମେୟର, କର୍ପୋରେଟର, କଳିଙ୍ଗ ହସ୍ପିଟାଲର ଡାକ୍ତର ଓ କର୍ମଚାରୀବୃନ୍ଦ, ସ୍ୱେଚ୍ଛାସେବୀ ଏବଂ ଅଞ୍ଚଳବାସୀଙ୍କ ସକ୍ରିୟ ସହଯୋଗ ପାଇଁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରିଥିଲେ।
ବିଶେଷତ୍ୱ: ଶିବିରରେ ସମସ୍ତ ସେବା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯାଇଥିଲା। ପ୍ରାୟ ୨୦୦ ପାଖାପାଖି ବରିଷ୍ଠ ନାଗରିକ ଓ ସ୍ଥାନୀୟ ଲୋକ ଏହି ଶିବିରରୁ ଉପକୃତ ହୋଇଥିଲେ।
