ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସୁନାମଧନ୍ୟ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ହରିଶ୍ଚନ୍ଦ୍ର ପଧାନଙ୍କ ପରଲୋକ
ଧର୍ମଗଡ଼ ଅଞ୍ଚଳ ର ଜଣେ ସୁନାମଧନ୍ୟ ଭେଷଜ ରୋଗ ବିଶେଷଜ୍ଞ ତଥା ଅବସରପ୍ରାପ୍ତ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡାକ୍ତର ହରିଶ୍ଚନ୍ଦ୍ର ପଧାନ (୮୦)ଙ୍କ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇ ଯାଇଛି।ସତୁରୀ ଦଶକରେ ସେ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟ ରେ କାର୍ଯ୍ୟରତ ଥିଲେ। ୧୯୯୮ ମସିହାରୁ ୨୦୦୭ ପର୍ଯ୍ୟନ୍ତ ସେ ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟରେ ମେଡିକାଲ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଚାକିରୀ ଜୀବନରୁ ଅବସର ଗ୍ରହଣ ପରେ ମଧ୍ଯ ଲୋକଙ୍କ ଅନୁରୋଧରେ ସେ ନୀରବଛିନ୍ନ ଭାବେ ସେବା ଯୋଗାଇ ଆସୁଥିଲେ।
ଆଜି ସକାଳୁ ନିଜ ଘର ଭବାନୀପାଟଣାରୁ କାର ଯୋଗେ ଧର୍ମଗଡ଼କୁ ଆସୁଥିବାବେଳେ ବଳଦିଆମାଲ ପେଟ୍ରୋଲ ପମ୍ପ ସମ୍ମୁଖସ୍ଥ ୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିବା

ଏକ ଟ୍ରକ ସହିତ ତାଙ୍କ କାର ର ଧକ୍କା ହୋଇଥିଲା ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ଧର୍ମଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି,ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କେମିଷ୍ଟ ଓ ଡ୍ରଗିଷ୍ଟ ସଂଘର ପୂର୍ବତନ ସଂପାଦକ ଆଚାର୍ଯ୍ୟ ହୃଷିକେଶ ମିଶ୍ର, ଓକିଲ ସଂଘ ର ସଭାପତି କୃପାସିନ୍ଧୁ ପଣ୍ଡା, ବରିଷ୍ଠ ଆଇନଜୀବୀ ସୁନୀଲ କୁମାର ପାତ୍ର, ତୁଷାର ରଞ୍ଜନ ପଟ୍ଟଯୋଶୀ, ଚିନ୍ତାମଣି ପାତ୍ର, ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଥବିର ପ୍ରସାଦ ସାହୁ, ରାଜେନ୍ଦ୍ର ମୁନି,ଚେମ୍ବର ଅଫ କମର୍ସ ର ସଭାପତି ବିଦ୍ୟାଧର ସାହୁ, ବିଶିଷ୍ଟ ସାହିତ୍ୟିକ ପ୍ରତାପ କିଶୋର ମୁଣ୍ଡ, ପଞ୍ଚାଯତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସତ୍ୟ ପଟ୍ଟନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
