ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ତମ ଜୟନ୍ତୀ ପାଳିତ

କଟକ: ବିଜୁ ପଟ୍ଟନାୟକ କେବଳ ଏକ ନାମ ନଥିଲେ – ସେ ଥିଲେ ଏକ ଭାବନା, ଏକ ଆନ୍ଦୋଳନ, ନିଜ ଭିତରେ ଏକ ବିପ୍ଳବ । ସେ ଏପରି ଏକ ଓଡ଼ିଶାର ସ୍ୱପ୍ନ ଦେଖିଥିଲେ ଯାହା ମର୍ଯ୍ୟାଦା ଏବଂ ସ୍ୱାଭିମାନ ସହିତ ଉଚ୍ଚ ହୋଇ ଠିଆ ହେବା ସହ ଯେଉଁଠାରେ ଯୁବପିଢ଼ି ନେତୃତ୍ୱ ନେବେ, ଯେଉଁଠାରେ ମହିଳାମାନେ ପୁରୁଷଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଚାଲିବେ, ଯେଉଁଠାରେ ଶିଳ୍ପ, ଶିକ୍ଷା ଏବଂ ପ୍ରଗତି ପ୍ରତ୍ୟେକ ଗ୍ରାମ ଏବଂ ପ୍ରତ୍ୟେକ ଘରକୁ ଛୁଇଁବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମଠାରେ ଆୟୋଜିତ ୧୦୯ ତମ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ଏହି ମତପ୍ରକାଶ କରିଛନ୍ତି ।
ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରି ସେ ଏକାଧାରରେ ଜଣେ ସ୍ଵାଧୀନତା ସଂଗ୍ରାମୀ ,ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ , ଦୂରଦୃଷ୍ଟି ସଂପନ୍ନ ରାଜନେତା, ଦୁଃସାହସୀ ବୈମାନିକ ଓ ଶିଲ୍ପପତି ଥିଲେ ବୋଲି ବର୍ଣନା କରିଥିଲେ।
ଜିଲ୍ଲା ମଙ୍ଗଳ ଅଧିକାରୀ ସୁଶ୍ରୀ ମଧୁସ୍ମିତା ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ ରଶ୍ମିରଂଜନ ସାମନ୍ତରାୟ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରି ଶ୍ରୀ ମନୋଜ କୁମାର ରଥ, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ମହାନ ଜୀବନୀ ଉପରେ ଆଲୋକପାତ କରିଥିଲେ। ଏଥି ସହ କାର୍ଯକ୍ରମରେ ଯୋଗ ଦେଇଥିବା ସୁଧୀଜଣଙ୍କ ମଧ୍ୟରୁ ବହୁ ବୁଦ୍ଧିଜୀବୀ ଓ ଛାତ୍ରଛାତ୍ରୀ ସ୍ବତଃପ୍ରବୃତ ଭାବରେ ଏହି କିମ୍ବଦନ୍ତୀ ପୁରୁଷଙ୍କ ବିଷୟରେ କବିତା ଓ ସ୍ମୃତିଚାରଣ କରିଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ସ୍ବାଗତ ଭାଷଣ ପ୍ରଦାନ କରି କାର୍ଯକ୍ରମ ପରିଚାଳନା କରିବା ସହ ବିଜୁ ପଟନାୟକଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ଵ , ନିଷ୍ଠା, ପରାକାଷ୍ଠା ଓ ଦୁରଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ। ସହକାରୀ ସୂଚନା ଅଧିକାରୀ ସ୍ଵାଗତିକା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଜିଲ୍ଲାପାଳଙ୍କ କାର୍ୟାଳୟର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା କ୍ରୀଡା ଛତ୍ରାବାସର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।
ଏହି ପରିପ୍ରେକ୍ଷୀରେ ଆଜି ସକାଳେ ବିଜୁ ପଟ୍ଟନାୟକ ଛକ, ଆନନ୍ଦ ଭବନ ଓ ଯୋବ୍ରାସ୍ଥିତ ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରିଥିଲେ। ଆନନ୍ଦ ଭବନ ସଂଗ୍ରହାଳୟ ଓ ପାଠାଗାରକୁ ସାଜସଜ୍ଜା କରାଯିବା ସହ ବିଜୁ ବାବୁଙ୍କ ଜୀବନି ଉପରେ ଏକ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ସାଧାରଣ ଲୋକଙ୍କ ପାଇଁ ଏହି ପ୍ରଦର୍ଶନୀ ଦିନ ସାରା ଖୋଲା ରହିଥିଲା।