ମାଁ ତାରିଣୀ ମନ୍ଦିର ପ୍ରତିଷ୍ଠା ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ କଳାକାର ବରଣ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସ୍ଥାନୀୟ ଆନନ୍ଦ ନଗର ସ୍ଥିତ ମାଁ ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ ସୋମବାର ରୀତି ନୀତି ପରମ୍ପରା ଅନୁସାରେ ଶୁଭସ୍ତମ୍ଭ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭକ୍ତିଭାବ ଓ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ଉକ୍ତ ମହୋତ୍ସବରେ କର୍ତ୍ତା ଭାବେ ହରେକୃଷ୍ଣ ସେନାପତି ଓ ସୌଦାମିନୀ ସେନାପତି, ଶୈଳେନ୍ଦ୍ର ପଣ୍ଡା ଓ ଡେଜି ପଣ୍ଡା, ବିଶ୍ବନାଥ ମହାଣା ଓ ହିମାନୀ ମହାଣା, ଚିତ୍ତରଞ୍ଜନ ମହାପାତ୍ର ଓ ମିନାକ୍ଷୀ ମହାପାତ୍ର, ଶେଷଦେବ ମିଶ୍ର ଓ ପଦ୍ମିନୀ ମିଶ୍ର, ସୁଶିଲ ମେହେର ଓ ପ୍ରଭାତୀ ମେହେର ପ୍ରମୁଖ ଦମ୍ପତି ସାମିଲ ରହି ଦାୟିତ୍ବ ତୁଳାଇଥିଲେ ।

ମୁଖ୍ୟ ପୁରୋହିତ ଭାବେ ପ୍ରସିଦ୍ଧ ଚଣ୍ଡିପାଠକ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପୂଜାରୀ ଧୂପ, ଦୀପ, ପୂଜାର୍ଚ୍ଚନା ସହିତ ବେଦମନ୍ତ୍ର ପଠନ କରିଥିବା ବେଳେ, ମଣ୍ଡୁ ସାବତ, ସୌରଭ ଷଢ଼ଙ୍ଗୀ, ଶିବମ୍ ଦେବତା ଓ ଚିଣ୍ଟୁ ଦାଶ ସହଯୋଗ କରିଥିଲେ । ଏହି ଅବସରରେ ମାଁ ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅବଧିରେ ରାବଣ ଦରବାର ହେବାକୁ ଥିବା ବେଳେ ଏଥିପାଇଁ ମହାରାଜ ରାବଣ ଅଭିନେତା ଶ୍ରୀଯୁକ୍ତ ଆଶାରାମ ଖମାରୀଙ୍କ ସମେତ ସାଥୀ କଳାକାରଗଣଙ୍କୁ ପାରମ୍ପରିକ ରୀତି ନୀତିରେ ବରଣ କରାଯାଇଥିଲା, ଯାହା ବେଶ୍ ଚିତ୍ତାକର୍ଷକ ଥିଲା । ମାଁ ତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଲଗ୍ନ ଧାର୍ଯ୍ୟ ହୋଇସାରିଛି ।

୨୦୨୬ ଜାନୁୟାରୀ ୧୯ ରୁ ୨୩ ପ୍ରତିଷ୍ଠା ଉତ୍ସବ ପାଳିତ ହେବ । ଅନ୍ତିମ ତଥା ଶ୍ରୀପଞ୍ଚମୀ ଦିନ ବିଗ୍ରହ ପ୍ରବେଶ ଓ ପୂର୍ଣ୍ଣିହୂତି କାର୍ଯ୍ୟକ୍ରମ ରହିଛି । ୨୦ ତାରିଖରୁ ରାମଲୀଲା ସହିତ ରାବଣରାଜ କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କମିଟୀ ତରଫରୁ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଜମିଦାର ତଥା ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗତତୀୟା ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟକୃଷ୍ଣ ଡନସନା, କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ଅନ୍ୟାନ୍ୟ ଅତିଥିଗଣ ଉପସ୍ଥିତ ରହି ମାଁ ତାରିଣୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଶୁଭସ୍ତମ୍ଭ ଅବସରରେ ମନ୍ଦିର କମିଟୀ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଅଞ୍ଚଳର ଭକ୍ତଗଣ ଉପସ୍ଥିତ ରହି ମାଁଙ୍କର ଆଶିର୍ବାଦ ସହିତ ପ୍ରସାଦ ସେବନ କରି ସ୍ବ-ଗୃହ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଞ୍ଚଳ ତଥା ଦୂରଦୂରାନ୍ତରରୁ ମାଁ ତାରିଣୀଙ୍କ ସନ୍ତାନ ଓ ଭକ୍ତଗଣ ମାଁଙ୍କର ଆଶିର୍ବାଦ ନେବା ପାଇଁ ଉତ୍ସବ ଅବଧିରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଳ୍ୟମଣ୍ଡିତ କରିବା ହେବେ ବୋଲି ଆମ ଜରିଆରେ କମିଟୀ ତରଫରୁ ଅନୁରୋଧ କରାଯାଇଛି ।
ଇପିଏରୁ ବରଗଡ଼ ଜିଲ୍ଳା ପ୍ରତିନିଧି କ୍ଷମା ନିଧି ବଣ୍ଡୁକିଙ୍କ ରିପୋର୍ଟ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସୀ)
