ଯୋଡ଼ା-ବଡ଼ବିଲ ଅଞ୍ଚଳରେ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ’ର ଶୁଭାରମ୍ଭ

ଯୋଡ଼ା – କିଶୋରୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା, ବିଶେଷ କରି ସେମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ର ଶୁଭାରମ୍ଭ ହୋଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଡ଼ା ମଣ୍ଡଳ ଖଣି ଉପ ନିର୍ଦ୍ଦେଶକ ଶ୍ରୀ ଦୀନେଶ ଅଗ୍ରଓ୍ୱାଲ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ କାଶିଆ ମାଇନ୍ସ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର, ଭଦ୍ରାସାହି ସରପଞ୍ଚ ଶ୍ରୀମତୀ ପ୍ରମିଳା ନାଏକ, ଏବଂ ଏମଡିଓ ହେଡ୍ ଶ୍ରୀ ଏଚଏନ୍ ସିଂହ ପ୍ରମୁଖ ଯୋଗଦେଇଥିଲେ ।
ଅତିଥିମାନେ ପତାକା ଦେଖାଇ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ଭ୍ୟାନର ଶୁଭାରମ୍ଭ କରିଥିଲେ । ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଏହି ଅତ୍ୟାଧୁନିକ ଭ୍ୟାନରେ ରକ୍ତ ପରୀକ୍ଷଣ ବ୍ୟବସ୍ଥା, ଔଷଧ, ସାନିଟାରି ପ୍ୟାଡ଼ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସରଞ୍ଜାମ ଉପଲବ୍ଧ ରହିଛି । ଏହି ଭ୍ୟାନ ଗାଁ ଗାଁ ବୁଲି ସଚେତନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ଯୋଗାଇବ । ଜିନ୍ଦଲ ଫାଉଣ୍ଡେସନର ଏହି ପଦକ୍ଷେପକୁ ମୁଖ୍ୟ ଅତିଥି ଶ୍ରୀ ଅଗ୍ରଓ୍ୱାଲ ପ୍ରଶଂସା କରିଥିଲେ । ଆଗକୁ ଏହି କାର୍ଯ୍ୟକ୍ରମ ନିଶ୍ଚିତ ଭାବେ କିଶୋରୀଙ୍କ ସ୍ୱାସ୍ଥ୍ୟକୁ ଉତ୍ତମ ରଖିବାରେ ସହାୟକ ହେବା ସହ ଏହି କାର୍ଯ୍ୟକ୍ରମ ଅନ୍ୟମାନଙ୍କ ପାଇଁ ନିଶ୍ଚିତ ଭାବେ ମାର୍ଗଦର୍ଶକ ହେବ ବୋଲି ସେ କହିଥିଲେ।
ଯୋଡ଼ା-ବଡ଼ବିଲ ଅଞ୍ଚଳର କିଶୋରୀମାନଙ୍କୁ ଆନେମିଆମୁକ୍ତ କରିବା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଅଭିଯାନରେ ଯୋଡ଼ା ଓ ବଡ଼ବିଲ ଅଞ୍ଚଳର ୧୯ଟି ପଞ୍ଚାୟତ ଅଧୀନ ୧୨୦ଟି ଗ୍ରାମର ପ୍ରାୟ ୯୦୦୦ କିଶୋରୀଙ୍କୁ ଅନ୍ତର୍ଭୁକ୍ତ କରାଯିବ । ଅଙ୍ଗନବାଡ଼ି ଓ ସ୍କୁଲରେ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଂଗିନୀମାନେ ସହଯୋଗ କରିବେ । କିଶୋରୀମାନଙ୍କୁ ଲୌହସାରର ଅଭାବ ଓ ଏହାର ଅସୁବିଧା ସମ୍ପର୍କରେ ଅବଗତ କରାଯିବ । ସେମାନଙ୍କ ହିମୋଗ୍ଲୋବିନ ପରୀକ୍ଷଣ କରାଯାଇ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ଓ ସେବା ଯୋଗାଇଦିଆଯିବ । ପରିଛନ୍ନତା ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପ୍ରସ୍ତୁତ ସାନିଟାରୀ ନାପକିନ୍ ‘ଶୁଭାଙ୍ଗୀ’ ବିତରଣ କରାଯିବ । ଆନେମିଆ ଓ ଅତି ଗୁରୁତର ଆନେମିଆ ରୋଗୀଙ୍କୁ ପୋଷଣ ସହାୟତା ଏବଂ ମଲ୍ଟି ଭିଟାମିନ ପ୍ରଦାନ କରାଯିବ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ଗ୍ରାମବାସୀ, ଜେଏସପିଏଲର ଅଧିକାରୀ ଓ ଜିନ୍ଦଲ ଫାଉଣ୍ଡେସନର ସଦସ୍ୟମାନେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ, ଜିନ୍ଦଲ ଫାଉଣ୍ଡେସନର ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ଓଡ଼ିଶା, ଝାଡ଼ଖଣ୍ଡ ଓ ହରିୟାଣାରେ ସଫଳ ସାବ୍ୟସ୍ତ ହୋଇଛି । ଏହି ପଦକ୍ଷେପ ପାଇଁ ଦେଶର ୭.୫ଲକ୍ଷ କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି । ଅନୁଗୁଳରେ ‘କିଶୋରୀ ଏକ୍ସପ୍ରେସ ପ୍ଲସପ୍ଲସ’ ପାଇଁ ୫୩୭ ଗ୍ରାମର କିଶୋରୀ ଆନେମିଆମୁକ୍ତ ହୋଇସାରିଛନ୍ତି ।
ଯୋଡ଼ା ଇପିଏ ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )