December 30, 2025
Home » ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଇଁ ବିଏମ୍ ସିର ତତ୍ପରତା

ରାଜଧାନୀ ପ୍ରତିଷ୍ଠା ଦିବସ ସମାରୋହ ପାଇଁ ବିଏମ୍ ସିର ତତ୍ପରତା

0
WhatsApp Image 2025-04-06 at 12.05.31 AM

ଭୁବନେଶ୍ୱର;: ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଆଜି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଦାୟିତ୍ୱ ବଣ୍ଟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍ ସି କମିଶନର ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ କର୍ପୋରେଟର, ମାନ୍ୟବର ସାଂସଦ ଓ ମାନ୍ୟବର ବିଧାୟକଙ୍କ ପ୍ରତିନିଧି, ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ସଭାପତି ଶ୍ରୀ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର, ବିଏମସିର ସମସ୍ତ ଅତିରିକ୍ତ କମିଶନର, ଜୋନାଲ କମିଶନର, ଡେପୁଟି କମିଶନର ଓ ସହକାରୀ କମିଶନର ଉପସ୍ଥିତ ଥିଲେ ।
ଅତିରିକ୍ତ କମିଶନର ଶ୍ରୀ ଶୁଭେନ୍ଦୁ କୁମାର ସାହୁ ସ୍ୱାଗତ ଅଭିଭାଷଣ ଦେବା ପରେ କମିଶନର ଆଜି ବୈଠକର ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । କମିଶନରଙ୍କର ନିର୍ଦେଶ କ୍ରମେ ପୂର୍ବରୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକର ସିଦ୍ଧାନ୍ତଗୁଡିକ ସଂପର୍କରେ ଅତିରିକ୍ତ କମିଶନର ଶ୍ରୀ ସାହୁ ଅବଗତ କରାଇଥିଲେ । କେଉଁ ବିଭାଗ କେଉଁ କେଉଁ ଦାୟିତ୍ୱ ନେଇଛନ୍ତି, ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଚଳିତ ମାସ 13 ଓ 14 ତାରିଖ ଦୁଇ ଦିନ ଧରି ପାଳନ ହେବାକୁ ଥିବା ରାଜଧାନୀ ପ୍ରତିଷ୍ଠା ଦିବସକୁ ଆଡମ୍ବର ସହକାରେ ପାଳନ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ରାଜଧାନୀ ପ୍ରତିଷ୍ଠା ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବିଭିନ୍ନ ପ୍ରତିଯୋଗିତା ସହ ଦୁଇଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାଏମ ରଖିବା ସହ ଓ୍ୱାର୍ଡ ସ୍ତରରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ତିନି ଜୋନର ଜୋନାଲ କମିଶନରମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ ସଂପୃକ୍ତ କର୍ପୋରେଟରଙ୍କ ସହ ଯୋଗାଯୋଗ କରି ତାଙ୍କ ପରାମର୍ଶ ଓ ଗୋଷ୍ଠୀ ସହଯୋଗରେ ଏହି ସାଂସ୍କୃତିକ ପ୍ରତିଯୋଗିତାମାନ ଆୟୋଜନ କରିବେ । ପ୍ରତି ଜୋନରୁ 3 ଜଣ ଲେଖାଏଁ ଶ୍ରେଷ୍ଠ ବିବେଚିତ ବିଜେତାଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସରେ ସମ୍ମାନିତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ।
ମାନନୀୟା ମେୟରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 13 ଜଣ ବ୍ୟକ୍ତିଙ୍କୁ ‘ରାଜଧାନୀ ଗୌରବ’ ସମ୍ମାନ ପ୍ରଦାନ ନିମନ୍ତେ ସେମାନଙ୍କର ନାମ ଚୟନ କରିବାକୁ ଦାୟିତ୍ୱ ଦିଆଯାଇଛି ।
ଏହା ବ୍ୟତୀତ ବିଏମ୍ ସିର ସମସ୍ତ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି । ସରକାରଙ୍କର ନିଷ୍ପତ୍ତି ଅନୁସାରେ ସୂଚାରୁରୂପେ ଦାୟିତ୍ୱ ତୁଲାଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି କମିଶନର ।

Leave a Reply

Your email address will not be published. Required fields are marked *