ରାଜ୍ୟସ୍ତରରେ ୧୯ ତମଜାତୀୟ ପରିସଂଖ୍ୟାନ ଦିବସ ପାଳିତ

ଭୁବନେଶ୍ୱର: ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ଅନ୍ତର୍ଗତ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ରାଜ୍ୟସ୍ତରରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ଆଜି ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟର ଠାରେ ସମାରୋହରେ ପାଳିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ ତାଙ୍କର ଅଭିଭାଷଣରେ ରାଜ୍ୟର ପରିସଂଖ୍ୟାନ ବ୍ୟବସ୍ଥାରେ ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ବଡ଼ ଦୃଷ୍ଟିକୋଣ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଏହା ରାଜ୍ୟର ସାମାଜିକ-ଆର୍ଥିକ ପ୍ରଗତିକୁ ମାପିବା ପାଇଁ ଏକ ଦର୍ପଣ ସଦୃଶ କାର୍ଯ୍ୟ କରିବ ଏବଂ ରାଜ୍ୟର ପ୍ରଗତି ପଥରେ କି କି ଆବଶ୍ୟକତା ରହୁଛି, ସେ ସମ୍ପର୍କରେ ଆଗକୁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟ ଶାସନ ସଚବ ପ୍ରକାଶ କରିଥିଲେ । ସେ ମଧ୍ୟ ଏଥିପାଇଁ ରାଜ୍ୟର ବିଭିନ୍ନ ସଂସ୍ଥାଗତ ବା ଆନୁଷ୍ଠାନିକ ଦକ୍ଷତା ବିକାଶ ପ୍ରତି ଗୁରୁତ୍ୱାରୋପ କରିଥିଲେ । ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ତାଙ୍କର ପ୍ରାରମ୍ଭିକ ଅଭିଭାଷଣରେ ସମାରୋହକୁ ସମ୍ବୋଧିତ କରି ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଉପସ୍ଥାପନ କରିଥିଲେ । ସେ କହିଥିଲେ ଯେ, ବିକଶିତ ଓଡ଼ିଶା-୨୦୩୬ ଏବଂ ବିକଶିତ ଭାରତ -୨୦୪୭ ଲକ୍ଷ୍ୟ ନେଇ ଓଡ଼ିଶା ଭିଜନ ନିକଟରେ ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।
ଏଥିରେ ଥିବା ଧାର୍ଯ୍ୟ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମକୁ ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ଉନ୍ନତ କରାଯିବାର ଆବଶ୍ୟକତା ରହିଛି । ‘ସୁଭଦ୍ରା’ଯୋଜନାର କାର୍ଯ୍ୟକାରିତାର ଉଦାହରଣ ଦେଇ ସେ କହିଲେ ଯେ, ଓଡିଶା ସରକାର ତଥ୍ୟର ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି ଏବଂଏହି ପ୍ରକ୍ରିୟାରେରାଜ୍ୟ ଏକ ସଶକ୍ତ ଡାଟାବେସ୍ ପ୍ରସ୍ତୁତ କରିଛି, ଯାହା ଅନ୍ୟ ହିତାଧିକାରୀ- କୈନ୍ଦ୍ରିକ ଯୋଜନାର କାର୍ଯ୍ୟାନ୍ୱୟରେ ବ୍ୟବହାର କରାଯିବ। ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡଃ. ବିଜୟ ଭୂଷଣ ନନ୍ଦ ଯୋଗଦେଇ ରାଜ୍ୟ ସରକାର ରାଜ୍ୟରେ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢ କରିବାରେ ପୂର୍ଣ୍ଣ ସହାୟତା ଦେଉଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ଗତ କିଛି ବର୍ଷ ଧରିରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ବ୍ୟବସ୍ଥାକୁ ସୁଦୃଢୀକରଣ ଏବଂ ଆଧୁନୀକିକରଣ କରାଯାଉଥିବା ସଂପର୍କରେ ଆଲୋକପାତ କରିଥିଲେ । ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରାଳୟର ପ୍ରାକ୍ତନ ମହା ନିର୍ଦ୍ଦେଶକ ଶ୍ରୀ ଆଶିଷ କୁମାର କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ସେ ଭାରତ ସରକାରଙ୍କ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଭୂମିକା ସଂପର୍କରେ ଆଲୋକପାତ କରି କହିଲେ ଯେ, ଅଣ ସଂଗଠିତ ଅର୍ଥନୀତିକ କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ତଥ୍ୟ ନିୟମିତ ବ୍ୟବଧାନରେ ପ୍ରଦାନ ନିମନ୍ତେ ନମୁନା ସର୍ବେକ୍ଷଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏସବୁ ଡାଟା ବିଭିନ୍ନ ବିଭାଗରେ ସେମାନଙ୍କର ଯୋଜନା ଓ ନୀତି ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ । ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥାର ସହଯୋଗୀ ଭାବରେ ବିଭିନ୍ନ କ୍ଷେତ୍ରରେ ବିଶ୍ୱସନୀୟ ତଥ୍ୟ ସଂଗ୍ରହ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ ବିକଶିତ ଏକ ଓ୍ୱେବ୍ ସାଇଟ୍ – “ଡାଇନାମିକ ଆଣ୍ଡ ଇଣ୍ଚରାକ୍ଟିଭ୍” ର ଶୁଭାରମ୍ଭ କରାଯାଇଥିଲା । ଆହୁରି ମଧ୍ୟ ନିରନ୍ତର ବିକାଶ ଲକ୍ଷ୍ୟ(ଏସଡିଜି) ର ଏକ ଡ୍ୟାସ୍ ବୋର୍ଡ ଏବଂ ‘କ୍ୟାପି’ ସର୍ବେକ୍ଷଣ ଜରିଆରେ ତଥ୍ୟ ସଂଗ୍ରହ ଉପରେ ଆଧାରିତ ଏକ ଓ୍ୱେବ୍ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇଥିଲା । ଏଥି ସହିତ ୭ମ କ୍ଷୁଦ୍ର ଜଳସେଚନ ଗଣନା, ପ୍ରଥମ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ୱ ଗଣନା, ୨ ୟ ଜଳାଶୟ ଗଣନା ଏବଂ ପ୍ରଥମ ଝରଣା ଗଣନା ମଧ୍ୟ ଶୁଭାରମ୍ଭ ହୋଇଥିଲା ।ଏହି ଅବସରରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ପ୍ରକାଶିତ ବାର୍ଷିକ ପ୍ରକାଶନ “ସମୀକ୍ଷା” ଏବଂ ଅନ୍ୟ କେତେକ ପରିସଂଖ୍ୟାନଭିତ୍ତିକ ପତ୍ରିକା ଯଥା- “ଓଡ଼ିଶାରେ ମହିଳା ଓ ପୁରୁଷ”, “ଜିଲ୍ଲା ପରିସଂଖ୍ୟାନ ହ୍ୟାଣ୍ଡ ବୁକ୍ -୨୦୨୪” , “ବାର୍ଷିକ ଶିଳ୍ୱ ସର୍ବେକ୍ଷଣ”, “ଶିଳ୍ପ ଉତ୍ପାଦନ ସୂଚକ” ଆଦି ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଜନା ଓ ସଂଯୋଜନ ବିଭାଗ ତଥା ରାଜ୍ୟ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ବିଭିନ୍ନ ବିଭାଗର ପରିସଂଖ୍ୟାନ ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀ , ୩୦ ଟି ଜିଲ୍ଲାର ଯୋଜନା ଓ ତଦାରଖ ୟୁନିଟ୍ ର ଅଧିକାରୀ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ଏଥି ସହିତ ଏହି ପରିପ୍ରେକ୍ଷୀରେ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ ଜିଲ୍ଲା ଘରୋଇ ଉତ୍ପାଦ–ଦୃଷ୍ଟିକୋଣ ଆକଳନ, ପଦ୍ଧତି, ସେଥିରେ ରହୁଥିବା ସମସ୍ୟା ଓ ଆହ୍ୱାନ ସଂପର୍କରେ ତିନି ଦିନିଆ କର୍ମଶାଳାର ଆୟୋଜନ କରାଯାଇଛି । ଏଥିରେ ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକ ରାଜ୍ୟର ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର ପ୍ରତିନିଧିମାନେ ଯୋଗଦାନ କରି ଜିଲ୍ଲା ଘରୋଇ ଉତ୍ପାଦନ ମୂଲ୍ୟାଙ୍କନ ଯାତ୍ରାରେ ତାଙ୍କର ଅନୁଭୂତି ଉପସ୍ଥାପନ କରିଛନ୍ତି । ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ମନ୍ତ୍ରାଳୟର ପ୍ରାକ୍ତନ ମହା ନିର୍ଦ୍ଦେଶକ ଶ୍ରୀଯୁକ୍ତ କୁମାର ଯୋଗଦେଇ ଆଲୋଚନା ଚକ୍ରକୁ ପରିଚାଳନା କରିବା ସହ ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ପ୍ରକାଶ କରି ଆବଶ୍ୟକ ପରାମର୍ଶ ଦେଉଛନ୍ତି ।