March 14, 2025
Home » ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

0

ରାୟଗଡା ସଦର ମହକୁମାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ୮ ଘଟିକା ସମୟରେ ଏକ ବିଶାଳ ସଚେତନତା ଶୋଭାଯାତ୍ରା ସଦର ବ୍ଳକ ଛକରୁ ବାହାରି ରାୟଗଡା ମୁଖ୍ୟ ଜାତୀୟ ରାଜପଥ ଦେଇ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିହାର ରଞ୍ଜନ କହ୍ନର, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ନାରାୟଣ ମିଶ୍ର ଓ ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଓ କର୍ମକର୍ତ୍ତା, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ସଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ମଡେଲ ଡିଗ୍ରୀ କଲେଜ, ଶ୍ରୀ ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଦି ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ କ୍ଲବ, ୱାକରସ ୟୁନିଅନ, ଅଙ୍ଗନବାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀ କର୍ମକର୍ତ୍ତା ତଥା ସ୍ଥାନୀୟ ଜନସାଧାରଣ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ। ପ୍ଲାକାର୍ଡ ସହ ଏକ ଶହ ମିଟର ଲମ୍ବର ବ୍ୟାନରରେ ହିନ୍ଦୀ ଓଡ଼ିଆ ଓ ସ୍ଥାନୀୟ ବହୁଳ ବ୍ୟବହୃତ ତେଲୁଗୁ ଭାଷାରେ ସ୍ଲୋଗାନ ମାନ ସ୍ଥାନିତ ହୋଇଥିଲା। ପ୍ରଚାର ଗାଡି ସଚେତନତା ମୂଳକ ସଙ୍ଗୀତ ସହ ଶୋଭାଯାତ୍ରାକୁ ବାଟ କଡ଼େଇ ନେଉଥିବା ବେଳେ ହଜାର ହଜାର ଲୋକଙ୍କ ସ୍ଲୋଗାନରେ ସହର ମୁଖରିତ ହୋଇ ଉଠୁଥିଲା। ଜାତୀୟ ମତଦାତା ଦିବସ ଲେଖା ଓ ଲଗୋ ସହ ଟି ସାର୍ଟ,ଟୋପି ଓ ରଙ୍ଗ ବେରଙ୍ଗର ପ୍ଲାକାର୍ଡ ଶୋଭାଯାତ୍ରାର ଶୋଭାକୁ ବାଟୋଇ, ଯାତ୍ରୀ ଓ ଜନସାଧାରଣଙ୍କ ମନ ମୋହିଥିଲା ।
ପରେ ବିଜୁ ପଟ୍ଟନାୟକ ପ୍ରେକ୍ଷ୍ୟାଳୟ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ନିର୍ବାଚନ ଅଧିକାରୀ ନିହାର ରଞ୍ଜନ କହ୍ନର, ନିର୍ବାଚକ ପଞ୍ଜୀକରଣ ଅଧିକାରୀ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ ମଞ୍ଚାସୀନ ଥିଲେ। ବୈଠକ ପ୍ରାରମ୍ଭରେ ଗଣତନ୍ତ୍ରର ପବିତ୍ର ଗ୍ରନ୍ଥ ସମ୍ବିଧାନର ମୁଖବନ୍ଧରେ ପ୍ରଦୀପ ପ୍ରଜ୍ବଳନ ସହ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ପଞ୍ଚଦଶ ମତଦାତା ଦିବସ ସମସ୍ତ ସାବାଳକ ଓ ନୂତନ ଭୋଟରଙ୍କ ନିମନ୍ତେ ସମର୍ପିତ କରିବା ସହ ଉପସ୍ଥିତ ସମସ୍ତ ଭୋଟର ଓ ଭାବି ଭୋଟରଙ୍କୁ ଗଣତନ୍ତ୍ର ସୁଦୃଢ କରିବା ପାଇଁ ସଚେତନ ହେବା ଜରୁରୀ ବୋଲି କହିଥିଲେ। ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ସଭିଙ୍କ ସଚେତନ ହେବା ଜରୁରୀ ।ଭାରତ ନିର୍ବାଚନ ଆୟୋଗ ୭୫ ବର୍ଷ ପୂରଣ କରିଛି , ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ନିଜ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ସଚେତନ ହେବା ଜରୁରୀ। ସମସ୍ତ ଯୋଗ୍ୟ ସାବାଳକ ନିଜ ନାମ ସ୍ଥାନୀୟ ଭୋଟର ତାଲିକାରେ ପଞ୍ଜୀକରଣ କରିବା ଜରୁରୀ ବୋଲି ଅତିଥି ବୃନ୍ଦ କହିଥିଲେ ।
ଜିଲ୍ଲାପାଳ ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ମତଦାତା ରୂପେ ସଂକଳ୍ପ କରାଇଥିଲେ। ନୂତନ ଭୋଟରଙ୍କୁ ଟି ସାର୍ଟ, ଟୋପି ଏବଂ ବ୍ୟାଜ୍ ପରିଧାନ କରାଇ ଜିଲ୍ଲା ସ୍ତରୀୟ ମଞ୍ଚରେ ସମ୍ମାନିତ କରାଯାଇଥିଲା।
ଏହି ଜାତୀୟ ମତଦାତା ଦିବସକୁ ଅଧିକ ସହଭାଗୀତା ଓ ଚିତ୍ତାକର୍ଷକ କରିବା ନିମନ୍ତେ କଲେଜ ସ୍ତରରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ଇଂରାଜୀ ଓ ଓଡିଆ ଭାଷାରେ ବକ୍ତୃତା, ଚିତ୍ରାଙ୍କନ ଓ ସ୍ଲୋଗାନ ଲିଖନ ପ୍ରତିଯୋଗିତା ମାନ ଅନୁଷ୍ଠିତ କରାଯାଇ ପ୍ରଥମ ତିନିଜଣ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଵଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ନିମନ୍ତେ ନିର୍ଭୁଲ, ତୃଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ହେବା ଜରୁରୀ। ଏଣୁ ଗୁଣପୁର, ବିଷମକଟକ ଓ ରାୟଗଡା ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ପ୍ରସ୍ତୁତିରେ ସର୍ବୋତ୍ତମ କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରିଥିବା ତିନିଜଣ ଲେଖାଏଁ ବୁଥ ସ୍ତରୀୟ ଅଧିକାରୀ ଓ ବୁଥର ସୁପରଭାଇଜରଙ୍କୁ ପୁରସ୍କୃତ କରାଯାଇଥିଲା। ୧୩୮ ଗୁଣପୁର ନିର୍ବାଚନ ମଣ୍ଡଳୀରୁ ବୁଥ ସ୍ତରୀୟ ଅଧିକାରୀ ବାଲରାଜ ମିସାଲ, ଧନ୍ୟରାଜ ଗମାଙ୍ଗୋ ଓ ବିଜୟ କୁଟ୍ରକା ସୁପରଭାଇଜର ଅନିଲ କୁମାର ବେହେରା, ନୀଳାଚଳ ମିଶ୍ର, ଗୁଡାରୀ ରାଜେନ୍ଦ୍ର କୁମାର ପାଲ ଚନ୍ଦ୍ରପୁର ପୁରସ୍କୃତ ହୋଇଥିଲେ। ବିଷମକଟକ ନିର୍ବାଚନମଣ୍ଡଳୀରୁ ବୁଥ ସ୍ତରୀୟ ଅଧିକାରୀ ରାମଚନ୍ଦ୍ର ସାରାକା, ବନମାଳୀ ଶବର ଓ ସୋମନାଥ ଦାସ ବୁଥର ସୁପରଭାଇଜର ଅଭିଷେକ ମୁଦି, ଯୁଧିଷ୍ଟିର ମୁଟୁକା ଓ ସତାମ୍ବର ପ୍ରଧାନି ତଥା ରାୟଗଡା ନିର୍ବାଚନ ମଣ୍ଡଳୀରୁ ବୁଥ ସ୍ତରୀୟ ଅଧିକାରୀ ତ୍ରିନାଥ ନାୟକ, ରମେଶ ଚନ୍ଦ୍ର ପାଣି ଓ ଆନନ୍ଦ ମଣ୍ଡାଙ୍ଗୀ ଓ ସୁପରଭାଇଜର କାଳୁ ମାଝୀ, ନରେଶ ସିଂ ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର, ରାୟଗଡା ମାନପତ୍ର ଓ ଟ୍ରଫି ଦ୍ଵାରା ପୁରସ୍କୃତ ହୋଇଥିଲେ।
ସେଞ୍ଚୁରିଆନ ବିଶ୍ବବିଦ୍ୟାଳୟର ଛାତ୍ର,ଛାତ୍ରୀ ପ୍ରାରମ୍ଭିକ ସଙ୍ଗୀତ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀଜଣ ଦେଶାତ୍ମବୋଧକ ସଙ୍ଗୀତ ତଥା ବାବୁଲା ନାୟକ ଏଗାର ପଣିକିଆ ମାଧ୍ୟମରେ ସଚେତନତାମୂଳକ ସଙ୍ଗୀତ ପରିବେଷଣ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ ଓ ଡେପୁଟି କଲେକ୍ଟର ଶ୍ରୀଯୁକ୍ତ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉପ ଜିଲ୍ଲାପାଳ, ରାୟଗଡଙ୍କ ଦପ୍ତର ଏହାର ପରିଚାଳନା ଦାୟିତ୍ବ ନେଇଥିବା ବେଳେ ଡେପୁଟି କଲେକ୍ଟର ପ୍ରଜ୍ଞା ପାରମିତା ଓ ଭୋଳାନାଥ ମାଝୀ, ସହକାରୀ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ବେହେରା, କୈଳାସ ଚନ୍ଦ୍ର ସ୍ବାଇଁ, ଏନ ରବି କୁମାର, ଭାରତୀ ଜେନା, ଅନିତା ଦାଶ ପ୍ରମୁଖ ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ:ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *