ରେଳପ୍ରକଳ୍ପ ଶେଷ ଦାବିରେ ସତ୍ୟାଗ୍ରହ
ଦୀର୍ଘଦିନ ଧରି ଅଟକି ରହିଥିବା ନବରଙ୍ଗପୁର–ଜୟପୁର–ମାଲକାନଗିରି ରେଳପ୍ରକଳ୍ପକୁ ତୁରନ୍ତ ଶେଷ କରିବା ଦାବିରେ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ ସତ୍ୟାଗ୍ରହ କରାଯାଇଛି। ୩୦ ଜାନୁଆରୀରୁ ଫେବୃଆରି ପହିଲା ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ରେଲଭବନ ଆଗରେ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି ।ଏ ସମ୍ପର୍କରେ ମହାମଞ୍ଚର ଆବାହକ ଶ୍ରୀ ଗୌରଚନ୍ଦ୍ର ତ୍ରିପାଠୀ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ, ଦେଶ ସ୍ୱାଧୀନତା ପାଇଥିବାକୁ ୭୯ ବର୍ଷ ହୋଇଗଲେ ସୁଦ୍ଧା ଓଡ଼ିଶାର ଆଦିବାସୀ ବହୁଳ ଓ ଅନୁନ୍ନତ ଜିଲ୍ଲା ନବରଙ୍ଗପୁର ଓ ମାଲକାନଗିରି ଏପର୍ଯ୍ୟନ୍ତ ରେଳ ସଂଯୋଗରୁ ବଞ୍ଚିତ ରହିଛି। ଏହା ଦ୍ୱାରା ଏହି ଅଞ୍ଚଳର ଲୋକମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ ଭାବେ ବ୍ୟବହାର କରାଯାଉଥିବା ଅନୁଭୂତି ହେଉଛି ବୋଲି ସେ କହିଛନ୍ତି।ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଉଭୟ ଜିଲ୍ଲା ପାଇଁ ରେଳପ୍ରକଳ୍ପ ମଞ୍ଜୁର ହୋଇଛି, ବଜେଟରେ ଅର୍ଥ ବ୍ୟବସ୍ଥା ବି ହେଉଛି ଏବଂ ସଂସଦରେ ବାରମ୍ବାର ଏହି ବିଷୟ ଆଲୋଚନା ହୋଇଆସୁଛି। ତଥାପି ପ୍ରକଳ୍ପ ପାଇଁ ପୂର୍ଣ୍ଣ ଆର୍ଥିକ ମଞ୍ଜୁରି ମିଳୁନଥିବା ସହ କାର୍ଯ୍ୟ ଶେଷ କରିବାକୁ କୌଣସି ସ୍ପଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇନାହିଁ। ଫଳସ୍ୱରୂପ ବର୍ଷରୁ ବର୍ଷ ଧରି ଏହି ପ୍ରକଳ୍ପ ଅଟକି ରହିଛି।ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଦେଶର ଅନ୍ୟାନ୍ୟ ଅଞ୍ଚଳରେ ବୁଲେଟ୍ ଟ୍ରେନ୍ ଓ ହାଇସ୍ପିଡ୍ କରିଡୋରରେ ଟ୍ରେନ୍ ଚଳାଚଳ କରୁଥିବା ବେଳେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାବାସୀ ଆଜିବି ଅସୁରକ୍ଷିତ ଯାନବାହନ ଉପରେ ନିର୍ଭର କରି ଯାତାୟାତ କରୁଛନ୍ତି। ଗମନାଗମନ ସୁବିଧାର ଅଭାବ ହେତୁ ଏହି ଦୁଇ ଜିଲ୍ଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରୋଜଗାର ଓ ପର୍ଯ୍ୟଟନ କ୍ଷେତ୍ରରେ ବିକାଶରୁ ବହୁ ପଛରେ ରହିଛି।ତେଣୁ ଏହି ଅଞ୍ଚଳର ସାର୍ବିକ ବିକାଶକୁ ଦୃଷ୍ଟିରେ ରଖି ନବରଙ୍ଗପୁର–ଜୟପୁର–ମାଲକାନଗିରି ରେଳପ୍ରକଳ୍ପକୁ ତୁରନ୍ତ ଆଗେଇ ନେଇ ସମୟବଦ୍ଧ ଭାବେ ଶେଷ କରିବାକୁ ଦଣ୍ଡକାରଣ୍ୟ ବିକାଶ ମହାମଞ୍ଚ ପକ୍ଷରୁ କେନ୍ଦ୍ର ସରକାର ଓ ରେଳ ବିଭାଗଙ୍କୁ ଦୃଢ଼ ଦାବି କରାଯାଇଛି।
